ଏଜବାଷ୍ଟନ: ଅଧିନାୟକ ଶୁଭମନ ଗିଲଙ୍କ ଐତିହାସିକ ଟେଷ୍ଟ ଶତକ ବଳରେ ଭାରତ ଏଜବାଷ୍ଟନରେ ଖେଳା ଯାଉଥିବା ଦ୍ୱିତୀୟ ଟେଷ୍ଟରେ ପ୍ରାଧ୍ୟାନ୍ୟ ବିସ୍ତାର କରିଛି । ଭାରତ ଦ୍ୱିତୀୟ ଇନିଂସରେ ୪୨୭/୫ ଘୋଷଣା ପରେ ଇଂଲଣ୍ଡ ସମ୍ମୁଖରେ ରହିଛି ୬୦୮ ରନର ବିଶାଳ ବିଜୟ ଲକ୍ଷ୍ୟ । ଜବାବରେ ଇଂଲଣ୍ଡ ପ୍ରାରମ୍ଭିକ ଝଟକା ଖାଇ ଚତୁର୍ଥ ଦିନର ଖେଳ ଶେଷ ସୁଦ୍ଧା ୩ ୱିକେଟ୍ ହରାଇ ୭୨ ରନ କରିଛି । ଘରୋଇ ଦଳକୁ ବିଜୟ ପାଇଁ ଶେଷ ଦିନରେ ୫୩୬ ରନ ଦରକାର ଥିବା ବେଳେ ଭାରତ ଐତିହାସିକ ବିଜୟଠୁ ୭ ୱିକେଟ୍ ଦୂରରେ ରହିଛି । ଚତୁର୍ଥ ଦିନରେ ଗିଲ୍ ୧୬୧ ରନର ଇନିଂସ ଖେଳିଥିବା ବେଳେ ରବୀନ୍ଦ୍ର ଜାଡେଜା ଅପରାଜିତ ୬୯ ରନ ଓ ଋଷଭ ପନ୍ତ ବିସ୍ଫୋରକ ୬୫ ରନ କରିଥିଲେ । ବୋଲିଂରେ ଆକାଶ ଦୀପ ଇଂଲଣ୍ଡର ୨ୟ ଇନିଂସରେ ୨ଟି ୱିକେଟ୍ ନେଇ ସାରିଛନ୍ତି ।
୬୦୮ ରନର ବିଜୟ ଲକ୍ଷ୍ୟ ପିଛା କରିଥିବା ଇଂଲଣ୍ଡକୁ ଆରମ୍ଭରୁ ଝଟକା ଦେଇଥିଲେ ମହମ୍ମଦ ସିରାଜ । ଜ୍ୟାକ କ୍ରାଉଲିଙ୍କୁ ଖାତା ଖୋଲିବାକୁ ଦେଇ ନ ଥିଲେ ଏହି ବୋଲର । ଏହା ପରେ ଦ୍ରୁତ ବ୍ୟାଟିଂ କରୁଥିବା ବେନ ଡକେଟ୍(୨୫)ଙ୍କୁ ପାଭିଲିୟନର ରାସ୍ତା ଦେଖାଇଥିଲେ ଆକାଶ ଦୀପ । ତେବେ ଇଂଲଣ୍ଡକୁ ସବୁଠୁ ବଡ ଝଟକା ଲାଗିଥିଲା ଜୋ ରୁଟଙ୍କ ରୂପେ । ଏହି ବ୍ୟାଟରଙ୍କୁ କ୍ଲିନ ବୋଲ୍ଡ କରି ଦ୍ୱିତୀୟ ସଫଳତା ହାସଲ କରିଥିଲେ ଆକାଶ ଦୀପ । ଏହା ପରେ ଓଲି ପୋପ ଓ ହ୍ୟାରି ବ୍ରୁକ ସତର୍କତାର ସହ ବ୍ୟାଟିଂ କରିଥିଲେ । ଚତୁର୍ଥ ଦିନର ଷ୍ଟମ୍ପ ଅପସାରଣ ସୁଦ୍ଧା ଇଂଲଣ୍ଡ ୩ ୱିକେଟ୍ ହରାଇ ୭୨ ରନ କରିଛି । ମ୍ୟାଚରେ ଭାରତର ବିଜୟ କିମ୍ବା ଡ୍ର । ଏହି ଦୁଇଟି ଫଳାଫଳ ଶେଷ ଦିନରେ ଦେଖିବାକୁ ମିଳିବ ।
