ନୂଆଦିଲ୍ଳୀ: ନ୍ୟୁଜିଲାଣ୍ଡ ବିପକ୍ଷ ତିନି ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍ ପାଇଁ ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ ବୋର୍ଡ(ବିସିସିଆଇ) ଶୁକ୍ରବାର ଭାରତୀୟ ଟେଷ୍ଟ ଦଳ ଘୋଷଣା କରିଛି। ରୋହିତ ଶର୍ମାଙ୍କ ନେତୃତ୍ଵାଧୀନ ଘୋଷିତ ୧୫ ଜଣିଆ ଦଳରେ ଯଶପ୍ରୀତ ବୁମରାଙ୍କୁ ଉପ ଅଧିନାୟକ ନିଯୁକ୍ତ କରାଯାଇଛି। ଦଳରେ ସରଫରାଜ ଖାନ ନିଜର ସ୍ଥାନ ବଜାୟ ରଖିଛନ୍ତି । ବାଂଲାଦେଶ ବିପକ୍ଷ ଟେଷ୍ଟ ସିରିଜ ଖେଳିଥିବା ସବୁ ଖେଳାଳିଙ୍କୁ ନ୍ୟୁଜିଲାଣ୍ଡ ଟେଷ୍ଟ ସିରିଜ୍ ପାଇଁ ଚୟନ କରାଯାଇଛି । ନିକଟରେ ଭାରତୀୟ ଦଳ ଘରୋଇ ମାଟିରେ ବାଂଲାଦେଶ ବିପକ୍ଷରେ ୨-୦ରେ ଟେଷ୍ଟ ସିରିଜ୍ ଜିତିଥିଲା। ନ୍ୟୁଜିଲାଣ୍ଡ ବିପକ୍ଷ ସିରିଜ୍ ବିଶ୍ୱ ଟେଷ୍ଟ ଚାମ୍ପିଅନଶିପ ପରିପ୍ରେକ୍ଷ ଭାରତ ପାଇଁ ବେଶ ଗୁରୁ୍ତ୍ୱ ବହନ କରୁଛି ।
ଏହି ସିରିଜ୍ ପାଇଁ ଓପନର ଭାବେ ରୋହିତ ଶର୍ମା ଓ ଯଶସ୍ଵୀ ଜୟସ୍ଵାଲ ରହିଛନ୍ତି। ଏହା ପରେ ଶୁଭମନ ଗିଲ୍, ବିରାଟ କୋହଲି, କେଏଲ ରାହୁଲ ଓ ସରଫରାଜ ଖାନଙ୍କ ପରି ବ୍ୟାଟରଙ୍କ ଚୟନ କରାଯାଇଛି। ଓ୍ଵିକେଟ୍ କିପର ଭାବେ ଋଷଭ ପନ୍ତ ଓ ଧ୍ରୁବ ଜୁରେଲ ନିଜର ସ୍ଥାନ ବଜାୟ ରଖିଛନ୍ତି। ରବିଚନ୍ଦ୍ରନ ଅଶ୍ଵିନ, ରବୀନ୍ଦ୍ର ଜାଡ଼େଜା, ଅକ୍ଷର ପଟେଲ୍ ଓ କୁଲଦୀପ ଯାଦବ ସ୍ପିନ ବିଭାଗ ସମ୍ଭାଳିବେ। ଦ୍ରୁତ ବୋଲର ଭାବେ ଯଶପ୍ରୀତ ବୁମରା, ମହମ୍ମଦ ସିରାଜ ଓ ଆକାଶ ଦୀପଙ୍କ ପରି ବୋଲର ରହିଛନ୍ତି।
ଚୟନକର୍ତ୍ତା ଏହି ସିରିଜ୍ ପାଇଁ ଯଶପ୍ରୀତ ବୁମରାଙ୍କୁ ଉପ ଅଧିନାୟକ ଚୟନ କରିଛନ୍ତି । ଏହି ତାରକା ଦ୍ରୁତ ବୋଲରଙ୍କୁ ଉପ ଅଧିନାୟକ କରି ବୋର୍ଡ ବଡ଼ ସଙ୍କେତ ଦେଇଛନ୍ତି ଯେ, ରୋହିତଙ୍କ ପରେ ଭାରତୀୟ ଟେଷ୍ଟ ଦଳର ଅଧିନାୟକ ଦାୟିତ୍ଵ ଯଶପ୍ରୀତ ବୁମରାଙ୍କୁ ମିଳିପାରେ।
୧୫ ଜଣିଆ ଭାରତୀୟ ଦଳ
ରୋହିତ ଶର୍ମା(ଅଧିନାୟକ), ଯଶପ୍ରୀତ ବୁମରା(ଉପଅଧିନାୟକ), ଯଶସ୍ଵୀ ଜୟସ୍ଵାଲ, ଶୁଭମନ ଗିଲ୍, ବିରାଟ କୋହଲି, କେଏଲ ରାହୁଲ, ସରଫରାଜ ଖାନ, ଋଷଭ ପନ୍ତ(ଓ୍ଵିକେଟ୍ କିପର), ଧ୍ରୁବ ଜୁରେଲ(ଓ୍ଵିକେଟ କିପର), ରବିଚନ୍ଦ୍ରନ ଅଶ୍ଵିନ, ରବୀନ୍ଦ୍ର ଜାଡ଼େଜା, ଅକ୍ଷର ପଟେଲ୍, କୁଲଦୀପ ଯାଦବ, ମହମ୍ମଦ ସିରାଜ ଓ ଆକାଶ ଦୀପ।