ଭୁବନେଶ୍ୱର : ବାସନ୍ତିକ ଉତ୍ସବର ଅନ୍ତିମ ପର୍ଯ୍ୟାୟ ହେଉଛି ଚୈତ୍ର  ପୂର୍ଣ୍ଣିମା । ଆମ ହିନ୍ଦୁଧର୍ମରେ ଏହି ଚୈତ୍ର ପୂର୍ଣ୍ଣିମାର  ବିଶେଷ ମହତ୍ୱ ରହିଛି । ଏହି ଦିନ ଚନ୍ଦ୍ର ଚିତ୍ରା ନକ୍ଷତ୍ର ଯୁକ୍ତ ହେଉଥିବାରୁ ଏହାର ପ୍ରଭାବ ପରିଲକ୍ଷିତ ହୁଏ । ଚୈତ୍ର ପୂର୍ଣ୍ଣିମା ବ୍ରତ ପାଳନ କଲେ ଚନ୍ଦ୍ର ପରି ମନରେ ଶୀତଳତା ଆସିବା ସହ ମଣିଷ ଦୀର୍ଘାୟୁ ହୋଇଥାଏ ବୋଲି ବିଶ୍ୱାସ ରହିଛି ।  
ଚୈତ୍ର ମାସାରେ ପଡ଼ିବାକୁ ଥିବା ପୂର୍ଣିମାକୁ ଚୈତ୍ର ପୂର୍ଣିମା କୁହାଯାଏ  । କିନ୍ତୁ କିଛି ଲୋକ ଏହି ବ୍ରତକୁ ଚୈତୀ ପୂନମ ମଧ୍ୟ କୁହନ୍ତି ।’ସନାତନ ଧର୍ମରେ ଚୈତ୍ର ପୂର୍ଣିମା ବ୍ରତର ବହୁତ ମହତ୍ୱ ରହିଛି ଓ ଏହି ତିଥିରେ ଭଗବାନ ସତ୍ୟନାରାୟଣଙ୍କୁ ବିଧି ବିଧାନ ସହିତ ପୂଜା କରାଯାଏ । ଏହି ବ୍ରତକୁ କରିବା ଯୋଗୁଁ ଲୋକଙ୍କ ଜୀବନରେ ସୁଖ ସମୃଦ୍ଧି ପ୍ରାପ୍ତି ହୁଏ ଓ ସମସ୍ତ ମନକାମନା ପୂରଣ ହୁଏ । କିଛି ଲୋକ ଚୈତ୍ର ପୁର୍ଣିମା ବ୍ରତ ଦିନ ନିର୍ଜଳ ଉପବାସ କରନ୍ତି ।
ଚୈତ୍ର ପୂର୍ଣ୍ଣିମା ଓଡ଼ିଶାର ଏକ ଗଣପର୍ବ । ଏହା କେଉଟ ଜାତିର ଲୋକଙ୍କଦ୍ୱାରା ଚୈତ୍ର ମାସ ପୂର୍ଣ୍ଣମୀ ତିଥିରେ  ପାଳିତ ହୋଇଥାଏ । କେଉଟମାନେ ଘୋଡ଼ାର ଏକ ଖୋଳ କରି ସେଥିରେ ପଶି ଘୋଡ଼ା ଚଢ଼ିବାର ଅଭିନୟ କରିଥାନ୍ତି । ଏହା ଚଇତିଘୋଡ଼ା ନାଚ ନାମରେ ଜଣା ।  ପୂର୍ଣ୍ଣମୀର ପୂର୍ବ ଆଠ ଦିନ ଧରି "ଚଇତି ପର୍ବ" ପାଳନ କରାଯାଏ । ବର୍ଷର ପ୍ରଥମ ପାଚିଲା ଆମ୍ବ ଲୋକେ ଏଇ ଦିନ ଖାଇଥାନ୍ତି । ଓଡ଼ିଶାର ଉପକୂଳବର୍ତ୍ତୀ ଅଞ୍ଚଳରେ ଦଣ୍ଡ ନାଚ ଓ "ଚଇତିଘୋଡ଼ା ନାଚ" ଅନୁଷ୍ଠିତ ହୋଇଥାଏ । ଏହା ଉଭୟ ଆଦିବାସୀ ଓ ଅଣଆଦିବାସୀମାନେ ପାଳିଥାନ୍ତି ।
