କିଙ୍ଗ୍ସ୍ଟାଉନ୍: ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି) ଦ୍ବାରା ପରିଚାଳିତ ପୁରୁଷ ଟି-୨୦ ବିଶ୍ବକପ୍ରେ ସୁପର-୮ ଲଢ଼େଇ ଜାରି ରହିଛି। ୱେଷ୍ଟଇଣ୍ଡିଜର କିଙ୍ଗ୍ସଟାଉନ୍ସ୍ଥିତ ଅର୍ନୋସ ୱେଲ ଷ୍ଟାଡିୟମରେ ଅଷ୍ଟ୍ରେଲିଆ ଓ ଆଫଗାନିସ୍ତାନ ମୁହାଁମୁହିଁ ହୋଇଛନ୍ତି। ଏହି ମୁକାବିଲାରେ ଆଫଗାନିସ୍ତାନର ଐତିହାସିକ ବିଜୟ ହୋଇଛି। ଅଷ୍ଟ୍ରେଲିଆ ୨୧ ରନ୍ରେ ପରାସ୍ତ ହୋଇଛି।
ଏହି ମୁକାବିଲାରେ ଅଷ୍ଟ୍ରେଲିଆକୁ ବିଜୟ ପାଇଁ ୧୪୯ ରନ୍ ଲକ୍ଷ୍ୟ ମିଳିଥିଲା। ମାତ୍ର ଟିମ୍ ୧୯.୫ ଓଭରରେ ୧୨୭ ରନ୍ରେ ଅଲଆଉଟ୍ ହୋଇଥିଲା। ଅଷ୍ଟ୍ରେଲିଆ ବିପକ୍ଷରେ ଆଫଗାନିସ୍ତାନର ଅନ୍ତର୍ଜାତୀୟ କ୍ରିକେଟରେ ଏହା ପ୍ରଥମ ବିଜୟ।
ଆଫଗାନିସ୍ତାନର ବିଜୟରେ ନାୟକ ଥିଲେ ଗୁଲବଦୀନ ନାୟବ, ଯିଏକି ଅଷ୍ଟ୍ରେଲିଆର ୪ଟି ୱିକେଟ୍ ନେଇଥିଲେ। ନାୟବଙ୍କ ଆଗରେ ଗ୍ଲେନ ମେକ୍ସୱେଲ(୫୯), ମାର୍କସ ଷ୍ଟୋଇନିସ(୧୧), ଟମ୍ ଡାଭିଡ(୨) ଓ ପେଟ କମିନ୍ସ (୩) ଆତ୍ମସମର୍ପଣ କରିଥିଲେ। ନବୀନ ଉଲ୍-ହକ୍ ୩ଟି ୱିକେଟ୍ ନେଇଥିଲେ। ଆଜମତୁଲ୍ଲା, ମହମ୍ମଦ ନବି ଓ ରସିଦ ଖାନ ଗୋଟିଏ ଲେଖାଏଁ ୱିକେଟ୍ ନେଇଥିଲେ।
ଆଫଗାନିସ୍ତାନ ଏହି ବିଜୟ ସହିତ ଗତବର୍ଷ ଦିନିକିଆ ବିଶ୍ବକପରେ ମିଳିଥିବା ପରାଜୟର ପ୍ରତିଶୋଧ ନେଇଛି। ଗତବର୍ଷ ବିଶ୍ବକପରେ ଆଫଗାନିସ୍ତାନର ଟିମ୍ ବିଜୟ ଆଡ଼କୁ ଅଗ୍ରସର ହେଉଥିଲା। କିନ୍ତୁ ଗ୍ଲେନ ମେକ୍ସୱେଲ ଐତିହାସିକ ଦ୍ବିଶତକ ହାସଲ କରି ଆଫଗାନିସ୍ତାନ ଠାରୁ ମ୍ୟାଚ ଛଡ଼ାଇ ନେଇଥିଲେ।