ନୂଆଦିଲ୍ଲୀ: ବାଜବଲ ଶୈଳୀରେ କ୍ରିକେଟ୍ ଖେଳୁଥିବା ଇଂଲଣ୍ଡ ଦଳ କଣ ଏଜବାଷ୍ଟନ ଟେଷ୍ଟ ଡ୍ର କରାଇବା ପାଇଁ ଖେଳିବ ? କାରଣ ଦଳକୁ ଶେଷ ଦିନରେ ଜିତିବ ପାଇଁ ୫୩୬ ରନ ଦରକାର ଏବଂ ଦଳ ଚତୁର୍ଥ ଦିନରେ ୩ ୱିକେଟ୍ ହରାଇ ୭୨ ରନ କରିଛି । ଇଂଲଣ୍ଡର ବ୍ୟାଟିଂ କୋଚ୍ ମାର୍କସ ଟ୍ରେସ୍କୋଥିକ ଡ୍ର ଖେଳିବାର ସମ୍ଭାବନାକୁ ଏଡାଇ ନ ଥିଲେ ବି କହିଛନ୍ତି ଯେ, ଦଳ ଏତେ ମୁର୍ଖ ନାହିଁ ଯେ, କେବଳ ପରାଜୟ ଏବଂ ଜିତିବା ପାଇଁ ଖେଳିବ । ଯଦି ବିଜୟ ମିଳୁନି ତେବେ ଡ୍ର ପାଇଁ ଖେଳା ଯାଇ ପାରିବ ।
ଚତୁର୍ଥ ଦିନର ଖେଳ ସମାପ୍ତ ପରେ ଇଂଲଣ୍ଡର ବ୍ୟାଟିଂ କୋଚ୍ ମାର୍କସ ଟ୍ରେସ୍କୋଥିକ କହିଛନ୍ତି, ମୋତେ ଲାଗୁଛି ଯେବେ ବି ପରିସ୍ଥିତି ଚ୍ୟାଲେଞ୍ଜିଂ ରହୁଛି ତେବେ ନିଶ୍ଚିତ ଭାବେ ଆପଣଙ୍କୁ ଧୈର୍ଯ୍ୟର ସହ ଖେଳିବାକୁ ପଡିବ । ମୋତେ ଲାଗୁଛି ଯଦି ଆପଣ ସେହି ପଏଣ୍ଟରେ ପହଞ୍ଚି ଯାଉଛନ୍ତି, ଯେଉଁଠି ଆପଣ ମ୍ୟାଚକୁ ଡ୍ର କରି ପାରିବେ । ତେବେ ନିଶ୍ଚିତ ଭାବେ ଆମେ ଦ୍ୱିତୀୟ ଟେଷ୍ଟରେ ଡ୍ର ପାଇଁ ଖେଳିବୁ । ସର୍ବଦା ଟେଷ୍ଟରେ ତିନୋଟି ପରିଣାମ ସାମ୍ନାକୁ ଆସିଥାଏ । ଯଦି ଜିତି ପାରିବୁନି ତେବେ ପରାଜୟ ଏଡାଇବାକୁ ଚେଷ୍ଟା କରିବୁ ବୋଲି ଇଂଲଣ୍ଡର ବ୍ୟାଟିଂ କୋଚ୍ କହିଛନ୍ତି ।
ଏହା ବ୍ୟତୀତ ଟ୍ରେସ୍କୋଥିକ କହିଛନ୍ତି ଯେ, ଡ୍ରେସିଂ ରୁମରେ ଡ୍ର ଉପରେ ଆଲୋଚନା ହୁଏ ନାହିଁ, ମାତ୍ର କିଛି ଖେଳାଳି ପରିସ୍ଥିତି ସହ ଭଲ ସମନ୍ୱୟ ରଖିଥାନ୍ତି । ତେଣୁ ଖେଳ ପରିସ୍ଥିତି ଅନୁସାରେ ନିଜର ଯୋଜନା ବଦଳାଇ ପାରନ୍ତି । ସୂଚନାଯୋଗ୍ୟ, ଭାରତ ଦ୍ୱିତୀୟ ଇନିଂସରେ ୪୨୭/୫ରେ ପାଳି ସମାପ୍ତି ଘୋଷଣା କରିଥିଲା । ଫଳରେ ପ୍ରଥମ ଇନିଂସ ୧୮୦ ରନ ଅଗ୍ରଣୀ ଭିତ୍ତିରେ ଇଂଲଣ୍ଡକୁ ଭାରତ ୬୦୮ ରନର ବିଶାଳ ବିଜୟ ଲକ୍ଷ୍ୟ ଦେଇଛି ।