କାର୍ତ୍ତିକା ନଗରୀରେ  ରହୁଥିଲେ ଧନେଶ୍ୱର ନାମକ ଜଣେ ବ୍ରାହ୍ମଣ ।  ନିଃସନ୍ତାନ ହେତୁ ବ୍ରାହ୍ମଣ ଦମ୍ପତିଙ୍କ ମନରେ ଗଭୀର ଦୁଃଖ ଥିଲା । ସେହି ନଗରୀକୁ ଜଣେ  ମହାତ୍ମା ପ୍ରାୟତଃ ଆସୁଥାନ୍ତି । ସେ ସମସ୍ତଙ୍କ  ଘରୁ ଭିକ୍ଷା ଗ୍ରହଣ କଲେ ମଧ୍ୟ ଧନେଶ୍ୱରଙ୍କ ଗୃହକୁ ଆଦୌ ଆସିନଥାନ୍ତି । ଦିନେ ମହାତ୍ମାଙ୍କୁ ଭେଟି  ଧନେଶ୍ୱର ଏହାର କାରଣ ଜାଣିବାକୁ ଚାହିଁବାରୁ ମହାତ୍ମା  ନିରବ ରହିଲେ । ତେବେ ଧନେଶ୍ୱର କାକୁତି ମିନତି ହୋଇ  ବହୁବାର ଅନୁରୋଧ କରିବାରୁ ମହାତ୍ମା କହିଲେ ନିଃସନ୍ତାନଙ୍କ  ଘରର ଭିକ୍ଷା ପାପ ସମ ହୋଇଥାଏ । ଯିଏ ଏହି ଭିକ୍ଷା ଗ୍ରହଣ  କରେ ସେ ପତିତ ହୋଇଯାଏ । ଏହା ଜାଣି ଧନେଶ୍ୱର ଆହୁରି  ଦୁଃଖରେ ଭାଙ୍ଗିପଡ଼ିଲେ । ଧନେଶ୍ୱରଙ୍କ ମନୋଦଶା ଅନୁଭବ  କରି ମହାତ୍ମା ତାଙ୍କୁ ପରାମର୍ଶ ଦେଲେ ଯେ ଉଭୟ ଦମ୍ପତି  ମାତା ଚଣ୍ଡୀଙ୍କୁ ନିଷ୍ଠାର ସହ ଉପାସନା କଲେ ସନ୍ତାନ ସୁଖ  ମିଳିପାରିବ। 
ମହାତ୍ମାଙ୍କ ପରାମର୍ଶ ଅନୁଯାୟୀ ଧନେଶ୍ୱର ପାଖ  ପର୍ବତକୁ ଯାଇ କଠୋର ତପସ୍ୟାରେ ବସିଲେ । ମାତା ଚଣ୍ଡୀଙ୍କୁ  ଦିବାରାତ୍ରି ଧ୍ୟାନ କରିବାକୁ ଲାଗିଲେ । ମାତା ଚଣ୍ଡୀ ବ୍ରାହ୍ମଣଙ୍କ  ନିଷ୍ଠାପର ସାଧନାରେ ସନ୍ତୁଷ୍ଟ ହୋଇ ଷୋହଳ ଦିନରେ ତାଙ୍କୁ  ଦର୍ଶନ ଦେଲେ ଏବଂ ପୁତ୍ର ଲାଭ କରିବ ବୋଲି ଆଶୀର୍ବାଦ  କଲେ । ତେବେ ପୁତ୍ରଟି ଆୟୁଷ ମାତ୍ର ଷୋହଳ ବର୍ଷ ବୋଲି  ମାତା କହିବାରୁ ଧନେଶ୍ୱର ମା’ଙ୍କୁ ଅନୁନୟ ହୋଇ ପୁତ୍ର  ଦୀର୍ଘଜୀବୀ ହେବାର ଉପାୟ ବତାଇବାକୁ ପ୍ରାର୍ଥନା କଲେ ।  ଚଣ୍ଡୀ ବ୍ରାହ୍ମଣଙ୍କ ଉପାସନାରେ ତ ସନ୍ତୁଷ୍ଟ ଥିଲେ,ଏଣୁ ୩୨ଟି  ପୂର୍ଣିମା ବ୍ରତ କରିବାକୁ ପରାମର୍ଶ ଦେଇ ଅନ୍ତର୍ଦ୍ଧାନ ହୋଇଗଲେ ।  