ଗଞ୍ଜାମ: ଶ୍ରୀଜଗନ୍ନାଥଙ୍କ ଦର୍ଶନ ସାରି ଘରକୁ ଫେରୁଥିବା ବେଳେ ଘଟିଗଲା ଅଘଟଣ। ଭୋର ସମୟରେ ଏକ ବୋଲେରୋ ଭାରସାମ୍ୟ ହରାଇ ରାସ୍ତାକଡ଼ରେ ଥିବା ଏକ ଘରକୁ ଧକ୍କା ଦେବାରୁ ୮ ଜଣ ଯାତ୍ରୀ ଆହତ ହୋଇଛନ୍ତି। ଦୁର୍ଘଟଣା ପରେ ଅଞ୍ଚଳରେ କିଛି ସମୟ ପାଇଁ ଆତଙ୍କର ପରିସ୍ଥିତି ସୃଷ୍ଟି ହୋଇଥିଲା।
ଏହି ଦୁର୍ଘଟଣା ଗଞ୍ଜାମ ଜିଲ୍ଲା ପୋଲସରା ଥାନା ଅନ୍ତର୍ଗତ ମଥୁରା ଗ୍ରାମ ନିକଟରେ ଶୁକ୍ରବାର ଭୋର ପ୍ରାୟ ୫ଟା ବେଳେ ଘଟିଛି। ସୂଚନା ଅନୁଯାୟୀ, ବୁଗୁଡ଼ା ବ୍ଲକ୍ର ଜାଲଖାଇ ଗ୍ରାମର ଏକ ପରିବାର ପୁରୀରେ ମହାପ୍ରଭୁଙ୍କ ଦର୍ଶନ ସାରି ବୋଲେରୋ ଯୋଗେ ଘରକୁ ଫେରୁଥିଲେ। ତେବେ ପୋଲସରାଠାରୁ ପ୍ରାୟ ୪ କିଲୋମିଟର ଦୂର ମଥୁରା ଗ୍ରାମ ନିକଟରେ ହଠାତ୍ ଗାଡ଼ିଟି ନିୟନ୍ତ୍ରଣ ହରାଇ ରାସ୍ତାକଡ଼ରେ ଥିବା ଏକ ଘର ଭିତରକୁ ପଶିଯାଇଥିଲା।
ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁଯାୟୀ, ଗାଡ଼ିଟି ଦ୍ରୁତ ଗତିରେ ଆସୁଥିବା ବେଳେ ଡ୍ରାଇଭରଙ୍କ ଆଖି ଲାଗିଯିବାରୁ ଏହି ଦୁର୍ଘଟଣା ଘଟିଥାଇପାରେ। ଧକ୍କା ଏତେ ଜୋରଦାର ଥିଲା ଯେ ବୋଲେରୋରେ ଥିବା ସମସ୍ତ ୮ ଜଣ ଯାତ୍ରୀ ଆହତ ହୋଇଥିଲେ।
ଦୁର୍ଘଟଣା ପରେ ସ୍ଥାନୀୟ ଲୋକେ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଆହତମାନଙ୍କୁ ଉଦ୍ଧାର କରି ପୋଲସରା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ପଠାଇଥିଲେ। ସେଠାରେ ଡାକ୍ତରମାନେ ସମସ୍ତଙ୍କୁ ପ୍ରାଥମିକ ଚିକିତ୍ସା ଯୋଗାଇଥିଲେ। ସ୍ଵଭାଗ୍ୟବଶତଃ କାହାର ଗୁରୁତର ଆଘାତ ହୋଇନଥିବା ଜଣାପଡ଼ିଛି। ଚିକିତ୍ସା ପରେ ଅଧିକାଂଶ ଆହତଙ୍କୁ ଛାଡ଼ି ଦିଆଯାଇଥିବା ସୂଚନା ମିଳିଛି। ଖବର ପାଇ ପୋଲସରା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଦୁର୍ଘଟଣାର କାରଣ ନେଇ ତଦନ୍ତ ଆରମ୍ଭ କରିଛି।