ମେଲବର୍ଣ୍ଣ: ଏଠାରେ ଖେଳା ଯାଉଥିବା ୨ୟ ଟି-୨୦ରେ ଅଭିଷେକ ଶର୍ମା ଓ ହର୍ଷିତ ରାଣାଙ୍କୁ ବାଦ୍ ଦେଲେ ନିରାଶ କଲେ ବାକି ବ୍ୟାଟର । ଟସ୍ ହାରି ପର୍ଥମେ ବ୍ୟାଟିଂ କରିଥିବା ଭାରତ ୧୨୫ ରନରେ ଅଲଆଉଟ୍ ହୋଇଛି । ଅଭିଷେକ ଶର୍ମା ୬୮ ରନର ଦମଦାର ଇନିଂସ ବଳରେ ଭାରତ ଏହି ସ୍କୋର କରି ପାରିଛି । ହର୍ଷିତ ରାଣା ୩୫ ରନର ଉପଯୋଗୀ ଇନିଂସ ଖେଳିଛନ୍ତି । ବାକି ୯ ବ୍ୟାଟର ଦୁଇ ଅଙ୍କ ବି ଛୁଇଁ ପାରି ନାହାନ୍ତି । ଅ ଷ୍ଟ୍ରେଲିଆ ସମ୍ମୁଖରେ ରହିଛି ୧୨୬ ରନର ବିଜୟ ଲକ୍ଷ୍ୟ ।  
ପ୍ରଥମେ ବ୍ୟାଟିଂ କରିଥିବା ଭାରତର ଆରମ୍ଭ ନିରାଶଜନକ ଥିଲା । ଗିଲ୍ ୫ ରନ କରି ନିଜର ଖରାପ ଫର୍ମ ଜାରି ରଖିଥିଲେ । ଏହା ପରେ ଭାରତ ନିୟମିତ ୱିକେଟ୍ ହରାଇ ବ୍ୟାଟିଂ ବିପର୍ଯ୍ୟୟ ଭୋଗିଥିଲା । ଜୋଶ ହେଜେଲଉଡ ଘାତକ ବୋଲିଂ କରି ଭାରତ ଟପ୍ ଅର୍ଡର ଧ୍ୱସ୍ତ କରିଥିଲେ ।  ଉପର ଅର୍ଡରରେ ସୁଯୋଗ ପାଇଥିବା ସଞ୍ଜୁ ସାମସନ ୨ ରନ, ଅଧିନାୟକ ସୂର୍ଯ୍ୟକୁମାର ଯାଦବ ୧ ରନ, ତିଳକ ବର୍ମା ୦ ଓ ଅକ୍ଷର ପଟେଲ ୭ ରନ ନିରାଶ କରିଥିଲେ । ୪୯ ରନରେ ୫ ୱିକେଟ୍ ହରାଇଥିଲା ଭାରତ । 
ଏହା ପରେ ଅଭିଷେକ ଶର୍ମାଙ୍କୁ ଉତ୍ତମ ସହଯୋଗ କରିଥିଲେ ହର୍ଷିତ ରାଣା । ଉଭୟ ଷଷ୍ଠ ୱିକେଟ୍ ପାଇଁ ୫୬ ରନ ଯୋଡି ଦଳର ସ୍କୋରକୁ ୧୦୦ ପାର କରାଇଥିଲେ । ହର୍ଷିତ ୩୫ ରନର  ଉପଯୋଗୀ ଇନିଂସ ଖେଳିଥିଲେ । ଏହା ପରେ ପୁଣି ଥରେ ନିମ୍ନକ୍ରମରେ ଭାରତ ଶୀଘ୍ର ୱିକେଟ୍ ହରାଇଥିଲା । କୁଲଦୀପ ଓ ବୁମରା ଖାତା ଖୋଲି ପାରି ନ ଥିଲେ । ଅଭିଷେକ ଶର୍ମା ୩୭ ବଲରୁ ୮ ଚୌକା ଓ ୨ ଛକା ସହ ୬୮ ରନ କରି ଆଉଟ୍ ହୋଇଥିଲେ । ଶେଷରେ ଭାରତ ୧୮.୪ ଓଭରରେ ୧୨୫ ରନରେ ଅଲଆଉଟ୍ ହୋଇଛି । 
ଅଷ୍ଟ୍ରେଲିଆ ପକ୍ଷରୁ ଜୋଶ ହାଜେଲଉଡ ୧୩ ରନ ଦେଇ ୩ଟି ୱିକେଟ୍ ନେଇଥିଲେ । ବାର୍ଟଲେଟ୍ ଓ ନାଥନ ଏଲିସ  ପ୍ରତ୍ୟେକଙ୍କୁ ଦୁଇଟି ଲେଖାଏଁ ୱିକେଟ୍ ମିଳିଛି ।