ରାୟଗଡ଼ା ଜିଲ୍ଲାରେ ପୁଣି ଥରେ ସାମ୍ନାକୁ ଆସିଛି ବନ୍ୟଜନ୍ତୁ ଚୋରା କାରବାରର କଳା ସତ୍ୟ। ଚିତା ବାଘ ଛାଲ ବିକ୍ରି ପାଇଁ ଚାଲିଥିବା ଗୁପ୍ତ ଡିଲ୍ ଉପରେ ଚଢ଼ାଉ କରି ବଡ଼ ସଫଳତା ପାଇଛି ବନ ବିଭାଗ। ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ବନାଞ୍ଚଳ ଅଧୀନ ବେଲକଣା ଗ୍ରାମର ଏକ ଘରୁ ଗୋଟିଏ ଚିତା ବାଘ ଛାଲ ଜବତ ହେବା ସହ ୮ ଜଣଙ୍କୁ ଗିରଫ କରାଯାଇଛି।
ବିଶ୍ୱସ୍ତ ସୂତ୍ରରୁ ସୂଚନା ପାଇ ଡିଏଫଓଙ୍କ ନିର୍ଦ୍ଦେଶରେ କଲ୍ୟାଣସିଂହପୁର ରେଞ୍ଜର ସଚ୍ଚିଦାନନ୍ଦ ପରିଡା ଏବଂ ଫରେଷ୍ଟର ଶିବପ୍ରସାଦ ମହାପାତ୍ରଙ୍କ ନେତୃତ୍ୱରେ ଏକ ସ୍ୱତନ୍ତ୍ର ଟିମ୍ ଚଢ଼ାଉ କରିଥିଲା। ସେତେବେଳେ ବାଘ ଛାଲର ଦାମଦର ଚାଲିଥିବା ବେଳେ ବନ ବିଭାଗ ଅଚାନକ ମାଡ଼ି ବସିଥିଲା।
ଘଟଣାସ୍ଥଳରୁ କଳାହାଣ୍ଡି ଜିଲ୍ଲାର ୩ ଜଣ ଏବଂ ରାୟଗଡ଼ା ଜିଲ୍ଲାର ୫ ଜଣଙ୍କୁ ଗିରଫ କରାଯାଇଛି। ସେମାନଙ୍କ ନିକଟରୁ ୩ଟି ବାଇକ୍, ମୋବାଇଲ୍ ଫୋନ ଏବଂ ବାଘ ଛାଲ ଜବତ କରାଯାଇଛି। ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ଯେ, ଅଭିଯୁକ୍ତମାନେ ବାଘ ଛାଲକୁ କମ୍ ଦାମରେ କିଣି ବାହାର ରାଜ୍ୟକୁ ଚାଲାଣ କରିବାକୁ ଯୋଜନା କରୁଥିଲେ।
ଏହି ଘଟଣା ମଧ୍ୟରେ ଆଉ ଏକ ଚିନ୍ତାଜନକ ତଥ୍ୟ ସାମ୍ନାକୁ ଆସିଛି। ଗତ ଦୁଇ ବର୍ଷ ମଧ୍ୟରେ ରାୟଗଡ଼ା ଜିଲ୍ଲାରୁ ପ୍ରାୟ ୧୦ଟି ଚିତା ବାଘ ଛାଲ ଜବତ ହୋଇଥିବା ବେଳେ ନିକଟରେ ହୋଇଥିବା ବାଘ ଗଣନାରେ ଟ୍ରାପ୍ କ୍ୟାମେରାରେ ଗୋଟିଏ ବି ବାଘ ଧରାପଡ଼ିନଥିଲା। ଏହା ବନ୍ୟଜନ୍ତୁ ଶିକାର ଓ ଚୋରା ଚାଲାଣ ନେଇ ବଡ଼ ପ୍ରଶ୍ନ ଉଠାଇଛି।
ବର୍ତ୍ତମାନ ଜବତ ହୋଇଥିବା ବାଘ ଛାଲ କେଉଁଠାରୁ ଆସିଥିଲା ଏବଂ ଏହା ପଛରେ କୌଣସି ବଡ଼ ଚୋରା ଚାଲାଣ ଚକ୍ର ସକ୍ରିୟ ଅଛି କି ନାହିଁ, ସେନେଇ ବନ ବିଭାଗ ତଦନ୍ତ ଜାରି ରଖିଛି।