ପୁରୀ: ପୁଣି ଥରେ ନିଆଁର ଆଁରେ ଜଳି ଉଠିଛି ପୁରୀର ତାଳବଣିଆ ଜଙ୍ଗଲ। ଗତ ଦୁଇ ଦିନ ମଧ୍ୟରେ ଦ୍ୱିତୀୟ ଥର ପାଇଁ ଜଙ୍ଗଲରେ ଅଗ୍ନିକାଣ୍ଡ ଘଟିବା ପରେ ବନବିଭାଗର କାର୍ଯ୍ୟଦକ୍ଷତା ଓ ଜଙ୍ଗଲ ସୁରକ୍ଷା ବ୍ୟବସ୍ଥାକୁ ନେଇ ଗମ୍ଭୀର ପ୍ରଶ୍ନ ଉଠିଛି। ଜଙ୍ଗଲ ଜଳୁଥିବା ବେଳେ ବନବିଭାଗ କାହିଁକି ସତର୍କ ହୋଇପାରୁନି, ତାହାକୁ ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଅସନ୍ତୋଷ ବଢ଼ିଛି।
ସୂଚନା ଅନୁସାରେ, ଗତ ବୁଧବାର ତାଳବଣିଆ ଜଙ୍ଗଲରେ ନିଆଁ ଲାଗିଥିବା ବେଳେ ଗୁରୁବାର ରାତିରେ ପୁଣି ଥରେ ଅଗ୍ନିକାଣ୍ଡ ଘଟିଥିଲା। ନିଆଁ ଏତେ ଭୟଙ୍କର ଥିଲା ଯେ ଜଙ୍ଗଲର ବିଶାଳ ଅଂଶ ଜଳି ପୋଡ଼ି ଛାରଖାର ହୋଇଯାଇଛି। ଖବର ପାଇ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ବହୁ ପରିଶ୍ରମ ପରେ ନିଆଁକୁ ଆୟତ୍ତ କରିଥିଲା।
ସବୁଠାରୁ ଚିନ୍ତାଜନକ ବିଷୟ ହେଉଛି, ତାଳବଣିଆ ଜଙ୍ଗଲ ହେଉଛି ହରିଣମାନଙ୍କର ପ୍ରମୁଖ ଚରାଭୂମି। ଏଠାରେ ଶତାଧିକ ହରିଣ ବିଚରଣ କରୁଥିବା ବେଳେ ବାରମ୍ବାର ଅଗ୍ନିକାଣ୍ଡ ଯୋଗୁଁ ସେମାନଙ୍କ ଜୀବନ ଏବେ ବିପଦରେ ପଡ଼ିଛି। ବନ୍ୟଜନ୍ତୁଙ୍କ ସୁରକ୍ଷା ଓ ପାଟ୍ରୋଲିଂ ବ୍ୟବସ୍ଥାକୁ ନେଇ ମଧ୍ୟ ପ୍ରଶ୍ନ ଉଠିଛି।
ପ୍ରାଥମିକ ଅନୁମାନ ଅନୁଯାୟୀ, ଜଙ୍ଗଲ ଭିତରେ ଭୋଜିଭାତ ପରେ ଚୂଲିର ନିଆଁ ସଂପୂର୍ଣ୍ଣ ଭାବେ ଲିଭାଯାଉନଥିବାରୁ ଅଗ୍ନିକାଣ୍ଡ ଘଟିଥାଇପାରେ। ଏହାଛଡ଼ା ଜଙ୍ଗଲ ଅଞ୍ଚଳ ଏବେ ଅସାମାଜିକ ତତ୍ତ୍ୱ ଓ ନିଶାଖୋରଙ୍କ ଆଡ୍ଡାସ୍ଥଳୀ ପାଲଟିଥିବାରୁ ସିଗାରେଟ୍ କିମ୍ବା ବିଡ଼ିର ଜଳନ୍ତା ଖଣ୍ଡରୁ ମଧ୍ୟ ନିଆଁ ବ୍ୟାପିଥିବା ସନ୍ଦେହ କରାଯାଉଛି।
ବାରମ୍ବାର ଜଙ୍ଗଲ ଜଳିବା ଘଟଣା ସତ୍ତ୍ୱେ ପ୍ରଶାସନ ପକ୍ଷରୁ କଠୋର ପଦକ୍ଷେପ ନିଆଯାଉନଥିବାରୁ ସବୁଜ ବନାନୀ, ପ୍ରାକୃତିକ ସମ୍ପଦ ଓ ବନ୍ୟଜନ୍ତୁଙ୍କ ଭବିଷ୍ୟତକୁ ନେଇ ଚିନ୍ତା ବଢ଼ିଛି। ତୁରନ୍ତ ସଚେତନତା ଓ କଡ଼ା କାର୍ଯ୍ୟାନୁଷ୍ଠାନ ନ ନିଆଗଲେ ତାଳବଣିଆ ଜଙ୍ଗଲ ପାଇଁ ବିପଦ ଆହୁରି ବଢ଼ିପାରେ।