ପ୍ରୟାଗରାଜ: ସରିଲା ଦିବ୍ୟ, ଭବ୍ୟ, ଆଲୌକିକର ମହାପର୍ବ ମହାକୁମ୍ଭ । ମହାଶିବରାତ୍ରି ସହ ସରିଛି ମୋକ୍ଷର ଏହି ମହାପର୍ବ । ଅନ୍ତିମ ଦିନରେ ଦେଖିବାକୁ ମିଳିଛି ଅପୂର୍ବ ସଙ୍ଗମ । ଆରମ୍ଭ ଯେମିତି ହୋଇଥିଲା ସମାପନା ବି ସେମିତି । ସନାତନ ଧର୍ମରେ ବିଶ୍ୱାସ କରୁଥିବା କୋଟି କୋଟି ଶ୍ରଦ୍ଧାଳୁ ଏଠାକୁ ଆସି ପବିତ୍ର ବୁଡ଼ ପକାଇଛନ୍ତି । ଆସ୍ଥା ଓ ଭକ୍ତିର ଏହି ମାର୍ଗରେ ସାମିଲ ହେବାକୁ କେବଳ ଭାରତରୁ ନୁହେଁ, ସମଗ୍ର ବିଶ୍ୱରୁ ଶ୍ରଦ୍ଧାଳୁ ମାନେ ଏଠାକୁ ଧାଇଁ ଆସିଥିଲେ ।
ଗଭୀର ଆସ୍ଥା, ବିସ୍ତୃତ ଭକ୍ତି, ଆଉ ମୋକ୍ଷ ପ୍ରାପ୍ତିର ବିଶ୍ବାସ ପାଇଁ ଜନସମୁଦ୍ର ପାଲଟିଥିଲା ତୀର୍ଥରାଜ ପ୍ରୟାଗ । ୪୫ ଦିନ ଧରି ଚାଲୁଥିବା ଏହି ମହାପର୍ବରେ ୬୬ କୋଟିରୁ ଅଧିକ ଶ୍ରଦ୍ଧାଳୁ ଗଙ୍ଗା ଯମୁନା ଓ ସରସ୍ୱତୀର ସଙ୍ଗମତଟରେ ଆସି ଆସ୍ଥାର ବୁଡ ପକାଇଛନ୍ତି । ହର ହର ମହାଦେବ, ଗଙ୍ଗା ମାତା କି ଜୟ, ବମ ବମ ଭୋଲେ ନାରାରେ କମ୍ପିଥିଲା ପୂରା ପ୍ରୟାଗରାଜର ପରିବେଶ । ସେଇ ପରିବେଶକୁ ଦେଖିଲେ ଲାଗୁଥିଲା, ସତେ ଯେମିତି ଆସ୍ଥା ଓ ଶ୍ରଦ୍ଧାର ଏକ ବିଶାଳ ସମୁଦ୍ର ଏଠାରେ ସୃଷ୍ଟି ହୋଇଛି ।
ପ୍ରତିଟି ସାହି ସ୍ନାନ ପାଇଁ ତୀର୍ଥରାଜ ପ୍ରୟାଗ ଜନସମୁଦ୍ର ପାଲଟିଥିଲା । ଦୂର ଦୂରାନ୍ତରୁ ଶ୍ରଦ୍ଧାଳୁ ମାନେ ଚାଲି ଆସି ଏଠାରେ ପକାଉଥିଲେ ଆସ୍ଥା ଓ ବିଶ୍ୱାସ ବୁଡ଼ । ମନ୍ତ୍ର ଉଚ୍ଚାରଣ ଓ ଆଧ୍ୟାତ୍ମିକ ପରିବେଶରେ ଝୁମି ଉଠିଥିଲା ପୁରା ପ୍ରୟାଗରାଜ । ନେତା ଠୁ ଜନତା ସମସ୍ତେ ଏଠି ଏକାଠି ହୋଇଥିଲେ ।
ଅଧିକ ପଢନ୍ତୁ: ଏହି ୫ଟି ଦେଶର ନାଗରିକଙ୍କ ଠାରୁ ମହାକୁମ୍ଭରେ ବୁଡ଼ ପକାଇଲେ ଅଧିକ ଲୋକ!
