ଭୁବନେଶ୍ୱର: ରାଜ୍ୟର ବହୁ ଚର୍ଚ୍ଚିତ ଲାଞ୍ଚ ମାମଲାରେ ଭିଜିଲାନ୍ସ ହାତରେ ଧରାପଡ଼ି ଗିରଫ ହୋଇଥିବା ୨୦୨୧ ବ୍ୟାଚ୍ର IAS ଅଧିକାରୀ ଧୀମାନ ଚକମା ପୁଣି ଥରେ ସରକାରୀ ଚାକିରିକୁ ଫେରିଛନ୍ତି। ଜେଲ୍ରୁ ମୁକୁଳିବା ଓ ନିଲମ୍ବନ ଅବଧି ପରେ ସେ ଏବେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ଉପ-ସଚିବ ଭାବେ କାର୍ଯ୍ୟରେ ଯୋଗ ଦେଇଛନ୍ତି।
ଧୀମାନ ଚକମାଙ୍କ ନାଁ ୨୦୨୫ ମସିହାରେ ସାରା ରାଜ୍ୟରେ ଚର୍ଚ୍ଚାରେ ଆସିଥିଲା। ସେତେବେଳେ ସେ କଳାହାଣ୍ଡି ଜିଲ୍ଲାର ଧର୍ମଗଡ଼ ଉପଜିଲ୍ଲାପାଳ (ସବ୍-କଲେକ୍ଟର) ଭାବେ କାର୍ଯ୍ୟରତ ଥିଲେ। ଏକ ଲଘୁ ଖଣି ବ୍ୟବସାୟୀଙ୍କ ଠାରୁ ୨୦ ଲକ୍ଷ ଟଙ୍କା ଲାଞ୍ଚ ଦାବି କରିଥିବା ଅଭିଯୋଗ ଆସିବା ପରେ ଭିଜିଲାନ୍ସ ବିଭାଗ ତାଙ୍କ ଉପରେ ନଜର ରଖିଥିଲା।
୨୦୨୫ ଜୁନ୍ ୮ ତାରିଖ ରାତିରେ ଧର୍ମଗଡ଼ ସ୍ଥିତ ସରକାରୀ ବାସଭବନରେ ଭିଜିଲାନ୍ସ ଟିମ୍ ଚଢ଼ାଉ କରିଥିଲା। ଅଭିଯୋଗ ଅନୁଯାୟୀ, କ୍ରସର ୟୁନିଟ୍ ବିରୋଧରେ କାର୍ଯ୍ୟାନୁଷ୍ଠାନ ନ ନେବା ପାଇଁ ସେ ୨୦ ଲକ୍ଷ ଟଙ୍କା ଲାଞ୍ଚ ମାଗିଥିଲେ। ପ୍ରଥମ କିସ୍ତି ଭାବେ ୧୦ ଲକ୍ଷ ଟଙ୍କା ନେଉଥିବା ବେଳେ ସେ ଭିଜିଲାନ୍ସ ହାତରେ ରେଡ୍ ହ୍ୟାଣ୍ଡ ଧରାପଡ଼ିଥିଲେ। ପରେ ତାଙ୍କ ବାସଭବନରୁ ପ୍ରାୟ ୪୭ ଲକ୍ଷ ୪୭ ହଜାର ଟଙ୍କା ନଗଦ ମଧ୍ୟ ଜବତ ହୋଇଥିଲା। ତ୍ରିପୁରା ସ୍ଥିତ ତାଙ୍କ ଘରେ ମଧ୍ୟ ଚଢ଼ାଉ କରାଯାଇଥିଲା।
ଏହି ଘଟଣା ପରେ ଧୀମାନ ଚକମାଙ୍କୁ ଗିରଫ କରାଯିବା ସହ ରାଜ୍ୟ ସରକାର ତାଙ୍କୁ ଚାକିରିରୁ ନିଲମ୍ବିତ କରିଥିଲେ। କିଛି ସମୟ ଜେଲ୍ରେ ରହିବା ପରେ ସେ ହାଇକୋର୍ଟରୁ ଜାମିନ୍ ପାଇଥିଲେ।
ତେବେ ଏବେ ନୂଆ ଦାୟିତ୍ୱ ସହ ତାଙ୍କର ପୁଣି ସରକାରୀ ସେବାକୁ ଫେରା ରାଜ୍ୟ ପ୍ରଶାସନିକ ମହଲରେ ନୂଆ ଚର୍ଚ୍ଚା ସୃଷ୍ଟି କରିଛି। ମେ ୨୧ ତାରିଖରେ ରାଜସ୍ୱ ବିଭାଗର ଉପ-ସଚିବ ଭାବେ ନିଯୁକ୍ତି ପାଇବା ପରେ ସେ ଏବେ ଆନୁଷ୍ଠାନିକ ଭାବେ କାର୍ଯ୍ୟରେ ଯୋଗ ଦେଇଛନ୍ତି। ଲାଞ୍ଚ ମାମଲାରେ ଚର୍ଚ୍ଚାରେ ଥିବା ଏହି IAS ଅଧିକାରୀଙ୍କ ପୁନଃ ଯୋଗଦାନକୁ ନେଇ ରାଜନୈତିକ ଓ ପ୍ରଶାସନିକ ମହଲରେ ଆଲୋଚନା ଜୋର ଧରିଛି।