ଅହମ୍ମଦାବାଦ: ଆଜି ଟି-୨୦ ବିଶ୍ୱକପ୍ ୨୦୨୬ର ଫାଇନାଲ୍ ମ୍ୟାଚ୍ ଅହମ୍ମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଖେଳାଯିବ । ଟାଇଟଲ୍ ଟ୍ରଫି ପାଇଁ ମୁହାଁମୁହିଁ ହେବେ ଡିଫେଣ୍ଡିଂ ଚାମ୍ପିଅନ ଭାରତ ଓ ନ୍ୟୁଜିଲାଣ୍ଡ । ସୁପର ୮ ଓ ସେମି ଫାଇନାଲରେ ଭାରତୀୟ ଦଳ ବିନା କୌଣସି ପରିବର୍ତ୍ତନରେ ମଇଦାନକୁ ଓହ୍ଲାଇଥିଲା । ମାତ୍ର ଫାଇନାଲରେ ଗୋଟିଏ କିମ୍ବା ଦୁଇଟି ପରିବର୍ତ୍ତନ ହୋଇପାରେ । ଅଧିନାୟକ ସୂର୍ଯ୍ୟକୁମାର ଯାଦବ ମଧ୍ୟ ଗତକାଲି ସାମ୍ବାଦିକ ସମ୍ମିଳନୀରେ କହିଥିଲେ ଯେ, ମ୍ୟାଚ୍ ଦିନ ଜଣା ପଡିବ କିଏ ଖେଳିବେ ଏବଂ କିଏ ନ ଖେଳିବେ ।
ସେମିତିରେ ଭାରତୀୟ ଦଳ ବେଶ ସନ୍ତୁଳିତ ରହିଛି । କିନ୍ତୁ ଦୁଇ ନମ୍ବର ଖେଳାଳିଙ୍କ ଫର୍ମ ଚିନ୍ତାର କାରଣ ପାଲଟିଛି । ଆଇସିସି ଟି-୨୦ ମାନ୍ୟତାରେ ଏକ ନମ୍ବର ବ୍ୟାଟର ଅଭିଷେକ ଶର୍ମା ଓ ଏକ ନମ୍ବର ବୋଲର ବରୁଣ ଚକ୍ରବର୍ତ୍ତୀ ସଂପ୍ରତି ଖରାପ ଫର୍ମ ଦେଇ ଗତି କରୁଛନ୍ତି । ଅଭିଷେକ ଶର୍ମାଙ୍କୁ ପୁଣି ଥରେ ସୁଯୋଗ ମିଳିବାର ସମ୍ଭାବନା ରହିଛି । ମାତ୍ର ବରୁଣଙ୍କୁ ଆଜିର ଟାଇଟଲ୍ ମ୍ୟାଚରେ ବାଦ୍ ଦିଆଯାଇପାରେ । ମାତ୍ର ଅଧିନାୟକ ବରୁଣଙ୍କୁ ବାଦ ଦେବା ସପକ୍ଷରେ ନାହାନ୍ତି ।
ଅନ୍ୟପଟେ ବରୁଣ ଚକ୍ରବର୍ତ୍ତୀଙ୍କ ସ୍ଥାନରେ କୁଲଦୀପ ଯାଦବଙ୍କୁ ସୁଯୋଗ ମିଳିବାର ସମ୍ଭାବନା ରହିଛି । କିନ୍ତୁ ଟସ୍ ପଡିବା ପୂର୍ବରୁ ଏହା ସ୍ଥିର ହେବ ଯେ, କାହାକୁ ଚୂଡାନ୍ତ ଏକାଦଶରେ ସ୍ଥାନ ମିଳିବ । ଯଦି ଅଭିଷେକ ଶର୍ମାଙ୍କୁ ବାଦ୍ ଦିଆଯାଏ ତେବେ ରିଙ୍କୁ ସିଂଙ୍କୁ ସ୍ଥାନ ମିଳିବ । ଏଥିରେ ଅନେକ ଖେଳାଳିଙ୍କ ବ୍ୟାଟିଂ କ୍ରମ ପରିବର୍ତ୍ତନ କରିବାକୁ ପଡିବ । ତେବେ ଅଭିଷେକ ଫର୍ମରେ ନ ଥିଲେ ବି ତାଙ୍କୁ ଆଉ ଥରେ ସୁଯୋଗ ମିଳିପାରେ ।
ଭାରତର ସମ୍ଭାବିତ ଏକାଦଶ
ଅଭିଷେକ ଶର୍ମା, ସଞ୍ଜୁ ସାମସନ(ୱିକେଟ୍ କିପର), ଇଶାନ କିଶନ, ସୂର୍ଯ୍ୟକୁମାର ଯାଦବ(ଅଧିନାୟକ), ତିଳକ ବର୍ମା, ହାର୍ଦ୍ଦିକ ପାଣ୍ଡ୍ୟା, ଶିବମ ଦୁବେ, ଅକ୍ଷର ପଟେଲ, ବରୁଣ ଚକ୍ରବର୍ତ୍ତୀ/କୁଲଦୀପ ଯାଦବ, ଯଶପ୍ରୀତ ବୁମରା ଓ ଅର୍ଶଦୀପ ସିଂ ।