ମେଲବର୍ଣ୍ଣ: ବ୍ୟାଟରଙ୍କ ବିଫଳତା କାରଣରୁ ଭାରତ ମେଲବର୍ଣ୍ଣରେ ଖେଳା ଯାଇଥିବା ୨ୟ ଟି-୨୦ ମ୍ୟାଚରେ ଶୋଚନୀୟ ଭାବେ ପରାଜିତ ହୋଇଛି । ଅଷ୍ଟ୍ରେଲିଆ ମ୍ୟାଚକୁ ୪ ୱିକେଟରେ ଜିତି ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜରେ ୧-୦ରେ ଅଗ୍ରଣୀ ହାସଲ କରିଛି । ଭାରତ ପ୍ରଥମେ ବ୍ୟାଟିଂ କରି ଅଭିଷେକ ଶର୍ମାଙ୍କ ୬୮ ରନ ଓ ହର୍ଷିତ ରାଣାଙ୍କ ୩୫ ରନ ବଳରେ ୧୨୫ ରନ କରିଥିଲା । ଜବାବରେ ଘରୋଇ ଦଳ ୧୩.୨ ଓଭରରେ ୬ ୱିକେଟ  ହରାଇ ମ୍ୟାଚ୍ ଜିିତି ନେଇଛି । ଅଧିନାୟକ ମିଚେଲ୍ ମାର୍ଶ ସବ୍ରାଧିକ ୪୬ ରନ କରିଛନ୍ତି । ପରାଜୟ ସହ ଭାରତ ୨୦୦୮ ପରେ ଏହି ଐତିହାସିକ ଗ୍ରାଉଣ୍ଡରେ ଅ ଷ୍ଟ୍ରେଲିଆ ବିପକ୍ଷରେ ଟି-୨୦ ମ୍ୟାଚ୍ ହାରିଛି ।
୧୨୬ ରନର ଛୋଟ ବିଜୟ ଲକ୍ଷ୍ୟ ପିଛା କରିଥିବା ଅଷ୍ଟ୍ରେଲିଆ ଦମଦାର ଆରମ୍ଭ କରିଥିଲା । ଟ୍ରେଭିସ ହେଡ ଓ ମିଚେଲ୍ ମାର୍ଶ ବିସ୍ଫୋରକ ବ୍ୟାଟିଂ କରି ଓପନିଂରେ ୫୧ ରନ ଯୋଡିଥିଲେ । ଟ୍ରେଭିସ ହେଡ ୨୮ ରନ କରି ଆଉଟ୍ ହୋଇଥିଲେ । ୮୭ ସ୍କୋରରେ ମିଚେଲ ମାର୍ଶ ୪୬ ରନର ବିସ୍ଫୋରକ ଇନିଂସ ଖେଳି ପାଭିଲିୟନ ଫେରିଥିଲେ । ତେବେ ଭାରତୀୟ ବୋଲର ଶେଷ ଆଡକୁ ଅଷ୍ଟ୍ରେଲିଆର ୪ ବ୍ୟାଟରଙ୍କୁ ପାଭିଲିୟନ ପଠାଇ ମ୍ୟାଚରେ କିଛି ରୋମାଞ୍ଚ ଆଣିଥିଲେ । 
ଜୋଶ ଇଂଲିଶ ୨୦ ରନ, ଟିମ ଡେଭିଡ ୧ ରନ, ମିଚେଲ ଓେଓନ ୧୪ ରନ ଓ ମାଥ୍ୟୁ ସର୍ଟ ୦ ରନ କରି ଆଉଟ୍ ହୋଇଥିଲେ । ତେବେ ଭାରତ ଏତେ କମ ସ୍କୋର କରିଥିବାରୁ ମ୍ୟାଚ୍ ବଞ୍ଚାଇବା ପାଇଁ ବୋଲରଙ୍କ ପକ୍ଷେ ମୁସ୍କିଲ ହୋଇଥିଲା । ଶେଷରେ କଙ୍ଗାରୁ ଦଳ ୧୩.୨ ଓଭରରେ ୬  ୱିକେଟ ହରାଇ ମ୍ୟାଚ୍ ଜିତି ନେଇଥିଲା । ବୋଲିଂରେ ବୁମରା, ବରୁଣ ଓ କୁଲଦୀପ ପ୍ରତ୍ୟେକଙ୍କୁ ୨ଟି ସଫଳତା ମିଳିଥିଲା । କୁଲଦୀପ ମହଙ୍ଗା ସାବ୍ୟସ୍ତ ହୋଇଥିଲେ । 
