ନୂଆଦିଲ୍ଲୀ: ଇଂଲଣ୍ଡ ବିପକ୍ଷ ଏଜବାଷ୍ଟନ ଟେଷ୍ଟରେ ଶୁଭମନ ଗିଲଙ୍କ ନେତୃତ୍ୱରେ ଭାରତୀୟ ଦଳ ଇତିହାସ ରଚିଛି । ଯାହା କେବେ ହୋଇ ନ ଥିଲା ତାହା କରି ଦେଖାଇଛି ଯୁବ ଭାରତୀୟ ବାହିନୀ । ଆଉ ୫୮ ବର୍ଷ ପ୍ରତୀକ୍ଷାର ଅନ୍ତ ଘଟିଛି । ଭାରତ ପାଇଁ ବର୍ମିଂହାମର ଏଜବାଷ୍ଟନ ଗ୍ରାଉଣ୍ଡ ଏକ ଅଭେଦ୍ୟ ଗଡ ଥିଲା, ଯାହାକୁ ଗିଲ୍ ବାହିନୀ ଧ୍ୱସ୍ତ କରିଛନ୍ତି । ଐତିହାସିକ ବିଜୟ ପରେ ସାମ୍ବାଦିକ ସମ୍ମିଳନୀ କରିଥିଲେ ଗିଲ୍ । ଏହି ସମୟରେ ସେ ଏଜବାଷ୍ଟନର ରେକର୍ଡ ଉଲ୍ଲେଖ କରି ଭାରତକୁ କଟାକ୍ଷ କରିଥିବା ସାମ୍ବାଦିକ ବିଷୟରେ ପଚାରିଥିଲେ ଗିଲ୍ । ଆରେ କୁଆଡେ ଗଲେ ମୋର ପସନ୍ଦର ସାମ୍ବାଦିକ, କାହିଁ ତ ଦେଖା ଯାଉ ନାହାନ୍ତି ?
ପ୍ରେସ କନଫରେନ୍ସ ସମୟରେ ଗିଲ୍ ସାମ୍ବାଦିକଙ୍କ ପ୍ରଶ୍ନର ସମସ୍ତ ଉତ୍ତର ରଖିଥିଲେ । ଏହି ସମୟରେ ସେ ଇଂଲଣ୍ଡର ଉକ୍ତ ସାମ୍ବାଦିକଙ୍କୁ ଖୋଜିବାରେ ଲାଗିଲେ ଯିଏ ଏଜବାଷ୍ଟନରେ ଭାରତର ଖରାପ ରେକର୍ଡକୁ ନେଇ ଭାରତୀୟ ଦଳର ମଜାକ ଉଡାଇବା ଶୈଳୀରେ ପ୍ରଶ୍ନ କରିଥିଲେ । ଗିଲ୍ ଯେବେ ସାମ୍ବାଦିକ ସମ୍ମିଳନୀରେ ଉକ୍ତ ସାମ୍ବାଦିକଙ୍କୁ ଦେଖିବାକୁ ପାଇଲେ ନାହିଁ ସେଠାରେ ଉପସ୍ଥିତ ଅନ୍ୟ ସାମ୍ବାଦିକଙ୍କୁ ପଚାରିଥିଲେ, ମୋର ପସନ୍ଦର ସାମ୍ବାଦିକ ଗଲେ କୁଆଡେ । ସେ କୁଆଡେ ଗଲେ ?
ପ୍ରଥମ ଇନିଂସରେ ଦ୍ୱିଶଥକ ଏବଂ ଦ୍ୱିତୀୟ ଇନିଂସରେ ୧୫୦ରୁ ରନ କରି ଇତିହାସ ରଚିଥିବା ଗିଲ୍ କହିଛନ୍ତି, ମୁଁ ଟେଷ୍ଟ ମ୍ୟାଚ୍ ପୂର୍ବରୁ କହିଥିଲି ଯେ, ମୁଁ ଇତିହାସ ଏବଂ ରେକର୍ଡରେ ବିଶ୍ୱାସ କରେ ନାହିଁ । ଗତ ୫୬ କିମ୍ବା ଅଧିକ ବର୍ଷରେ ଆମେ ଏଠାରେ ୯ଟି ମ୍ୟାଚ୍ ଖେଳିଛୁ । ଆମର ଭିନ୍ନ ଭିନ୍ନ ଦଳ ଏଠାକୁ ଆସିଛନ୍ତି । ମୋତେ ଲାଗୁଛି ଇଂଲଣ୍ଡ ଆସିଥିବା ଆମର ଏହି ଦଳ ଶ୍ରେଷ୍ଠ ଅଟେ । ଆମ ପାଖରେ ଘରୋଇ ଦଳକୁ ହରାଇ ସିରିଜ ଜିତିବାର କ୍ଷମତା ରହିଛି ।
ଗିଲ୍ କହିଛନ୍ତି, ଯଦି ଆମେ ସଠିକ୍ ନିଷ୍ପତ୍ତି ନେବା ଜାରି ରଖୁ ଏବଂ ଏମିତି ଲଢି ଚାଲିବୁ ତେବେ ମୋତେ ଲାଗୁଛି ଏହି ସିରିଜ୍ ଆମ ପାଇଁ ସବୁଠୁ ସ୍ମରଣୀୟ ସିରିଜ୍ ମଧ୍ୟରୁ ଏକ ହେବ । ଏଜବାଷ୍ଟନରେ ପ୍ରଥମ ବିଜୟ ପୂର୍ବରୁ ଭାରତ ଏଠାରେ ୮ଟି ମ୍ୟାଚ୍ ଖେଳି ୭ଟିରେ ହାରିଥିଲା ଏବଂ ଗୋଟିଏ ଡ୍ର ରହିଥିଲା । ଏବେ ଟିମ୍ ଇଣ୍ଡିଆ ଏହି ଅଜୟ ଦୁର୍ଗକୁ କବଜା କରିଛି ।