ଏହା ପୂର୍ବରୁ ଭାରତ ତୃତୀୟ ଦିନର ଅସମାପ୍ତ ଖେଳ ୬୪/୧ରୁ ବ୍ୟାଟିଂ ଆରମ୍ଭ କରିଥିଲା । ତେବେ ମିଳିଥିବା ସୁଯୋଗର ଫାଇଦା ଉଠାଇ ପାରି ନ ଥିଲେ କରୁଣ ନାୟର । ୨୬ ରନ କରି ନିରାଶ କରିଥିଲେ ଏହି ବ୍ୟାଟର । ଅର୍ଦ୍ଧଶତକ ହାସଲ କରିଥିବା କେଏଲ ରାହୁଲ ୫୫ ରନ କରି ଜୋଶ ଟଙ୍ଗଙ୍କ ଶିକାର ହୋଇଥିଲେ । ଏହା ପରେ ଅଧିନାୟକ ଗିଲ୍ ଓ ଋଷଭ ପନ୍ତ ଦ୍ରୁତ ବ୍ୟାଟିଂ କରି ତୃତୀୟ ୱିକେଟରେ ୧୧୦ ରନ ଯୋଡି ଦଳର ସ୍ଥିତି ଆହୁରି ମଜବୁତ କରିଥିଲେ । ପନ୍ତ ବିସ୍ଫାରକ ବ୍ୟାଟିଂ କରି ୫୮ ବଲରୁ ୬୫ ରନ କରି ଆଉଟ୍ ହୋଇଥିଲେ । ଅନ୍ୟପଟେ ଗିଲ୍ ଚିତ୍ତାକର୍ଷକ ବ୍ୟାଟିଂ କରି ଟେଷ୍ଟ କ୍ୟାରିୟରରେ ଶତକ ହାସଲ କରିବା ସହ ଅନେକ ରେକର୍ଡ ନିଜ ନାମରେ କରିଛନ୍ତି । ଏହା ପୂର୍ବରୁ ସେ ପ୍ରଥମ ଇନିଂସରେ ୨୬୯ ରନର ମାରାଥନ ଇନିଂସ ଖେଳିଥିଲେ ।
ପନ୍ତଙ୍କ ଆଉଟ୍ ପରେ ଗିଲ୍ ଅଲରାଉଣ୍ଡର ଜାଡେଜାଙ୍କୁ ସାଥୀ କରି ଦଳର ସ୍କୋରକୁ ଆଗକୁ ବଢାଇଥିଲେ । ଗିଲ୍ ଶତକ ହାସଲ ପରେ ଦ୍ରୁତ ବ୍ୟାଟିଂ କରିଥିଲେ । ସେ ଓ ଜାଡେଜା ଦିନିକିଆ ÷ଶୈଳୀରେ ବ୍ୟାଟିଂ କରି ପଞ୍ଚମ ୱିକେଟ୍ ପାଇଁ ୧୭୫ ରନ ଯୋଡିଥିଲେ । ଗିଲ୍ ୧୬୨ ବଲରୁ ୧୩ ଚୌକା ଓ ୮ ଛକା ସହ ୧୬୧ ରନର ମାରାଥନ ଇନିଂସ ଖେଳି ପାଭିଲିୟନ ଫେରିଥିଲେ । ଜାଡେଜା ୬୯ ରନ କରି ଅପରାଜିତ ଥିଲେ । ଶେଷରେ ଭାରତ ୪୨୭/୬ରେ ପାଳି ସମାପ୍ତି ଘୋଷଣା କରିଥିଲା । ପ୍ରଥମ ଇନିଂସର ୧୮୦ ରନ ଅଗ୍ରଣୀକୁ ମିଶାଇ ଭାରତ ଘରୋଇ ଦଳ ସମ୍ମୁଖରେ ୬୦୮ ରନର ଅସମ୍ଭବ ବିଜୟ ଲକ୍ଷ୍ୟ ରଖିଛି । ଉଲ୍ଲେଖନୀୟ ପ୍ରଥମ ଇନିଂସରେ ଭାରତର ୫୮୭ ରନ ଜବାବରେ ଇଂଲଣ୍ଡ ୪୦୭ ରନ କରିଥିଲା ।