ନୂଆଦିଲ୍ଲୀ: ମହିଳା ଫୁଟବଲ୍ରେ ଭାରତର ଐତିହାସିକ ସଫଳତା। ରୋମାଞ୍ଚକର ଫାଇନାଲ୍ ମୁକାବିଲାରେ ପ୍ରତିଦ୍ୱନ୍ଦ୍ୱୀ ବାଂଲାଦେଶକୁ ୩-୧ ଗୋଲ୍ରେ ପରାସ୍ତ କରି ଭାରତୀୟ ମହିଳା ଦଳ ଚଳିତ 'ସାଫ୍ (SAFF) ମହିଳା ଫୁଟବଲ୍ ଚାମ୍ପିଅନସିପ୍' ଟାଇଟଲ୍ ହାସଲ କରିଛି। ଏହି ବିଜୟ ସହ ଭାରତୀୟ ମହିଳା ଟିମ୍ ରେକର୍ଡ ଷଷ୍ଠ ଥର ପାଇଁ ଏହି ସମ୍ମାନଜନକ ସଫଳତା ନିଜ ନାମରେ କରିଛି। ଗୋଆର ଜବାହରଲାଲ ନେହେରୁ ଷ୍ଟାଡିୟମରେ ଖେଳାଯାଇଥିବା ଏହି ମେଗା ଫାଇନାଲ୍ରେ ଭାରତୀୟ ଖେଳାଳିମାନେ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ଦମଦାର ପ୍ରଦର୍ଶନ କରିଥିଲେ।
ପ୍ରଥମାର୍ଦ୍ଧରୁ ଦେଖିବାକୁ ମିଳିଲା କଡ଼ା ଟକ୍କର
ମ୍ୟାଚ୍ର ଆରମ୍ଭରୁ ଉଭୟ ଦଳ ମଧ୍ୟରେ ଜୋରଦାର ସଂଘର୍ଷ ଦେଖିବାକୁ ମିଳିଥିଲା। ତେବେ ମ୍ୟାଚ୍ର ୪୨ତମ ମିନିଟ୍ରେ ପ୍ୟାରୀ ଖାଖା ଏକ ଚମତ୍କାର ଗୋଲ୍ କରି ଭାରତକୁ ୧-୦ରେ ଆଗୁଆ କରିଦେଇଥିଲେ। କିନ୍ତୁ ପ୍ରଥମ ହାଫ୍ର ଏକ୍ସଟ୍ରା ଟାଇମ୍ରେ ବାଂଲାଦେଶର ରିତୁ ଚକମା ଗୋଲ୍ ସୁଝି ଦଳକୁ ୧-୧ ସମାନ ସ୍ଥିତିକୁ ଆଣିଥିଲେ।
ଦ୍ୱିତୀୟ ହାଫ୍ ଆରମ୍ଭ ହେବାର ପ୍ରଥମ ମିନିଟ୍ରେ ହିଁ ସନଫିଦା ନୋଙ୍ଗ୍ରମ ଆଉ ଏକ ଗୋଲ୍ କରି ଭାରତକୁ ୨-୧ରେ ଆଗୁଆ କରିଥିଲେ। ଏହାପରେ ଭାରତୀୟ ଦଳ ବାଂଲାଦେଶ ଉପରେ ଚାପ ବଜାୟ ରଖିଥିଲା। ଶେଷରେ ମ୍ୟାଚ୍ର ୮୨ତମ ମିନିଟ୍ରେ ଲିଣ୍ଡା କମ୍ ଭାରତ ପାଇଁ ତୃତୀୟ ଗୋଲ୍ କରି ଦଳର ବିଜୟ ସୁନିଶ୍ଚିତ କରିଥିଲେ। ବାଂଲାଦେଶ ଶେଷ ପର୍ଯ୍ୟନ୍ତ ଆଉ କୌଣସି ଗୋଲ୍ କରିପାରି ନଥିଲା।
ସମ୍ପୂର୍ଣ୍ଣ ଟୁର୍ଣ୍ଣାମେଣ୍ଟରେ ଅପରାଜେୟ ଟିମ୍ ଇଣ୍ଡିଆ
ଭାରତୀୟ ମହିଳା ଫୁଟବଲ୍ ଦଳ ଚଳିତ ସାଫ୍ କପ୍ରେ ନିଜର ଦବଦବା ବଜାୟ ରଖି ସମ୍ପୂର୍ଣ୍ଣ ଅପରାଜେୟ ରହିଛି। ଗ୍ରୁପ୍ ପର୍ଯ୍ୟାୟରେ ନିଜର ଦୁଇଟି ଯାକ ମ୍ୟାଚ୍ ଜିତି ଦଳ ଶୀର୍ଷରେ ରହିଥିଲା। ଏହାପରେ ସେମିଫାଇନାଲ୍ରେ ଭୁଟାନକୁ ୧-୦ ଗୋଲ୍ରେ ହରାଇ ଫାଇନାଲ୍ରେ ପ୍ରବେଶ କରିଥିଲା ଏବଂ ଶେଷରେ ବାଂଲାଦେଶକୁ ଧୂଳି ଚଟାଇ ଚାମ୍ପିଅନ୍ ହୋଇଛି।
୭ ବର୍ଷର ପ୍ରତୀକ୍ଷାର ଅନ୍ତ, ବାଂଲାଦେଶର ହ୍ୟାଟ୍ରିକ୍ ସ୍ୱପ୍ନ ଧୂଳିସାତ
ସାଉଥ୍ ଏସିଆନ୍ ଫୁଟବଲ୍ ଫେଡେରେସନ (SAFF) ମହିଳା କପ୍ ୨୦୧୦ ମସିହାରୁ ଆରମ୍ଭ ହୋଇଥିଲା। ୨୦୧୦ରୁ ୨୦୧୯ ପର୍ଯ୍ୟନ୍ତ କ୍ରମାଗତ ୫ ଥର ଚାମ୍ପିଅନ୍ ହୋଇ ଭାରତ ଏହି ଟୁର୍ଣ୍ଣାମେଣ୍ଟରେ ରାଜ୍ କରିଥିଲା। ହେଲେ ୨୦୨୨ ଏବଂ ୨୦୨୪ ସଂସ୍କରଣରେ ଭାରତୀୟ ଦଳ ସେମିଫାଇନାଲ୍ରୁ ବିଦାୟ ନେଇଥିଲା।୨୦୨୨ ଓ ୨୦୨୪ର ବିଜେତା ବାଂଲାଦେଶ ଚଳିତ ବର୍ଷ ଖେଳାଯାଉଥିବା ଟୁର୍ଣ୍ଣାମେଣ୍ଟରେ ବିଜୟୀ ହୋଇ ଟ୍ରଫିର ହ୍ୟାଟ୍ରିକ୍ ମାରିବା ଲକ୍ଷ୍ୟରେ ଥିଲା।