ଏଜବାଷ୍ଟନ: ଏଜବାଷ୍ଟନରେ ଇତିହାସ ରଚିଛି ଭାରତୀୟ ଦଳ। ଦ୍ୱିତୀୟ ଟେଷ୍ଟରେ ଇଂଲଣ୍ଡକୁ ୩୩୬ ରନରେ ପରାସ୍ତ କରି ବର୍ମିଂହାମର ଏଜବାଷ୍ଟନ ଗ୍ରାଉଣ୍ଡରେ ୫୮ ବର୍ଷ ମରୁଡ଼ିର ଅନ୍ତ ଘଟିଛି। ଏହା ସହିତ ଟିମ୍ ଇଣ୍ଡିଆ ସିରିଜକୁ ୧-୧ରେ ବରାବର କରିଛି। ବର୍ମିଂହାମରେ ଖେଳାଯାଇଥିବା ଏହି ମ୍ୟାଚରେ ଟିମ୍ ଇଣ୍ଡିଆ ଇଂଲଣ୍ଡ ଦଳ ପାଇଁ ୬୦୮ ରନର ଏକ ବିଶାଳ ଲକ୍ଷ୍ୟ ରଖିଥିଲା। ଜବାବରେ ଇଂଲଣ୍ଡ କେବଳ ୨୭୧ ରନ କରିପାରିଥିଲା। ଅଧିନାୟକ ଶୁଭମନ ଗିଲଙ୍କ ବ୍ୟତୀତ, ମହମ୍ମଦ ସିରାଜ ଏବଂ ଆକାଶଦୀପ ଭାରତର ବିଜୟରେ ଏକ ବଡ଼ ଭୂମିକା ଗ୍ରହଣ କରିଛନ୍ତି। ଗିଲ୍ ଉଭୟ ଇନିଂସରେ ଶତକ ହାସଲ କରିବା ସହ ଆକାଶ ଦୀପ ଦୁଇ ଇନିଂସରେ ୧୦ ଓ୍ଵିକେଟ୍ ଓ ସିରାଜ ୭ ଓ୍ଵିକେଟ୍ ଅକ୍ତିକାର କରିଥିଲେ।
୫୮ ବର୍ଷ ପରେ ଐତିହାସିକ ବିଜୟ
ବର୍ମିଂହାମର ଏଜବାଷ୍ଟନ୍ ଗ୍ରାଉଣ୍ଡ ଟେଷ୍ଟ ମ୍ୟାଚ୍ରେ ଭାରତ ପାଇଁ ଏକ ଦୁଃସ୍ୱପ୍ନ ପାଲଟିଥିଲା। ଟିମ୍ ଇଣ୍ଡିଆ ୧୯୬୭ରେ ଏଠାରେ ପ୍ରଥମ ଟେଷ୍ଟ ମ୍ୟାଚ୍ ଖେଳିଥିଲା, କିନ୍ତୁ ଦଳ ଏ ପର୍ଯ୍ୟନ୍ତ ଗୋଟିଏ ବି ଟେଷ୍ଟ ଜିତି ନଥିଲା। କପିଲ ଦେବ, ବିରାଟ କୋହଲି ଏବଂ ଏମଏସ ଧୋନିଙ୍କ ପରି କିମ୍ବଦନ୍ତୀ ମଧ୍ୟ ସେମାନଙ୍କ ଅଧିନାୟକତ୍ୱରେ ଏହି ଗ୍ରାଉଣ୍ଡରେ ଭାରତକୁ ବିଜୟୀ କରାଇ ପାରି ନଥିଲେ। ଏବେ ଶେଷରେ ଶୁଭମନ ଗିଲ୍ ତାଙ୍କ ଅଧିନାୟକତ୍ୱରେ ୫୮ ବର୍ଷର ପରାଜୟ ଧାରା ସମାପ୍ତ କରିଛନ୍ତି।
ଇଂଲଣ୍ଡ ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା। ଭାରତୀୟ ଦଳ ପ୍ରଥମେ ବ୍ୟାଟିଂ କରି ଅଧିନାୟକ ଶୁଭମନ ଗିଲଙ୍କ ୨୬୯ ରନ୍ ବଳରେ ୫୮୭ ରନ୍ କରିଥିଲା। ପ୍ରଥମ ଇନିଂସରେ ଟିମ୍ ଇଣ୍ଡିଆ ପାଇଁ ଯଶସ୍ୱୀ ଜୟସ୍ୱାଲ ୮୭ ଏବଂ ରବୀନ୍ଦ୍ର ଜାଡେଜା ୮୯ ରନ କରିଥିଲେ। ଜବାବରେ ହ୍ୟାରି ବ୍ରୁକ୍ ୧୫୮ ରନ୍ ଏବଂ ଜେମି ସ୍ମିଥ୍ ୧୮୪ ରନ୍ କରିଥିଲେ, କିନ୍ତୁ ସେମାନଙ୍କ ବ୍ୟତୀତ ଅନ୍ୟ କୌଣସି ବ୍ୟାଟ୍ସମ୍ୟାନ୍ ବଡ଼ ଇନିଂସ ଖେଳିପାରି ନଥିଲେ। ଫଳସ୍ୱରୂପ, ଇଂଲଣ୍ଡ ଦଳ ୪୦୭ ରନରେ ଅଲଆଉଟ୍ ହୋଇଥିଲା। ପ୍ରଥମ ଇନିଂସରେ ଭାରତ ୧୮୦ ରନର ବିଶାଳ ଅଗ୍ରଣୀ ହାସଲ କରିଥିଲା।
