ନୂଆଦିଲ୍ଲୀ: ଆଇପିଏଲ୍ ୨୦୨୫ରେ ଦମଦାର ପ୍ରଦର୍ଶନ କରୁଥିବା ଗୁଜରାଟ ଟାଇଟନ୍ସ ଦଳକୁ ଲାଗିଲା ବଡ ଝଟକା । ଦଳର ପ୍ରୁମଖ ସଦସ୍ୟ ନ୍ୟୁଜିଲାଣ୍ଡର ଦମଦାର ଅଲରାଉଣ୍ଡର ଗ୍ଲେନ ଫିଲିପ୍ସ ଆହତ କାରଣରୁ ପୂରା ସିଜିନରୁ ବାଦ୍ ପଡିଛନ୍ତି । ଏପ୍ରିଲ ୬ ତାରିଖ ହାଇଦ୍ରାବାଦ ବିପକ୍ଷ ମ୍ୟାଚରେ ଫିଲିପ୍ସ ଆହତ ହୋଇଥିଲେ । ତାଙ୍କର ଆହତ ସମସ୍ୟା ଏତେ ଗମ୍ଭୀର ଯେ, ଚଳିତ ସଂସ୍କରଣରୁ ବାହାରି ଯାଇଛନ୍ତି । ଗୁଜରାଟ ଟାଇଟନ୍ସ ଓ ଲଖନଉ ସୁପର ଜାଏଣ୍ଟସ ମ୍ୟାଚର ଠିକ୍ ପୂର୍ବରୁ ଏହି ଖବର ଆସିଛି ।
ଏହାକୁ ନେଇ ଫ୍ରାଞ୍ଚାଇଜ ପ୍ରେସ ବିବୃତି ଜାରି କରିଛି । ଏଥିରେ ଗ୍ଲେନ ଫିଲିପ୍ସଙ୍କ ଶୀଘ୍ର ସୁସ୍ଥ କାମନା କରାଯାଇଛି । ଆଇପିଏଲର ମେଗା ନିଲାମରେ ଗୁଜରାଟ ଟାଇଟନ୍ସ ଗ୍ଲେନ ଫିଲିପ୍ସଙ୍କୁ ତାଙ୍କର ବେସ ପ୍ରାଇସ୍ ୨ କୋଟି ଟଙ୍କାରେ କିଣିଥିଲା । ଫିଲିପ୍ସ ଚାମ୍ପିଅନ୍ସ ଟ୍ରଫିରେ ଦମଦାର ପ୍ରଦର୍ଶନ କରିଥିଲେ । ଏହି ଟୁର୍ଣ୍ଣାମେଣ୍ଟରେ ଭାରତ ନ୍ୟୁଜିଲାଣ୍ଡକୁ ହରାଇ ଟ୍ରଫି ଜିତିଥିଲା । ଆଶା କରାଯାଉଥିଲା ଫିଲିପ୍ସ ଆଇପିଏଲର ଆରମ୍ଭରୁ ଗୁଜରାଟ ଟାଇଟନ୍ସର ଚୂଡାନ୍ତ ଏକାଦଶରେ ରହିବେ । କିନ୍ତୁ ତାଙ୍କୁ ଗୋଟିଏ ହେଲେ ମ୍ୟାଚରେ ଖେଳିବାର ସୁଯୋଗ ମିଳି ନ ଥିଲା । ହେଲେ ହାଇଦ୍ରାବାଦ ବିପକ୍ଷ ମ୍ୟାଚରେ ଫିଲ୍ଡିଂ ସମୟରେ ତାଙ୍କୁ ଆଘାତ ଲାଗିଥିଲା । ଆଘାତ ଗୁରୁତର ଥିବାରୁ ସେ ପୂରା ସିଜିନରୁ ବାଦ୍ ପଡିଛନ୍ତି ।
ନ୍ୟୁଜିଲାଣ୍ଡର ଏହି ଷ୍ଟାର ଅଲରାଉଣ୍ଡର ସ୍ୱଦେଶ ଫେରି ଯାଇଛନ୍ତି । ଏହା ପୂର୍ବରୁ ଦକ୍ଷିଣ ଆଫ୍ରିକାର ଦ୍ରୁତ ବୋଲର କାଗିସୋ ରାବଡା ବ୍ୟକ୍ତିଗତ କାରଣରୁ ଦଳ ଛାଡି ସ୍ୱଦେଶ ଫେରି ଯାଇଥିଲେ । ଫିଲିପ୍ସ ଏ ପର୍ଯ୍ୟନ୍ତ ଆଇପିଏଲରେ ୮ଟି ମ୍ୟାଚ୍ ଖେଳିଛନ୍ତି । ୨୦୨୧ରେ ସେ ଆଇପିଏଲରେ ଡେବ୍ୟୁ କରିଥିଲେ । ଉକ୍ତ ସିଜିନରେ ସେ ମାତ୍ର ୩ଟି ମ୍ୟାଚ୍ ଖେଳି ପାରି ଥିଲେ । ଏହା ପରେ ୨୦୨୩ରେ ତାଙ୍କୁ ପୁନର୍ବାର ଖେଳିବାର ସୁଯୋଗ ମିଳିଥିଲା ଏବଂ ଉକ୍ତ ସିଜିନରେ ସେ ୫ଟି ମ୍ୟାଚ୍ ଖେଳିଥିଲେ ।