ପୁରୀ: ଆଜି ହେଉଛି ପଖାଳ ଦିବସ । ଓଡ଼ିଆଙ୍କ ପାଖରେ ପଖାଳର ସ୍ୱତନ୍ତ୍ରତା ରହିଛି । ଆମ ଓଡ଼ିଆ ଜାତିର ଆରାଧ୍ୟ ଦେବତା ମହାପ୍ରଭୁ ଜଗନ୍ନାଥଙ୍କର ମଧ୍ୟ ପଖାଳ ହେଉଛି ସବୁଠୁ ପ୍ରିୟ ଖାଦ୍ୟ । ବର୍ଷକ ବାରମାସ ନିଇତି ପ୍ରଭୁଙ୍କ ପାଖେ ଲାଗି ହୁଏ ନାନା ପ୍ରକାର ପଖାଳ । ମହାପ୍ରଭୁ ସବୁଦିନ ପଖାଳ ଖାଇକି ନିଦ୍ରା ଯାଆନ୍ତି । ପଖାଳର ସୃଷ୍ଟି ଯେ ଶ୍ରୀମନ୍ଦିରରୁ ହେଇଛି ତାର ପ୍ରମାଣ ଦିଅନ୍ତି ଆମ ମହାପ୍ରଭୁ । ୫୬ ଭୋଗଠାରୁ ବି ଦୁର୍ଲଭ ଭୋଗ ମହାପ୍ରଭୁଙ୍କ ପଖାଳ ଭୋଗ । କୋଟି ଓଡିଆର ମଉଡମଣିଙ୍କ ଏହା ଅତି ପ୍ରିୟ ଖାଦ୍ୟ । ମହାପ୍ରଭୁଙ୍କ ପଖାଳ ସେବାକୁ ସୁଚାରୁ ରୂପେ ତୁଲାଇବା ପାଇଁ ଗଜପତି ମହାରାଜା ସ୍ୱତନ୍ତ୍ର ଭାବେ ୨ପ୍ରକାର ସେବକଙ୍କୁ ଖଞ୍ଜିଛନ୍ତି ।
ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କ ପାଖେ ଲାଗିହେଉଥିବା ପଖାଳ ଭୋଗ ମଧ୍ୟରେ ରହିଛି ସୁବାସ ପଖାଳ , ଚୁପୁଡା ପଖାଳ , ପାଣି ପଖାଳ , ଦହି ପଖାଳ , ମିଠା ପଖାଳ , ମଲ୍ଲିଫୁଲ ପଖାଳ , ଟଭା ପଖାଳ , ଘିଅ ପଖାଳ । ସାଧାଅନ୍ନ, ଲୁଣ, ଅଦାଖଣ୍ଡ, ଦହି, ଭଜା ଜିରା ଇତ୍ୟାଦି ମିଶାଯାଇ ପ୍ରସ୍ତୁତ ହୁଏ ପଖାଳ ।
ମହାପ୍ରଭୁଙ୍କ ପାଖେ ଲାଗି ହେଉଥିବା ବିଭିନ୍ନ ରକମର ପଖାଳ ମଧ୍ୟରୁ ସୁବାସିତ ପଖାଳ ଅନ୍ୟତମ । ପଖାଳରେ ଲବଙ୍ଗ ଓ ଗୋଲମରିଚ ଦିଆଯାଇ ସୁବାସିତ ପଖାଳ ପ୍ରସ୍ତୁତ ହୁଏ । ମହାପ୍ରଭୁଙ୍କ ଦିନ ଦ୍ୱିପ୍ରହର ଭୋଗରେ ଲାଗି ହୁଏ ସୁବାସିତ ପଖାଳ । ସନ୍ଧ୍ୟାବେଳେ ବଢାଯାଏ ଦହି ପଖାଳ, ଆଉ ଶେଷରେ ବଡ଼ସିଂହାର ଧୂପରେ ଘିଅ ପଖାଳ ବଢାଯାଏ ।
ପଖାଳ ପ୍ରସ୍ତୁତ ପାଇଁ ଶ୍ରୀମନ୍ଦିର ରୋଷ ଘରେ ରହିଛି ମୁଗୁନି ପଥରରେ ୨ଟି ପଖାଳ କୁଣ୍ଡ । ଅନ୍ନ ରନ୍ଧା ହେବା ପରେ ତାହା ସେଇ ପଖାଳ କୁଣ୍ଡରେ ପଡ଼ିଥାଏ । ତାହା ଥଣ୍ଡା ହେଲେ ସେବକ ମାନେ ଅନ୍ୟାନ୍ୟ ସାମଗ୍ରୀ ସବୁ ପକାଇ ପଖାଳ ପ୍ରସ୍ତୁତ କରନ୍ତି । ଗତ କିଛି ଦିନ ହେବ ଚାରିଆଡେ ଏବେ ମାର୍ଚ୍ଚ ୨୦କୁ ପାଖଳ ଦିବସ ଭାବେ ପାଳନ କରାଯାଉଥିବା ବେଳେ, ମହାପ୍ରଭୁଙ୍କ ନିକଟରେ ବର୍ଷକ ବାରମାସ ପଖାଳ ଭୋଗ ହୁଏ ।
ଆନନ୍ଦ ବଜାର ଭିତରେ ଗୋଟେ ଡଙ୍ଗା ଅଛି ତା ଭିତରେ ଅବଢା ତୋରାଣି ରହିଥାଏ । ସେ ତୋରାଣି କୁ ଯିଏ ପିଇଲା ବା ଘରକୁ ଆଣିକି ପିଇଲା ତାର ସମସ୍ତ ରୋଗ ଭଲ ହୋଇଯାଏ ବୋଲି ବିଶ୍ୱାସ ରହିଛି । ଏପରିକି ବହୁମୁତ୍ର ରୋଗୀ ମଧ୍ୟ ସେ ପଖାଳକୁ ସେବନ କଲେ ତାର ରୋଗ କ୍ରମଶଃ ଭଲ ହୋଇଯାଏ । ବର୍ତମାନ ବି ପୁରୀ ବଡ ଓଡିଆ ମଠରେ ରହିଛି ନନ୍ଦୀ ତୋରାଣି ଅର୍ଥାତ ପଖାଳ , ଯାହାକୁ ଅତିବଡି ