ମାତ୍ର କିଛି ମାସ ତଳେ ଭାରତକୁ ଟି-୨୦ ବିଶ୍ୱକପ୍ ଜିତାଇ ହିରୋ ପାଲଟିଥିବା ସୂର୍ଯ୍ୟକୁମାର ଯାଦବ ଏବେ ବଡ଼ ଝଟକାର ସମ୍ମୁଖୀନ ହୋଇଛନ୍ତି। ଆୟରଲ୍ୟାଣ୍ଡ, ଇଂଲଣ୍ଡ ଗସ୍ତ ଏବଂ ଏସିଆନ୍ ଗେମ୍ସ ପାଇଁ ଘୋଷିତ ଭାରତୀୟ ଦଳରୁ କେବଳ ଅଧିନାୟକ ପଦ ନୁହେଁ, ବରଂ ଦଳରେ ମଧ୍ୟ ସ୍ଥାନ ହରାଇଛନ୍ତି ‘ମିଷ୍ଟର 360’ ସୂର୍ଯ୍ୟକୁମାର ଯାଦବ। ତାଙ୍କ ସ୍ଥାନରେ ଶ୍ରେୟସ ଆୟରଙ୍କୁ ନୂଆ ଅଧିନାୟକ ଭାବେ ଦାୟିତ୍ୱ ଦିଆଯାଇଛି।
ତେବେ ଏହି ବଡ଼ ନିଷ୍ପତ୍ତି ପରେ ସମସ୍ତଙ୍କ ନଜର ସୂର୍ଯ୍ୟଙ୍କ ପ୍ରତିକ୍ରିୟା ଉପରେ ଥିଲା। ଅନେକେ ଭାବୁଥିଲେ ସେ ବୋଧହୁଏ ନିରାଶା ପ୍ରକାଶ କରିବେ। କିନ୍ତୁ ସୂର୍ଯ୍ୟ ନିଜ ସ୍ୱଭାବ ଅନୁଯାୟୀ ସକାରାତ୍ମକ ବାର୍ତ୍ତା ଦେଇ ସମସ୍ତଙ୍କ ହୃଦୟ ଜିତିନେଇଛନ୍ତି।
ନିଜ ଇନଷ୍ଟାଗ୍ରାମ୍ ଷ୍ଟୋରୀରେ ଭାରତୀୟ ଦଳର ଏକ ଫଟୋ ସେୟାର କରି ସେ ଲେଖିଛନ୍ତି, “ଏହି ଅତ୍ୟନ୍ତ ପ୍ରତିଭାବାନ ଦଳକୁ ଆଗାମୀ ଚ୍ୟାଲେଞ୍ଜ ପାଇଁ ଅନେକ ଅନେକ ଶୁଭେଚ୍ଛା।” ସୂର୍ଯ୍ୟଙ୍କ ଏହି ପୋଷ୍ଟ ଏବେ ସୋସିଆଲ ମିଡିଆରେ ଭାଇରାଲ୍ ହେଉଛି।
ଏହାସହ ଦଳରେ ସ୍ଥାନ ପାଇଥିବା ୧୫ ବର୍ଷୀୟ ଯୁବ ସେନସେସନ ବୈଭବ ସୂର୍ଯ୍ୟବଂଶୀଙ୍କୁ ମଧ୍ୟ ସେ ସ୍ୱତନ୍ତ୍ର ଭାବେ ଅଭିନନ୍ଦନ ଜଣାଇଛନ୍ତି। ସୂର୍ଯ୍ୟ ଲେଖିଛନ୍ତି, “ତୁମେ ଏହା ପାଇଁ ସମ୍ପୂର୍ଣ୍ଣ ଯୋଗ୍ୟ। ତୁମର କ୍ରିକେଟ୍ ଯାତ୍ରା ଦେଖିବାକୁ ମୁଁ ଖୁବ୍ ଉତ୍ସାହିତ।”
ସୂଚନାଯୋଗ୍ୟ, ନିକଟରେ ଶେଷ ହୋଇଥିବା ବିଶ୍ୱକପ୍ ଓ ଆଇପିଏଲ୍ରେ ସୂର୍ଯ୍ୟଙ୍କ ନିରାଶାଜନକ ପ୍ରଦର୍ଶନ ତାଙ୍କ ପାଇଁ ମହଙ୍ଗା ପଡ଼ିଛି। ଅନ୍ୟପଟେ ଆଇପିଏଲ୍ରେ ଧମାକାଦାର ପ୍ରଦର୍ଶନ କରିଥିବା ବୈଭବ ସୂର୍ଯ୍ୟବଂଶୀ ପ୍ରଥମ ଥର ପାଇଁ ଜାତୀୟ ଦଳରେ ସୁଯୋଗ ପାଇଛନ୍ତି। ଏବେ ସମସ୍ତଙ୍କ ନଜର ରହିଛି ନୂଆ ଅଧିନାୟକ ଶ୍ରେୟସ ଆୟରଙ୍କ ନେତୃତ୍ୱରେ ଟିମ୍ ଇଣ୍ଡିଆ କିପରି ପ୍ରଦର୍ଶନ କରୁଛି।