ଓଡ଼ିଶାର ଖାଦ୍ୟପେୟ ଠୁ ଆରମ୍ଭ କରି ଆମ ପରମ୍ପରା ଭାରି ନିଆରା । ଓଡ଼ିଶାରେ ପ୍ରସ୍ତୁତ ଖାଦ୍ୟପେୟର ଭାରି ଚାହିଦା ରହିଛି । ସେମିତି ଆଜି ହେଉଛି ବିଶ୍ୱ ଛେନାପୋଡ଼ ଦିବସ । ଛେନାପୋଡ଼ କଥା ମନେପଡିଲେ, ମନ ମିଠା ହୋଇଯାଏ । ଛେନାପୋଡ଼ ମିଠା ମଧ୍ୟରେ ଏକ ସ୍ୱତନ୍ତ୍ର ସ୍ଥାନ ପାଇଛି । କୁହାଯାଏ, ଛେନାପୋଡ଼ର ଉତ୍ପତ୍ତି ନୟାଗଡ଼ ଜିଲ୍ଲାରୁ ବୋଲି । ନୟାଗଡ଼ର ଛେନାପୋଡ଼ ସବୁଠୁ ନିଆରା ଓ ଭିନ୍ନ । ସେ ଦେଖିବାକୁ ଯେତେ ମନଲୋଭା ଖାଇବା ପାଇଁ ମଧ୍ୟ ସେତିକି ସ୍ୱାଦିଷ୍ଟ । ସ୍ୱର୍ଗତ ସୁଦର୍ଶନ ସାହୁଙ୍କ ଜନ୍ମଦିନକୁ ଆମେ ଛେନାପୋଡ଼ ଦିବସ ଭାବେ ପାଳନ କରୁଛେ। ଯାହା ୨୦୨୨ ମସିହାରୁ ପାଳନ କରାଯାଉଛି । ଅଜାଣତରୁ ଛେନାପୋଡ଼ର ସୃଷ୍ଟି ହୋଇଛି ।
ନୟାଗଡ଼ ଜିଲ୍ଲା ଦଶପଲ୍ଲା ସାତପାଟଣାର ବିଦ୍ୟାଧର ଓ ସୁଦର୍ଶନଙ୍କ ଏକ ମିଠା ଦୋକାନ ରହିଥିଲା। ଦିନେ ସୁଦର୍ଶନ ବଳକା ଥିବା ଛେନାକୁ ନଷ୍ଟ ନ କରି ଛେନାରେ କିଛି ଚିନି ଓ ଚାଉଳ ଚୁନା ମିଶାଇ ତାହାକୁ ଚକଟି କଦଳୀପତ୍ରରେ ଗୁଡ଼ାଇ ରାତି ତମାମ ନିଆଁ ଆଞ୍ଚରେ ବସାଇ ଦେଇଥିଲେ । ତା ପର ଦିନ ସକାଳୁ ପୂର୍ବ ରାତିରେ ଆଞ୍ଚରେ ବସାଇଥିବା ଜୀନ୍ସକୁ ଆଣି ଦେଖନ୍ତି ତ, ଖାଦ୍ୟର ତଳ ଭାଗ ପୋଡି ଯାଇଥିଲା କିନ୍ତୁ ଖାଦ୍ୟା ବହୁ ସ୍ୱାଦିଷ୍ଟ ଥିଲା । ଛେନାକୁ ପୋଡ଼ି ଖାଦ୍ୟ ପ୍ରସ୍ତୁତ ହୋଇଥିବାରୁ ତାର ନାମ ଛେନାପୋଡ଼ ରଖାଯାଇଥିଲା।
ଏବେ ଲୋକମାନେ ଛେନାପୋଡ଼ ପ୍ରତି ଏତେ ଆଗ୍ରହୀ ହେଲେଣି ଯେ, କୌଣସି ଖୁସିକୁ ପାଳନ କରିବାକୁ ହେଲେ ସେମାନେ ଛେନାପୋଡ କେକ୍ କାଟୁଛନ୍ତି । ଛେନାପୋଡ ଖାଇବା ପାଇଁ ପ୍ରାୟତଃ ସମସ୍ତେ ପସନ୍ଦ କରିଥାନ୍ତି ।