ଦେବୀଙ୍କ କୃପାରୁ ବ୍ରାହ୍ମଣ ଦମ୍ପତି ପୁତ୍ର ସନ୍ତାନର  ପିତାମାତା ହେବାର ସୌଭାଗ୍ୟ ଲାଭ କଲେ ।  ପୁଅଟିର ନାମ ରଖିଲେ ଦେବୀଦାସ ।  କାଳକ୍ରମେ ପୁତ୍ରମୋହରେ ବ୍ରାହ୍ମଣ  ଦେବୀଙ୍କ ପରାମର୍ଶ ଭୁଲି ଯାଇଥିଲେ । ଏଣେ  ବର୍ଷ ସରିଆସୁଥାଏ । ଦେବୀ ଦାସକୁ ୧୬ବର୍ଷ  ପୂରଣ ହେବାକୁ ଆଉ ମାତ୍ର କେତୋଟି ଦିନ ବାକି ଅଛି,  ହଠାତ୍ ଧନେଶ୍ୱରଙ୍କ ଚଣ୍ଡୀଙ୍କ ଉପଦେଶ ମନେ ପଡ଼ିଗଲା ।  
ବ୍ରାହ୍ମଣ ଦମ୍ପତି ବିଚଳିତ ହୋଇପଡ଼ିଲେ । କ’ଣ କରିବେ  ବୁଦ୍ଧିବାଟ ଦେଖାଗଲା ନାହିଁ । ଦୁହେଁ ମା’ଙ୍କୁ ଆକୁଳ ପ୍ରାର୍ଥନା  କରିବାକୁ ଲାଗିଥାନ୍ତି । ଏହି ସମୟରେ ଦିନେ ସେହି ମହାତ୍ମା  କାର୍ତ୍ତିକା ଗ୍ରାମରେ ପହଞ୍ଚିଲେ । ଧନେଶ୍ୱର ବ୍ରାହ୍ମଣ ମହାତ୍ମାଙ୍କ  ପାଦଦୁଇଟିକୁ ଜାବୋଡ଼ି ଧରି ପଡ଼ିଗଲେ ଏବଂ ସମସ୍ତ ଦୁଃଖ  ବଖାଣିଲେ । ସଦୟ ହୋଇ ମହାତ୍ମା କହିଲେ ଯେ ଆଗକୁ ଚୈତ୍ର  ପୂର୍ଣ୍ଣିମା ଆସୁଛି,ସେହି ପୂର୍ଣ୍ଣିମାରେ ଚନ୍ଦ୍ରଙ୍କ ଉପାସନା କରିବା  ସହିତ ଲକ୍ଷ୍ମୀନାରାୟଣ ଏବଂ ମାତା ଚଣ୍ଡୀଙ୍କ ଆରାଧନା କର ।  ୩୨ଟି ପୂର୍ଣ୍ଣିମା ବ୍ରତର ପୁଣ୍ୟଫଳ  କେବଳ ମାତ୍ର ଚୈତ୍ର ପୂର୍ଣ୍ଣିମା  ବ୍ରତ ପାଳନ ଦ୍ୱାରା ମଳିଥାଏ ।  ସେହି ଅନୁଯାୟୀ ବ୍ରାହ୍ମଣ ଦମ୍ପତି  ଦେବୀ ଦାସର ଆୟୁଷ କାମନା  କରି ଚୈତ୍ର ପୂର୍ଣ୍ଣିମା ବ୍ରତ ପାଳନ  କଲେ । ପୁତ୍ରର ବୟସ ଯେଉଁଦିନ  ୧୬ବର୍ଷ ପୂରଣ ହେଲା, ଠିକ୍  ସେହିଦିନ ଏକ ସର୍ପ ତାକୁ ଦର୍ଶନ  କରିବାକୁ ଆସିଲା ମାତ୍ର ଦଂଶନ  କରିପାରିଲା ନାହିଁ । ମା’ଙ୍କ କୃପାରୁ  ପିଲାଟି ଦୀର୍ଘାୟୁ ହେବା ସହିତ  ବଡ଼ ହୋଇ ଜଣେ ପ୍ରମୁଖ ଦେବୀ  ଉପାସକ ଭାବେ ଦୁନିଆରେ  ପରିଚିତ ହୋଇପାରିଲା ।