ପୁରୀ: ବିଶ୍ୱପ୍ରସିଦ୍ଧ ଶ୍ରୀଜଗନ୍ନାଥ ରଥଯାତ୍ରା-୨୦୨୬କୁ ଆଉ କିଛି ଦିନ ବାକି ଥିବା ବେଳେ ଭକ୍ତଙ୍କ ସୁରକ୍ଷା ସହ ଉତ୍ତମ ବ୍ୟବହାର ଉପରେ ଗୁରୁତ୍ୱ ଦେଇଛି ପୁରୀ ପୋଲିସ। ଏଥିପାଇଁ ପୋଲିସ ଲାଇନ୍ କନଫରେନ୍ସ ହଲ୍ରେ ଆୟୋଜିତ ହୋଇଛି ଏକ ସ୍ୱତନ୍ତ୍ର ଆଚରଣଗତ ପ୍ରଶିକ୍ଷଣ କର୍ମଶାଳା। ଲକ୍ଷ ଲକ୍ଷ ଶ୍ରଦ୍ଧାଳୁଙ୍କ ସମାଗମ ହେଉଥିବା ରଥଯାତ୍ରା ସମୟରେ କିପରି ଅଧିକ ମାନବିକ, ସମ୍ବେଦନଶୀଳ ଓ ସେବାଭାବପୂର୍ଣ୍ଣ ଭାବେ କାର୍ଯ୍ୟ କରାଯିବ, ସେନେଇ ପୋଲିସ ଅଧିକାରୀ ଓ କର୍ମଚାରୀଙ୍କୁ ଦିଆଯାଇଛି ବିଶେଷ ତାଲିମ।
ପୁରୀ ଏସ୍ପି ପ୍ରତୀକ ସିଂଙ୍କ ନେତୃତ୍ୱରେ ଆୟୋଜିତ ଏହି କର୍ମଶାଳାରେ ବହୁ ବରିଷ୍ଠ ପୋଲିସ ଅଧିକାରୀ, ଏବଂ ଶ୍ରୀମନ୍ଦିର ସୁରକ୍ଷା ବ୍ୟବସ୍ଥା ସହ ଜଡିତ କର୍ମଚାରୀମାନେ ଯୋଗଦେଇଥିଲେ। କର୍ମଶାଳାରେ ହାଇଟେକ୍ ମେଡିକାଲ୍ କଲେଜ ଓ ହସ୍ପିଟାଲର ବିଶେଷଜ୍ଞ ଡାକ୍ତରମାନେ ରିସୋର୍ସ ପର୍ସନ୍ ଭାବେ ଯୋଗଦେଇ ଜନଗହଳିର ମନସ୍ତତ୍ତ୍ୱ, ଚାପପୂର୍ଣ୍ଣ ପରିସ୍ଥିତିରେ ପୋଲିସର ଭୂମିକା ଏବଂ ପ୍ରଭାବଶାଳୀ ଯୋଗାଯୋଗ କୌଶଳ ସମ୍ପର୍କରେ ବିସ୍ତୃତ ଆଲୋଚନା କରିଥିଲେ।
ବିଶେଷକରି ରଥଯାତ୍ରା ଭଳି ବିଶାଳ ଧାର୍ମିକ ସମାବେଶରେ ଧୈର୍ଯ୍ୟ, ସହନଶୀଳତା ଓ ଉତ୍ତମ ଆଚରଣ ହିଁ ସଫଳ ଜନଗହଳି ପରିଚାଳନାର ଚାବିକାଠି ବୋଲି ବକ୍ତାମାନେ ମତ ଦେଇଥିଲେ। ଭିଡ଼ ମଧ୍ୟରେ ହଜିଯାଇଥିବା ଲୋକଙ୍କୁ ସହାୟତା, ବୃଦ୍ଧ, ମହିଳା ଓ ଦିବ୍ୟାଙ୍ଗ ଭକ୍ତଙ୍କ ପ୍ରତି ସମ୍ବେଦନଶୀଳ ବ୍ୟବହାର, ଜରୁରୀକାଳୀନ ସ୍ଥିତିର ମୁକାବିଲା ଏବଂ ଦର୍ଶନ ବ୍ୟବସ୍ଥାକୁ ସୁଚାରୁ ରଖିବା ଭଳି ବିଷୟ ଉପରେ ବ୍ୟବହାରିକ ପରାମର୍ଶ ଦିଆଯାଇଥିଲା।
କର୍ମଶାଳାକୁ ସମ୍ବୋଧିତ କରି ଏସ୍ପି ପ୍ରତୀକ ସିଂ କହିଥିଲେ, “ରଥଯାତ୍ରା ସମୟରେ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ ପୁରୀ ଆସିଥାନ୍ତି। ସେମାନଙ୍କ ସହ ପୋଲିସର ବ୍ୟବହାର ହିଁ ପୁରୀ ପୋଲିସର ପ୍ରକୃତ ପରିଚୟ। ତେଣୁ ପ୍ରତ୍ୟେକ କର୍ମଚାରୀଙ୍କୁ ଜନବନ୍ଧୁ ପୋଲିସିଂର ମନୋଭାବ ନେଇ କାର୍ଯ୍ୟ କରିବାକୁ ହେବ।”
ଅବସରପ୍ରାପ୍ତ ବରିଷ୍ଠ ପୋଲିସ ଅଧିକାରୀ ଜ୍ଞାନରଞ୍ଜନ ମହାପାତ୍ର ମଧ୍ୟ ନିଜ ଅନୁଭୂତି ବାଣ୍ଟି କହିଥିଲେ ଯେ, ଭଲ ଆଚରଣ ଓ ମାନବିକ ଦୃଷ୍ଟିଭଙ୍ଗୀ ପୋଲିସ ଓ ଜନସାଧାରଣଙ୍କ ମଧ୍ୟରେ ବିଶ୍ୱାସର ସେତୁ ଗଢ଼ିଥାଏ।
ରଥଯାତ୍ରା-୨୦୨୬କୁ ସୁରକ୍ଷିତ, ଶାନ୍ତିପୂର୍ଣ୍ଣ, ସୁଶୃଙ୍ଖଳ ଓ ଭକ୍ତମାନଙ୍କ ପାଇଁ ସ୍ମରଣୀୟ କରିବା ଲକ୍ଷ୍ୟରେ ପୁରୀ ପୋଲିସର ଏହି ପଦକ୍ଷେପକୁ ଗୁରୁତ୍ୱପୂର୍ଣ୍ଣ ବୋଲି ମନେ କରାଯାଉଛି। ଏଥର କେବଳ ସୁରକ୍ଷା ନୁହେଁ, ବରଂ ‘ସେବା ଓ ସମ୍ବେଦନଶୀଳତା’କୁ ମଧ୍ୟ ପ୍ରାଥମିକତା ଦେବାକୁ ପ୍ରସ୍ତୁତ ହୋଇଛି ପୁରୀ ପୋଲିସ।