ନୂଆଦିଲ୍ଲୀ: ଏଜବାଷ୍ଟନ ଟେଷ୍ଟର ଦ୍ୱିତୀୟ ଇନିଂସରେ ଭାରତର ଟେଷ୍ଟ ଦଳର ଅଧିନାୟକ ଶୁଭମନ ଗିଲ ଶତକ ହାସଲ କରିଛନ୍ତି। ଗିଲ ୧୨୯ ବଲରେ ୯ ଚୌକା ଏବଂ ୩ ଛକା ମାରି ଏହି ଶତକ ହାସଲ କରିଛନ୍ତି। ଏହି ଶତକ ସହ ଗିଲ ଭାରତର କିମ୍ବଦନ୍ତୀ ଖେଳାଳି ସୁନୀଲ ଗାଭାସ୍କରଙ୍କ ରେକର୍ଡର ସମକକ୍ଷ ହୋଇଛନ୍ତି। ସୁନୀଲ ଗାଭାସ୍କର ଏକମାତ୍ର ଭାରତୀୟ ଖେଳାଳି ଥିଲେ ଯିଏ ଗୋଟିଏ ଟେଷ୍ଟ ମ୍ୟାଚରେ ଦ୍ୱିଶତକ ଏବଂ ଶତକ ହାସଲ କରିଥିଲେ। ଏବେ ଶୁଭମନ ଗିଲ ଏହି ରେକର୍ଡ ନିଜ ନାମରେ କରିଛନ୍ତି।
ଉଲ୍ଲେଖଯୋଗ୍ୟ, ୫୪ ବର୍ଷ ପରେ ପ୍ରଥମ ଥର ପାଇଁ ଜଣେ ଭାରତୀୟ ଖେଳାଳି ଟେଷ୍ଟ ମ୍ୟାଚ୍ରେ ଦ୍ୱିଶତକ ଏବଂ ଶତକ ହାସଲ କରିଛନ୍ତି। ଏହା ପୂର୍ବରୁ ୧୯୭୧ ମସିହାରେ ସୁନୀଲ ଗାଭାସ୍କର ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ଏକ ଟେଷ୍ଟ ମ୍ୟାଚ୍ରେ ଦ୍ୱିଶତକ ହାସଲ କରିଥିଲେ।
ଇଂଲଣ୍ଡ ଗସ୍ତରେ ଶୁଭମନ ଗିଲଙ୍କ ବ୍ୟାଟ୍ ଗର୍ଜୁଛି। ଏଜବାଷ୍ଟନରେ ଖେଳାଯାଉଥିବା ଦ୍ଵିତୀୟ ଟେଷ୍ଟରେ ଗିଲ୍ ଏହି ମ୍ୟାଚର ଉଭୟ ଇନିଂସରେ ୩୫୦ ରନରୁ ଅଧିକ ରନ କରିଛନ୍ତି। ଗିଲ୍ ପ୍ରଥମ ଇନିଂସରେ ୩୮୭ ବଲରୁ ୨୬୯ ରନ କରିଥିଲେ। ଏଥିରେ ୩୦ ଚୌକା ଏବଂ ୩ ଛକା ସାମିଲ। ଗିଲ୍ ଦ୍ୱିତୀୟ ଇନିଂସରେ ବି ଦମଦାର ବ୍ୟାଟିଂ କରି କ୍ରମାଗତ ଶତକ ହାସଲ କରିଛନ୍ତି। ଅଧିନାୟକ ଦ୍ୱିତୀୟ ଇନିଂସରେ ବି ଶତକ ଅର୍ଜନ କରିଛନ୍ତି।
ଶୁଭମନ ଗିଲ ନିଜର ଏହି ଶତକୀୟ ଇନିଂସରେ ଅନେକ ରେକର୍ଡ ଭାଙ୍ଗିଛନ୍ତି। ସେ ଏବେ ଭାରତ ପାଇଁ ଗୋଟିଏ ଟେଷ୍ଟ ମ୍ୟାଚ୍ରେ ସର୍ବାଧିକ ରନ୍ କରିଥିବା ଖେଳାଳି ହୋଇ ପାରିଛନ୍ତି। ପୂର୍ବରୁ ଏହି ରେକର୍ଡ ସୁନୀଲ ଗାଭାସ୍କରଙ୍କ ନାମରେ ଥିଲା। ଗାଭାସ୍କର ୧୯୭୧ ମସିହାରେ ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ଏକ ଟେଷ୍ଟ ମ୍ୟାଚ୍ରେ ୩୪୪ ରନ୍ କରିଥିଲେ। ଶୁଭମନ ଗିଲ ଏପର୍ଯ୍ୟନ୍ତ ଏହି ଟେଷ୍ଟ ମ୍ୟାଚ୍ରେ ୩୬୯ ରନ୍ କରିଛନ୍ତି ଏବଂ ସେ ଏବେ ବି ବ୍ୟାଟିଂ କରୁଛନ୍ତି। ଏହି ତାଲିକାରେ ଭିଭିଏସ ଲକ୍ଷ୍ମଣଙ୍କ ନାମ ତୃତୀୟ ସ୍ଥାନରେ ଅଛି। ଲକ୍ଷ୍ମଣ ୨୦୦୧ ମସିହାରେ କୋଲକାତାରେ ଅଷ୍ଟ୍ରେଲିଆ ବିପକ୍ଷରେ ୩୪୦ ରନ କରିଥିଲେ।
ଗୋଟିଏ ଟେଷ୍ଟ ମ୍ୟାଚ୍ରେ ଜଣେ ଭାରତୀୟଙ୍କ ଦ୍ୱାରା ସର୍ବାଧିକ ରନ୍
୩୬୯* - ଶୁଭମନ ଗିଲ୍ ବନାମ ଇଂଲଣ୍ଡ, ବର୍ମିଂହାମ, ୨୦୨୫
୩୪୪ - ସୁନୀଲ ଗାଭାସ୍କର ବନାମ ୱେଷ୍ଟଇଣ୍ଡିଜ୍, ପୋର୍ଟ ଅଫ୍ ସ୍ପେନ୍, ୧୯୭୧
୩୪୦ - ଭିଭିଏସ୍ ଲକ୍ଷ୍ମଣ ବନାମ ଅଷ୍ଟ୍ରେଲିଆ, କୋଲକାତା, ୨୦୦୧
୩୩୦ - ସୌରଭ ଗାଙ୍ଗୁଲି ବନାମ ପାକିସ୍ତାନ, ବେଙ୍ଗାଲୁରୁ, ୨୦୦୭
୩୧୯ - ବୀରେନ୍ଦ୍ର ସେହୱାଗ ବନାମ ଦକ୍ଷିଣ ଆଫ୍ରିକା, ଚେନ୍ନାଇ, ୨୦୦୮