ଭାରତୀୟ ଇନିଂସ
ପ୍ରଥମେ ବ୍ୟାଟିଂ କରିଥିବା ଭାରତର ଆରମ୍ଭ ନିରାଶଜନକ ଥିଲା । ଗିଲ୍ ୫ ରନ କରି ନିଜର ଖରାପ ଫର୍ମ ଜାରି ରଖିଥିଲେ । ଏହା ପରେ ଭାରତ ନିୟମିତ ୱିକେଟ୍ ହରାଇ ବ୍ୟାଟିଂ ବିପର୍ଯ୍ୟୟ ଭୋଗିଥିଲା । ଜୋଶ ହେଜେଲଉଡ ଘାତକ ବୋଲିଂ କରି ଭାରତ ଟପ୍ ଅର୍ଡର ଧ୍ୱସ୍ତ କରିଥିଲେ ।  ଉପର ଅର୍ଡରରେ ସୁଯୋଗ ପାଇଥିବା ସଞ୍ଜୁ ସାମସନ ୨ ରନ, ଅଧିନାୟକ ସୂର୍ଯ୍ୟକୁମାର ଯାଦବ ୧ ରନ, ତିଳକ ବର୍ମା ୦ ଓ ଅକ୍ଷର ପଟେଲ ୭ ରନ ନିରାଶ କରିଥିଲେ । ୪୯ ରନରେ ୫ ୱିକେଟ୍ ହରାଇଥିଲା ଭାରତ । 
ଏହା ପରେ ଅଭିଷେକ ଶର୍ମାଙ୍କୁ ଉତ୍ତମ ସହଯୋଗ କରିଥିଲେ ହର୍ଷିତ ରାଣା । ଉଭୟ ଷଷ୍ଠ ୱିକେଟ୍ ପାଇଁ ୫୬ ରନ ଯୋଡି ଦଳର ସ୍କୋରକୁ ୧୦୦ ପାର କରାଇଥିଲେ । ହର୍ଷିତ ୩୫ ରନର  ଉପଯୋଗୀ ଇନିଂସ ଖେଳିଥିଲେ । ଏହା ପରେ ପୁଣି ଥରେ ନିମ୍ନକ୍ରମରେ ଭାରତ ଶୀଘ୍ର ୱିକେଟ୍ ହରାଇଥିଲା । କୁଲଦୀପ ଓ ବୁମରା ଖାତା ଖୋଲି ପାରି ନ ଥିଲେ । ଅଭିଷେକ ଶର୍ମା ୩୭ ବଲରୁ ୮ ଚୌକା ଓ ୨ ଛକା ସହ ୬୮ ରନ କରି ଆଉଟ୍ ହୋଇଥିଲେ । ଶେଷରେ ଭାରତ ୧୮.୪ ଓଭରରେ ୧୨୫ ରନରେ ଅଲଆଉଟ୍ ହୋଇଛି । 
ଅଷ୍ଟ୍ରେଲିଆ ପକ୍ଷରୁ ଜୋଶ ହାଜେଲଉଡ ୧୩ ରନ ଦେଇ ୩ଟି ୱିକେଟ୍ ନେଇଥିଲେ । ବାର୍ଟଲେଟ୍ ଓ ନାଥନ ଏଲିସ  ପ୍ରତ୍ୟେକଙ୍କୁ ଦୁଇଟି ଲେଖାଏଁ ୱିକେଟ୍ ମିଳିଛି । 
Also read:ମହିଳା ବିଶ୍ୱକପ୍ ୨ୟ ସେମିଫାଇନାଲ: ହାତରେ କଳାପଟି ବାନ୍ଧିଲେ ଖେଳାଳି