ଦୀର୍ଘ ୧୪୪ ବର୍ଷ ପରେ ପଡିଥିଲା ଆଲୌକିକର ଏହି ମହାପର୍ବ । ଯାହା ସମଗ୍ର ବିଶ୍ୱ ପାଇଁ ଏକ ଦୁଲର୍ଭ ମୁହୂର୍ତ ପାଲଟିଥିଲା, ଏଥିରେ ସାମିଲ ହେବାକୁ କିଏ ବା ନ ଚାହିଁବ । ସେଥିପାଇଁ ତ କିଏ ନିଜ ପରିବାର ସହ ଏଠାକୁ ଧାଇଁ ଆସିଥିଲେ ତ, ଆଉ କିଏ ନିଜେ ବୁଡ଼ ପକାଇବା ପରେ ପରିବାର ଓ ସମ୍ପର୍କୀୟଙ୍କ ପାଇଁ ନେଇଯାଉଥିଲେ ସଙ୍ଗମତଟରୁ ଟୋପେ ପବିତ୍ର ଜଳ ।
ସନାତନ ଧର୍ମର ସବୁଠୁ ବିଶାଳ ସମାବେଶରେ ଯେଭଳି କାହାର କିଛି ଅସୁବିଧା ନ ହେବ, ସେଥିପାଇଁ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ନିଜେ ଏହାର ମନିଟରିଙ୍ଗ କରୁଥିଲେ । ଭବ୍ୟ ସମାରୋହ ପାଇଁ ସରକାର ତରଫରୁ ହୋଇଥିଲା ଭବ୍ୟ ପ୍ରସ୍ତୁତି । ଭିଡ଼ ନିୟନ୍ତ୍ରଣ ପାଇଁ ପ୍ରସ୍ତୁତ ରହିଥିଲା ପୁରା ପ୍ରଶାସନ । ୧୩ ଜାନୁୟାରୀ ପୌଷପୂର୍ଣ୍ଣିମା ଠାରୁ ଆରମ୍ଭ ହୋଇଥିବା ଭକ୍ତିର ଏହି ମହାପର୍ବ ୨୬ ଫେବୃୟାରୀ ମହାଶିବରାତ୍ରୀରେ ସମାପନ ହୋଇଛି ।
ଅଧିକ ପଢନ୍ତୁ: ମହାକୁମ୍ଭର ଶ୍ରଦ୍ଧାଳୁଙ୍କୁ ଅଭିବାଦନ ଜଣାଇଲେ ବାୟୁସେନା: 'ହର ହର ମହାଦେବ'ରେ ଗୁଞ୍ଜରିତ ହେଲା ସଙ୍ଗମ ସହର
ଦିର୍ଘ ୪୫ ଦିନ ଧରି ଚାଲିଥିବା ଏହି ମହାକୁମ୍ଭ ମହାରେକର୍ଡ ସୃଷ୍ଟି କରିଛି । ପ୍ରତିଟି ସାହି ସ୍ନାନରେ କୋଟି କୋଟି ଶ୍ରଦ୍ଧାଳୁଙ୍କୁ ସମ୍ମାନ ଜଣାଇ ଆକାଶମାର୍ଗକୁ ସେମାନଙ୍କ ଉପରକୁ ଫୁଲବର୍ଷା କରାଯାଉଥିଲା । ଆଉ ଅନ୍ତିମ ଦିନରେ ବି ତୀର୍ଥରାଜ ପୟାଗ ଏବଂ ଏଠାରେ ବୁଡ଼ପକାଉଥିବା କୋଟି କୋଟି ଶ୍ରଦ୍ଧାଳୁଙ୍କୁ ସମ୍ମାନ ଜଣାଇ ଏୟାର ଶୋ କରିଥିଲେ ଭାରତୀୟ ବାୟୁ ସେନାର ଯୁଦ୍ଧ ବିମାନ ।
ପ୍ରୟାଗରାଜରେ ଚାଲିଥିବା ମହାକୁମ୍ଭ ରେକର୍ଡକୁ ଦେଖି ତମାମ ଦେଶ ଏବେ ଚମକି ପଡିଛି । କାରଣ ମହାକୁମ୍ଭର ସମାବେଶ ଭାରତ ଓ ଚୀନକୁ ବାଦ ଦେଲେ ପ୍ରାୟ ଅଧିକାଂଶ ଦେଶର ଜନାସଂଖ୍ୟାଠୁ ବି ଏହା ଅଧିକ ହୋଇଛି । ଯଦିଓ ଏହି ସାମବେଶରେ ଅବ୍ୟବସ୍ଥାକୁ ନେଇ କିଛି ବିରୋଧୀ ଗୋଷ୍ଠୀ ପ୍ରଶ୍ନ ଉଠାଇଛନ୍ତି, ତଥାପି ଏତେ ବଡ଼ ସମାବେଶ କରିବା ଏତେ ସହଜ କଥା ନୁହେଁ । କୋଟି କୋଟି ଶ୍ରଦ୍ଧାଳୁ ତ୍ରିବେଣୀରେ ବୁଡ଼ ପକାଇ ଧନ୍ୟ ହୋଇ ଯାଇଛନ୍ତି । ଆଉ ନିଜ ମାଟିରେ ଏତେ ସଂଖ୍ୟକ ଶ୍ରଦ୍ଧାଳୁଙ୍କୁ ପାଖରେ ପାଇ ସେଇ ପବିତ୍ର ସଙ୍ଗମ ମାଟି ବି ଆଜି ଧନ୍ୟ ହୋଇଯାଇଛି । ପୁଣି ଅପେକ୍ଷା ଆଉ ମହାକୁମ୍ଭକୁ...