ଭାରତର ଦ୍ୱିତୀୟ ଇନିଂସରେ ବ୍ୟାଟରମାନେ ଦ୍ରୁତ ଗତିରେ ରନ କରିଥିଲେ। ଅଧିନାୟକ ଗିଲ୍ ମଧ୍ୟ ଦ୍ୱିତୀୟ ଇନିଂସରେ ୧୬୧ ରନ୍ କରିଥିଲେ, ଯାହା ଫଳରେ ଗିଲ୍ ପୂରା ମ୍ୟାଚରେ ୪୩୦ ରନ୍ କରିଥିଲେ। ଗିଲ୍ ଗୋଟିଏ ଟେଷ୍ଟ ମ୍ୟାଚରେ ୪୦୦ ରୁ ଅଧିକ ରନ୍ କରିବାରେ ବିଶ୍ୱର କେବଳ ୫ମ ବ୍ୟାଟର ହୋଇଥିଲେ। ଦ୍ୱିତୀୟ ଇନିଂସରେ କେଏଲ୍ ରାହୁଲ (୫୫), ରିଷଭ ପନ୍ତ (୬୫) ଏବଂ ରବୀନ୍ଦ୍ର ଜାଡେଜା (୬୯) ଏହି ତିନି ବ୍ୟାଟର ଅର୍ଦ୍ଧଶତକ ହାସଲ କରିଥିଲେ। ଭାରତ ୪୨୭ ରନରେ ଦ୍ୱିତୀୟ ଇନିଂସ ଘୋଷଣା କରିଥିଲା।
ଚତୁର୍ଥ ଇନିଂସରେ ଇଂଲଣ୍ଡକୁ ୬୦୮ ରନର ଟାର୍ଗେଟ ମିଳିଥିଲା। ଟାର୍ଗେଟର ପିଛା କରୁଥିବା ସମୟରେ ଇଂଲଣ୍ଡ ଦଳର ଅଧା ଖେଳାଳି ୮୪ ରନରେ ପ୍ୟାଭିଲିୟନ ଫେରିଯାଇଥିଲେ। ପଞ୍ଚମ ଦିନରେ ଇଂଲଣ୍ଡର ବ୍ୟାଟସମ୍ୟାନମାନେ ପଡ଼ିଆକୁ ଆସିବା ପରେ ପ୍ରଥମ ଘଣ୍ଟାରେ ସ୍ପଷ୍ଟ ହୋଇଥିଲା ଯେ ଇଂଲଣ୍ଡ ଦଳ ଡ୍ର କରିବା ଉଦ୍ଦେଶ୍ୟରେ ବ୍ୟାଟିଂ କରୁଛି। ବେନ୍ ଷ୍ଟୋକ୍ସ ଏବଂ ଜେମି ସ୍ମିଥ୍ ଦୀର୍ଘ ସମୟ ଧରି ଭାରତକୁ ବିଜୟରୁ ଦୂରେଇ ରଖିବାକୁ ଚେଷ୍ଟା କରିଥିଲେ, କିନ୍ତୁ ସଫଳ ହୋଇନଥିଲେ। ଷ୍ଟୋକ୍ସ ଆଉଟ୍ ହେବା ପରେ ଇଂଲଣ୍ଡ ନିୟମିତ ବ୍ୟବଧାନରେ ୱିକେଟ ହରାଇ ଚାଲିଥିଲା। ଜେମି ସ୍ମିଥ ଦଳ ପକ୍ଷରୁ ଦ୍ଵିତୀୟ ଇନିଂସରେ ସର୍ବାଧିକ ୮୮ ରନ କରିଥିଲେ। ଅଧିନାୟକ ବେନ ଷ୍ଟୋକ୍ସ ୩୩ ରନ, ହ୍ୟାରି ବ୍ରୁକ ୨୩ ରନ, ବେନ ଡକେଟ୍ ୨୫ ରନ, ଓଲି ପପ୍ ୨୪ ରନ ଓ ବ୍ରାଇଡନ କାର୍ସ ୩୮ ରନ କରିଥିଲେ। ଦ୍ଵିତୀୟ ଇନିଂସରେ ଭାରତ ପକ୍ଷରୁ ମହମ୍ମଦ ସିରାଜ ୬ଟି ଓ୍ଵିକେଟ୍ ନେଇଛନ୍ତି।