ନୂଆଦିଲ୍ଲୀ: ଶୁଭମନ ଗିଲଙ୍କ ନେତୃତ୍ୱାଧୀନ ଭାରତୀୟ ଦଳ ରବିବାର ଇତିହାସ ରଚିବାର ଦ୍ୱାର ଦେଶରେ ରହିଛି । ମହମ୍ମଦ ସିରାଜ, ଆକାଶ ଦୀପ, ପ୍ରସିଦ୍ଧ କୃଷ୍ଣ ଆଦି ଭାରତୀୟ ବୋଲରଙ୍କୁ ଆଜି ୭ ୱିକେଟ୍ ଦରକାର । ମାତ୍ର ଆଜି ଏଜବାଷ୍ଟନରେ ପାଣିପାଗ ଭାରତ ବିରୋଧରେ ରହିଛି ।
ଭାରତୀୟ କ୍ରିକେଟ୍ ଦଳ ଏଜବାଷ୍ଟନ ଗ୍ରାଉଣ୍ଡରେ କେବେ ଟେଷ୍ଟ ମ୍ୟାଚ୍ ଜିତି ନାହିଁ । ଏହା ପୂର୍ବରୁ ଏହି ଗ୍ରାଉଣ୍ଡରେ ୮ଟି ଖେଳି ଭାରତୀୟ ଦଳ ୭ଟି ହାରିଥିବା ବେଳେ ଗୋଟିଏ ମ୍ୟାଚ୍ ଡ୍ର ରହିଥିଲା । ମାତ୍ର ଆଜି ଶୁଭମନ ଗିଲଙ୍କ ଟିମ୍ ଇଣ୍ଡିଆ ଇତିହାସ ରଚିପାରେ । ଇଂଲଣ୍ଡକୁ ଜିତିବା ପାଇଁ ୫୩୬ ରନ ଦରକାର ଯାହା ଅସମ୍ଭବ । ଅନ୍ୟପଟେ ଭାରତକୁ ମ୍ୟାଚ୍ ଜିତିବା ପାଇଁ ଦରକାର ୭ ୱିକେଟ୍ । ଇଂଲଣ୍ଡ ଚତୁର୍ଥ ଦିନରେ ଖେଳ ଶେଷ ହେବା ସୁଦ୍ଧା ୭୨ ରନର ୩ ୱିକେଟ୍ ହରାଇି । ଏହି ମ୍ୟାଚରେ ଯେଉଁଭଳି ଭାବେ ସିରାଜ ଓ ଆକାଶ ଦୀପଙ୍କ ପ୍ରଦର୍ଶନ ରହିଛି, ତାହା ଦେଖି ଲାଗୁଛି ଭାରତକୁ ବିଜୟରେ କଷ୍ଟ ହେବନି । ପାଣି ପାଣିପାଗ ଭାରତ ଦୃଷ୍ଟିକୋଣରୁ ଠିକ୍ ନାହିଁ ।
ଆଜି ଏଜବାଷ୍ଟନରେ ବର୍ଷା ହେବାର ସମ୍ଭାବନା ରହିଛି । ପ୍ରଥମ ସେସନରେ ବର୍ଷା ସମ୍ଭାବନା ୪୦ ପ୍ରତିଶତ ରହିଛି । ଯଦି ଗୋଟିଏ ସେସନ ବର୍ଷାରେ ଧୋଇ ହୋଇଯାଏ ତେବେ ଇଂଲଣ୍ଡକୁ ବହୁତ ଆଶ୍ୱସ୍ତି ମିଳିବ । ଦଳ ମ୍ୟାଚକୁ ଡ୍ର କରାଇପାରେ । ଏହା ସହିତ ଦ୍ୱିତୀୟ ଏବଂ ତୃତୀୟ ସେସନରେ ବର୍ଷା ହେବାର ସମ୍ଭାବନା ରହିଛି । କିନ୍ତୁ ବର୍ଷା ହେଲେ ପରିବେଶ ଭାରତୀୟ ବୋଲରଙ୍କ ପାଇଁ ଅନୁକୂଳ ରହିବ ।
ଆଜି ଏଜବାଷ୍ଟନରେ ଦ୍ରୁତ ଗତିରେ ପବନ ପ୍ରବାହିତ ହେଉଛି । ଏହାର ଫାଇଦା ଆକାଶ ଦୀପ, ମହମ୍ମଦ ସିରାଜଙ୍କୁ ମିଳିପାରେ । ଦ୍ୱିତୀୟ ଓ ତୃତୀୟ ସେସନରେ ପବନର ଗତି ଘଣ୍ଟା ପ୍ରତି ୨୦ କିମି ରହିପାରେ । ଏଥିରେ ବଲ୍ ସୁଇଙ୍ଗ ହେବ । ଭାରତୀୟ ବୋଲର ଯେଉଁଭଳି ଏହି ଟେଷ୍ଟରେ ବୋଲିଂ କରିଛନ୍ତି, ସେଥିରେ ଯଦି ଦୁଇ ସେସନ ପୂରା ଖେଳ ହେବ ତେବେ ଦଳ ୭ ୱିକେଟ୍ ସହଜରେ ନେଇ ପାରିବ ।