ପାଟନା: ଚର୍ଚ୍ଚିତ ଶିକ୍ଷକ ତଥା ୟୁଟ୍ୟୁବର ଖାନ୍ ସାରଙ୍କ ସମସ୍ୟା ଦିନକୁ ଦିନ ଜଟିଳ ହେବାରେ ଲାଗିଛି। ପାଟନାରେ କୋଚିଂ ସେଣ୍ଟରକୁ ନେଇ ଚାଲିଥିବା ହଙ୍ଗାମା ମଧ୍ୟରେ ଏବେ ତାଙ୍କ ପ୍ରତିଷ୍ଠାନ 'ଖାନ୍ ଗ୍ଲୋବାଲ୍ ଷ୍ଟଡିଜ୍' (KGS) ର ସୁରକ୍ଷା ବ୍ୟବସ୍ଥାକୁ ନେଇ ବଡ଼ ଅଭିଯୋଗ ଆସିଛି। ଏହି କୋଚିଂ ସେଣ୍ଟରରେ ଅଗ୍ନିଶମ ନିରାପତ୍ତା ବା ଫାୟାର୍ ସେଫ୍ଟି ନିୟମକୁ ଖୋଲାଖୋଲି ଉଲ୍ଲଂଘନ କରାଯାଇଥିବା ଜଣାପଡ଼ିଛି।
ବିହାର ଅଗ୍ନିଶମ ସେବାର ଡିଆଇଜି ମନୋଜ କୁମାର ନଟ୍ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଯେ, ଖାନ୍ ଗ୍ଲୋବାଲ୍ ଷ୍ଟଡିଜ୍ରେ ଯାଞ୍ଚ ସମୟରେ ଫାୟାର୍ ସେଫ୍ଟି ମାନଖରେ ବହୁତ ବଡ଼ ତ୍ରୁଟି ଦେଖିବାକୁ ମିଳିଛି। ସୁରକ୍ଷା ନିୟମ ପାଳନ କରାଯାଇ ନଥିବାରୁ ବିଭାଗ ପକ୍ଷରୁ ସଂସ୍ଥାକୁ ତୁରନ୍ତ ସୁଧାର ଆଣିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି।
୧୫ ଦିନର ମହଲତ, ନଚେତ୍ ସିଲ୍ ହେବ ପ୍ରତିଷ୍ଠାନ
ଅଗ୍ନିଶମ ବିଭାଗ ପକ୍ଷରୁ ଏହି କୋଚିଂ ସେଣ୍ଟରକୁ ନିଜର ସମସ୍ତ ତ୍ରୁଟି ସୁଧାରିବା ପାଇଁ ୧୫ ଦିନର ସମୟ ଦିଆଯାଇଛି। ଯଦି ନିର୍ଦ୍ଧାରିତ ଅବଧି ମଧ୍ୟରେ ସୁରକ୍ଷା ବ୍ୟବସ୍ଥାରେ ପରିବର୍ତ୍ତନ କରାନଯାଏ, ତେବେ ପ୍ରଶାସନ ପକ୍ଷରୁ କଠୋର ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଏପରିକି ଏହି କୋଚିଂ ସେଣ୍ଟରର ପରିଚାଳନା ଉପରେ ସମ୍ପୂର୍ଣ୍ଣ ରୋକ ଲଗାଯାଇ ଏହାକୁ ବନ୍ଦ ମଧ୍ୟ କରାଯାଇପାରେ। ପୂର୍ବରୁ ଆଇନଗତ ସମସ୍ୟାରେ ଛନ୍ଦି ହୋଇଥିବା ଖାନ୍ ସାର୍ଙ୍କ ପାଇଁ ଏହି ଫାୟାର୍ ସେଫ୍ଟି ମାମଲା ଏବେ ଢେର ଚିନ୍ତା ବଢ଼ାଇ ଦେଇଛି।
ଗିରଫଦାରୀ ଭୟ, ଫେରାର୍ ଖାନ୍ ସାର୍ !
ଅନ୍ୟପଟେ, ଖାନ୍ ସାର୍ଙ୍କ ଉପରେ ଏବେ ଗିରଫ ହେବାର ବଡ଼ ବିପଦ ମାଡ଼ି ଆସିଛି। ପୋଲିସ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ସେ ବର୍ତ୍ତମାନ ପୋଲିସ ଆଖିରେ ଧୂଳିଦେଇ ଫେରାର୍ ଅଛନ୍ତି। ତାଙ୍କ ବିରୋଧରେ ହତ୍ୟା ଉଦ୍ୟମ ଏବଂ ଆର୍ମ୍ସ ଆକ୍ଟ ଭଳି ସଙ୍ଗୀନ ଦଫାରେ ମାମଲା ରୁଜୁ କରାଯାଇଛି।
ନିଜ ଗାର୍ଡଙ୍କ ବୟାନ ବଢ଼ାଇଲା ଅଡ଼ୁଆ
ମଙ୍ଗଳବାର ବିଳମ୍ବିତ ରାତିରେ ଖାନ୍ ସାର୍ଙ୍କ କୋଚିଂ ସେଣ୍ଟର ଉପରେ କିଛି ଦୁର୍ବୃତ୍ତ ଆକ୍ରମଣ କରିବା ସହ ବ୍ୟାପକ ଭଙ୍ଗାରୁଜା କରିଥିଲେ, ଯେଉଁଥିରେ ଜଣେ ସୁରକ୍ଷାକର୍ମୀ ଆହତ ହୋଇଥିଲେ। ପ୍ରଥମେ ପୋଲିସ ଗୁଳିଚାଳନା ଘଟଣାକୁ ସ୍ୱୀକାର କରୁନଥିଲା, ହେଲେ ଏକ ଭିଡିଓ ଭାଇରାଲ୍ ହେବା ପରେ ପୋଲିସ ତଦନ୍ତ ପ୍ରକ୍ରିୟାକୁ ତ୍ଵରାନ୍ଵିତ କରିଛି।
ଏହି ସମୟରେ ଖାନ୍ ସାର୍ଙ୍କ ନିଜ ସୁରକ୍ଷାକର୍ମୀ (ଗାର୍ଡ) ପୋଲିସ ଆଗରେ ଏକ ଚାଞ୍ଚଲ୍ୟକର ସ୍ୱୀକାରୋକ୍ତି କରିଛନ୍ତି। ଗାର୍ଡଙ୍କ କହିବା ଅନୁଯାୟୀ, "ଖାନ୍ ସାର୍ ଆମକୁ କହିଥିଲେ ଯେ ତୁମେମାନେ ସିଧା ଗୁଳି ଚଳାଅ, ବାକି ସବୁ ପରିସ୍ଥିତି ମୁଁ ଦେଖିନେବି।" ଗାର୍ଡଙ୍କ ଏହି ବୟାନ ଆଧାରରେ ହିଁ ପୋଲିସ ଖାନ୍ ସାର୍ଙ୍କ ବିରୋଧରେ ଏଫ୍ଆଇଆର୍ (FIR) ରୁଜୁ କରିଛି। ବର୍ତ୍ତମାନ ପୋଲିସ ସେହି ଭାଇରାଲ୍ ଭିଡିଓକୁ ଯାଞ୍ଚ କରିବା ସହ ଖାନ୍ ସାର୍ଙ୍କୁ ଗିରଫ କରିବା ପାଇଁ ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରଖିଛି।