ସମ୍ବଲପୁର: ଆଜି ପବିତ୍ର ମହାଳୟା । ଏହି ଅବସରରେ ମା ସମଲେଶ୍ୱରୀ ଧବଳମୁଖୀ ବା ଗଙ୍ଗାବେଶରେ ଭକ୍ତଙ୍କୁ ଦର୍ଶନ ହେବେ । ମାଙ୍କର ଏହି ଦୁର୍ଲଭ ବେଶ ଦେଖିବାକୁ ଲକ୍ଷାଧିକ ଭକ୍ତଙ୍କ ସମାଗମ ହେବ । ଏଥିପାଇଁ ମନ୍ଦିର କମିଟି ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯିବା ସହ ଭକ୍ତଙ୍କ ଦର୍ଶନ ପାଇଁ ସମୟ ଧାର୍ଯ୍ୟ କରାଯାଇଛି ।
ବର୍ଷ ତମାମ ମା ସିନ୍ଦୂର ଚର୍ଚ୍ଚିତା ହୋଇ ଦର୍ଶନ ଦେଇଥାନ୍ତି । କିନ୍ତୁ ଆଜି ପବିତ୍ର ମହାଳୟା ହୋଇଥିବାରୁ ମା ଚନ୍ଦନ ଚର୍ଚ୍ଚିତ ହୋଇ ଶୁଭ୍ର ବେଶରେ ଦର୍ଶନ ଦେବେ । ଏଥିପାଇଁ ମନ୍ଦିର ପରିସରକୁ ଫୁଲରେ ସଜାଯାଇଛି । ଏହାସହ ମାଆଙ୍କର ସ୍ୱତନ୍ତ୍ର ମହାଆଳତୀ ମଧ୍ୟ କରାଯାଇଛି । ସକାଳୁ ସକାଳୁ ଆରମ୍ଭ ହୋଇଛି ମାଆଙ୍କ ଧବଳମୁଖୀ ଦର୍ଶନ । ସକାଳ ୫ ଟା ରୁ ୧୧ଟା ୪୫ ପର୍ଯ୍ୟନ୍ତ ଦର୍ଶନ ପରେ ୧୨ଟା ୩୦ ଯାଏଁ ମାଆଙ୍କ ଦର୍ଶନ ବନ୍ଦ ରହିବ । ପୁଣି ଦର୍ଶନ ଆରମ୍ଭ ହୋଇ ସନ୍ଧ୍ୟା ପର୍ଯ୍ୟନ୍ତ ଚାଲିବ ବୋଲି ମନ୍ଦିର ଟ୍ରଷ୍ଟ ବୋର୍ଡ ପକ୍ଷରୁ ସୂଚନା ଦିଆଯାଇଛି ।
ତେବେ ସବୁବର୍ଷ ଭଳି ଚଳିତବର୍ଷ ମଧ୍ୟ ସ୍ଵତନ୍ତ୍ର ଦର୍ଶନର ବ୍ୟବସ୍ଥା କରାଯାଇଛି । ଅଢେଇ ଦିନ ଧରି ମାଆ ସମଲେଶ୍ଵରୀ ଧବଳମୁଖୀ ବେଶରେ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେବେ । ବିଶ୍ୱାସ ରହିଛି, ମହାଳୟାରେ ପିତୃ ତର୍ପଣ ପରେ ଏହି ବେଶରେ ମାଙ୍କୁ ଦର୍ଶନ କଲେ ଗଙ୍ଗାସ୍ନାନର ପୂଣ୍ୟ ମିଳିଥାଏ ।
ଅଧିକ ପଢନ୍ତୁ: ଆଜି ପବିତ୍ର ମହାଳୟା; ପିତୃପୁରୁଷଙ୍କୁ ପିଣ୍ଡଦାନ କରିବେ ଶ୍ରଦ୍ଧାଳୁ