ଭୁବନେଶ୍ୱର: ଆପଣ କେବେ ଭାବିଛନ୍ତି କି ଯଦି ଘରେ ଆପଣ ରଖିଥିବା ନୋଟଗୁଡ଼ିକ ପୁରୁଣା, ଛିଣ୍ଡିଯାଏ କିମ୍ବା ପ୍ରଚଳନ ଯୋଗ୍ୟ ନହୋଇ ଅଚଳ ହୋଇଯାଏ ତେବେ ସେସବୁ କ'ଣ ହୁଏ? ଆରବିଆଇ ତାକୁ କିପରି ବିନିଯୋଗ କରିଯାଏ? ଏପର୍ଯ୍ୟନ୍ତ, ବ୍ୟାଙ୍କ ଏହି ନୋଟଗୁଡ଼ିକୁ ନଷ୍ଟ କରିବା ପାଇଁ ପୋଡ଼ି ଦେଉଥିଲା କିମ୍ବା ଜମିରେ ଭର୍ତ୍ତି କରୁଥିଲା। ହେଲେ ଏହା ପରିବେଶ ପାଇଁ ମଧ୍ୟ କ୍ଷତିକାରକ ଥିଲା। ତେବେ ଏପରି ପରିସ୍ଥିତିରେ, ରିଜର୍ଭ ବ୍ୟାଙ୍କ ପୁରୁଣା ଏବଂ ଛିଣ୍ଡା ନୋଟ୍ ପୁନଃବ୍ୟବହାର ପାଇଁ ଏକ ସମାଧାନର ବାଟ ବାହାର କରିଛି।
ଆସନ୍ତୁ ଜାଣିବା ଏବେ ଏହି ନୋଟଗୁଡ଼ିକର କଣ ହେଉଛି?
ଭାରତୀୟ ରିଜର୍ଭ ବ୍ୟାଙ୍କ ( RBI ) ଏବେ ଏହି ନୋଟଗୁଡ଼ିକୁ ଫର୍ଣ୍ଣିଚରରେ ପୁନଃଚକ୍ରିତ କରିବାକୁ ପ୍ରସ୍ତୁତ ହେଉଛି। ପ୍ରତିବର୍ଷ ଆରବିଆଇ ୧୫,୦୦୦ ଟନ୍ ରୁ ଅଧିକ ପୁରୁଣା ଏବଂ ନଷ୍ଟ ନୋଟ୍ ସଂଗ୍ରହ କରେ। ଏପର୍ଯ୍ୟନ୍ତ, ଏହି ନୋଟଗୁଡ଼ିକୁ ନଷ୍ଟ କରିବା ପାଇଁ ବ୍ୟାଙ୍କ ପୋଡ଼ିବା କିମ୍ବା ଲ୍ୟାଣ୍ଡଫିଲିଂର ଆଶ୍ରୟ ନେଉଥିଲା। ଏହି ପ୍ରକ୍ରିୟା କେବଳ ମହଙ୍ଗା ନୁହେଁ ବରଂ ପରିବେଶ ପାଇଁ ମଧ୍ୟ କ୍ଷତିକାରକ ଥିଲା।
RBIର ନୂତନ ଯୋଜନା କ’ଣ?
ଆରବିଆଇର ନୂତନ ଯୋଜନା ଅନୁଯାୟୀ, ପୁରୁଣା ଏବଂ ନଷ୍ଟ ନୋଟଗୁଡ଼ିକୁ ଏବେ ଖଣ୍ଡ ଖଣ୍ଡ କରି ପାର୍ଟିକାଲ ବୋର୍ଡ ନିର୍ମାଣକାରୀ କମ୍ପାନୀଗୁଡ଼ିକୁ ଦିଆଯିବ। ଏହା କମ୍ପାନୀଗୁଡ଼ିକୁ ଶସ୍ତା ଏବଂ ସ୍ଥାୟୀ କଞ୍ଚାମାଲ ଯୋଗାଇବ, ଯାହା ଫଳରେ ଫର୍ଣ୍ଣିଚର ଏବଂ ଅନ୍ୟାନ୍ୟ ଉତ୍ପାଦ ତିଆରି କରିବା ସହଜ ହେବ। ଏହା ବ୍ୟତୀତ, ନୋଟଗୁଡ଼ିକୁ ନଷ୍ଟ କରିବା ପାଇଁ ଆରବିଆଇର ଖର୍ଚ୍ଚ ମଧ୍ୟ ହ୍ରାସ ପାଇବ। ଏହା ବ୍ୟତୀତ, ଏହି ପ୍ରକ୍ରିୟା ବ୍ୟାଙ୍କଗୁଡ଼ିକ ପାଇଁ ଅତିରିକ୍ତ ରାଜସ୍ୱ ସୃଷ୍ଟି କରିବ ବୋଲି ମଧ୍ୟ ଆଶା କରାଯାଉଛି।
ପାର୍ଟିକଲ ବୋର୍ଡ ହେଉଛି ଏକ ପ୍ରକାରର ଇଞ୍ଜିନିୟର୍ଡ କାଠ, ଯାହା କାଠର ଗୁଣ୍ଡ, ଚୂନା ଓ ଫାଇବରକୁ ଗନ୍ଦ କିମ୍ବା ରେଜିନ ସହିତ ତିଆରି କରାଯାଏ। ଏବେ ଏଥିରେ ପୁରୁଣା ନୋଟ୍ର ଖଣ୍ଡଗୁଡ଼ିକୁ ମଧ୍ୟ ସାମିଲ କରାଯିବ। ଏହାର ବ୍ୟବହାର ଚଉକି, ଟେବୁଲ, ଆଲମାରୀ ଓ ଅନ୍ୟାନ୍ୟ ଆସବାବପତ୍ର ତିଆରିରେ ହେବ। ତେଣୁ ଯେତେବେଳେ ଆପଣଙ୍କ ହାତରୁ କୌଣସି ନୋଟ ପୁରୁଣା ହୋଇ କିମ୍ବା ଛିଣ୍ଡି ଚଳଣୀରୁ ବାହାରି ଯିବ, ତେବେ ଭାବନ୍ତୁ ନାହିଁ ଯେ ତା’ର ଜୀବନ ଶେଷ ହୋଇଗଲାବୋଲି। କାରଣ ଏହା କୌଣସି ନା କୌଣସି ରୂପରେ ଫେରିବ, ହୁଏତ ଆପଣଙ୍କ ଘରର ଚଉକି କିମ୍ବା ଟେବୁଲ ହୋଇ ଏହା ପୁଣି ବ୍ୟବହାରଯୋଗ୍ୟ ହେବ।