ନଭି ମୁମ୍ବାଇ: ଦିନିକିଆ ମହିଳା ବିଶ୍ଵକପ୍ ୨୦୨୫ ଫାଇନାଲରେ ଟିମ୍ ଇଣ୍ଡିଆ। ଦ୍ଵିତୀୟ ସେମି ଫାଇନାଲରେ ଭାରତ ଡିଫେଣ୍ଡିଂ ଚାମ୍ପିଅନ ଅଷ୍ଟ୍ରେଲିଆକୁ ୫ ଓ୍ଵିକେଟରେ ମାତ୍ ଦେଇ ଦ୍ଵିତୀୟ ଦଳ ଭାବେ ଫାଇନାଲରେ ପ୍ରବେଶ କରିଛି। ରୋମାଞ୍ଚର ମୁକାବିଲାରେ ଜେମିମା ରୋଡ୍ରିଗସ ଅପରାଜିତ ଶତକ ମାରି ଭାରତକୁ ଜିତାଇଛନ୍ତି। ଏହା ସହ ଭାରତୀୟ ମହିଳା ଦଳ ତୃତୀୟ ଥର ଦିନିକିଆ ବିଶ୍ଵକପ୍ ଫାଇନାଲରେ ପହଞ୍ଚିଛି। ଏହା ପୂର୍ବରୁ ଦଳ ୨୦୦୫ ଏବଂ ୨୦୧୭ରେ ଫାଇନାଲ୍ ଖେଳିଥିଲେ ହେଁ ରନର୍ସଅପ ରହିଥିଲା।
ପ୍ରଥମେ ବ୍ୟାଟିଂ କରି ଅଷ୍ଟ୍ରେଲିଆ ଭାରତ ସମ୍ମୁଖରେ ୩୩୯ ରନର ଲକ୍ଷ୍ୟ ରଖିଥିଲା। ଜବାବରେ, ଜେମିମା ରୋଡ୍ରିଗସଙ୍କ ଚମତ୍କାର ଶତକ ଯୋଗୁଁ ଟିମ୍ ଇଣ୍ଡିଆ ୪୮.୩ ଓଭରରେ ଏହି ଲକ୍ଷ୍ୟକୁ ସହଜରେ ହାସଲ କରି ନେଇଛି। ଭାରତ ଏବେ ନଭେମ୍ବର ୨ ରେ ଫାଇନାଲରେ ଦକ୍ଷିଣ ଆଫ୍ରିକା ସହିତ ମୁକାବିଲା କରିବ। ଏହା ମହିଳା ଦିନିକିଆ କ୍ରିକେଟ୍ ଇତିହାସରେ ସର୍ବାଧିକ ରନ ଚେଜ୍। ପୂର୍ବରୁ, ମହିଳା ଦିନିକିଆରେ ସର୍ବାଧିକ ରନ ଚେଜ୍ ୩୩୦ ରନ ଥିଲା, ଯାହା ଅଷ୍ଟ୍ରେଲିଆ ମହିଳା ଦଳ ଏହି ବର୍ଷ ଆରମ୍ଭରେ ଭାରତ ବିପକ୍ଷରେ ହାସଲ କରିଥିଲା।
୩୩୯ ରନର ଟାର୍ଗେଟ ପିଛା କରି ଭାରତ ୫୯ ରନରେ ସ୍ମୃତି ମନ୍ଧାନା (୨୪ ରନ) ଏବଂ ଶେଫାଲି ବର୍ମା (୧୦ ରନ)ଙ୍କୁ ହରାଇଥିଲା। ଏହାପରେ ଜେମିମା ରଡ୍ରିଗ୍ସ ଏବଂ ହରମନପ୍ରୀତ କୌର ଇନିଂସ ସମ୍ଭାଳିଥିଲେ। ଉଭୟ ଦମଦାର ବ୍ୟାଟିଂ କରି ଅଷ୍ଟ୍ରେଲିଆ ବୋଲରଙ୍କୁ ଚାପରେ ରଖିଥିଲେ। ଏହି କ୍ରମରେ ଦୁହେଁ ନିଜ ନିଜର ଅର୍ଦ୍ଧଶତକ ହାସଲ କରିଥିଲେ। ଦୁଇ ବ୍ୟାଟର ଏକ ଐତିହାସିକ ୧୬୭ ରନର ଭାଗୀଦାରି ଯୋଡ଼ି ଭାରତକୁ ବିଜୟର ମୂଳଦୁଆ ପକାଇତିଲେ।
ହରମନପ୍ରୀତ ୩୬ତମ ଓଭରରେ ଏକ ବଡ଼ ସଟ୍ ଚେଷ୍ଟା କରିବା ସମୟରେ ୮୯ ରନରେ ଆଉଟ ହୋଇଥିଲେ। ସେଠାରୁ, ରଡ୍ରିଗ୍ସ ନିଜ କାନ୍ଧକୁ ମ୍ୟାଚ୍ ନେଇଥିଲେ। ପ୍ରଥମେ, ସେ ଦୀପ୍ତି ଶର୍ମାଙ୍କ ସହିତ ୩୮ ରନ ଯୋଡିଥିଲେ, ତା’ପରେ ରିଚା ଘୋଷଙ୍କ ସହିତ ଏକ ଛୋଟ କିନ୍ତୁ ଗୁରୁତ୍ୱପୂର୍ଣ୍ଣ ୪୬ ରନର ଭାଗୀଦାରି କରିଥିଲେ। ୧୬୨ ଷ୍ଟ୍ରାଇକ ରେଟରେ ରିଚା ଘୋଷଙ୍କ ୨୬ ରନର କ୍ୟାମିଓ ଭାରତକୁ ବିଜୟର ନିକଟତର କରାଇବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲା। ଶେଷରେ ରଡ୍ରିଗ୍ସ ୧୨୭ ରନର ଅପରାଜିତ ଇନିଂସ ଖେଳି ଭାରତକୁ ଜିତାଇଛନ୍ତି। ଅମନଜତ କୌର ବିଜୟ ସୂଚକ ଚୌକା ମାରିବା ସହ ୧୫ ରନ କରି ଅପରାଜିତ ଥିଲେ।