ନୂଆଦିଲ୍ଲୀ: ୨୦୨୬ ଟି-୨୦ ବିଶ୍ଵକପର ସେମିଫାଇନାଲରେ ଟିମ୍ ଇଣ୍ଡିଆର ମାର୍ଗ କ୍ରମଶଃ କଷ୍ଟକର ହୋଇପଡ଼ିଛି। ଏହି ସମୟରେ, ଭାରତୀୟ ଦଳକୁ ଲାଗିଛି ଏକ ବଡ଼ ଝଟକା। ଷ୍ଟାର ଭାରତୀୟ କ୍ରିକେଟର ରିଙ୍କୁ ସିଂହ ଟୁର୍ଣ୍ଣାମେଣ୍ଟ ମଝିରେ ଛାଡି ଘରକୁ ଫେରିଛନ୍ତି। ଟିମ୍ ଇଣ୍ଡିଆ ମଙ୍ଗଳବାର ଚେନ୍ନାଇର ଏମଏ ଚିଦାମ୍ବରମ ଷ୍ଟାଡିୟମରେ ଏକ ଅଭ୍ୟାସ ସେସନ୍ କରିଥିଲା, କିନ୍ତୁ ରିଙ୍କୁ ସିଂହ ଏଥିରେ ଯୋଗ ଦେଇ ନଥିଲେ। ଅନ୍ୟ ଖେଳାଳିମାନଙ୍କୁ ଅଭ୍ୟାସ କରୁଥିବାର ଦେଖାଯାଇଥିଲା।
ରିପୋର୍ଟ ଅନୁଯାୟୀ ରିଙ୍କୁ ସିଂହଙ୍କ ବାପା ଅସୁସ୍ଥ ହୋଇପଡ଼ିଛନ୍ତି ଏବଂ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ଥିବାରୁ ସେ ହଠାତ୍ ଘରକୁ ଫେରିବାକୁ ବାଧ୍ୟ ହୋଇଛନ୍ତି। ୨୮ ବର୍ଷୀୟ ଖେଳାଳି ଉତ୍ତର ପ୍ରଦେଶର ଆଲିଗଡ଼ର। ରିଙ୍କୁ କେବେ ଫେରି ପୁଣି ଟିମ୍ ଇଣ୍ଡିଆରେ ସାମିଲ୍ ହେବେ ସେ ବିଷୟରେ କୌଣସି କିଛି କୁହାଯାଇ ନାହିଁ।
୨୦୨୬ ଟି୨୦ ବିଶ୍ୱକପରେ ଭାରତର ପରବର୍ତ୍ତୀ ମ୍ୟାଚ୍ ଜିମ୍ବାୱେ ବିପକ୍ଷରେ ରହିଛି। ଯଦିଓ ଟିମ୍ ଇଣ୍ଡିଆ ଜିମ୍ବାୱେ ପରି ଏକ ଛୋଟ ଦଳ ବିପକ୍ଷରେ ଖେଳୁଛି। ତଥାପି ଏହି ମ୍ୟାଚ୍ ଭାରତ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ, କାରଣ ଟିମ୍ ଇଣ୍ଡିଆକୁ ଏହି ମ୍ୟାଚ୍ ବଡ଼ ବ୍ୟବଧାନରେ ଜିତିବାକୁ ପଡିବ। ଜିମ୍ବାୱେ ଏହି ଟୁର୍ଣ୍ଣାମେଣ୍ଟରେ ଅସାଧାରଣ କ୍ରିକେଟ୍ ଖେଳିଛି। ଏପରିକି ଦଳ ଅଷ୍ଟ୍ରେଲିଆ ଓ ଶ୍ରୀଲଙ୍କା ପରି ଦଲକୁ ହରାଇଛି।
ରିଙ୍କୁ ସିଂହଙ୍କ ସ୍ଥାନ ନେଇପାରନ୍ତି ଅକ୍ଷର ପଟେଲ
ଭାରତ-ଜିମ୍ବାୱେ ମ୍ୟାଚ୍ ଚେନ୍ନାଇର ଏମଏ ଚିଦାମ୍ବରମ ଷ୍ଟାଡିୟମରେ ଖେଳାଯିବ। ଏଠାକାର ପିଚ୍ ସ୍ପିନରମାନଙ୍କ ପାଇଁ ଅନୁକୂଳ । ଯଦି ରିଙ୍କୁ ସିଂହ ଉପଲବ୍ଧ ନ ରୁହନ୍ତି ତେବେ ଅକ୍ଷର ପଟେଲଙ୍କୁ ପ୍ଲେଇଂ ଏକାଦଶରେ ସାମିଲ କରାଯାଇପାରେ। ଅକ୍ଷରଙ୍କ ଉପସ୍ଥିତି ବ୍ୟାଟିଂକୁ ଦୁର୍ବଳ କରିବ ନାହିଁ ଏବଂ ଆଉ ଏକ ବୋଲିଂ ବିକଳ୍ପ ଯୋଡ଼ିବ। ଅକ୍ଷର ଟୁର୍ଣ୍ଣାମେଣ୍ଟର ପ୍ରାରମ୍ଭିକ ମ୍ୟାଚ୍ ଖେଳିଥିଲେ, କିନ୍ତୁ ପରେ ତାଙ୍କ ସ୍ଥାନରେ ୱାଶିଂଟନ ସୁନ୍ଦରଙ୍କୁ ନିଆଯାଇଥିଲା।
Also read: ଦକ୍ଷିଣ ଆଫ୍ରିକା ବିପକ୍ଷରେ ଅନନ୍ୟ ରେକର୍ଡ ସ୍ଥାପନ କଲେ ଭାରତୀୟ ବୋଲର ବୁମରା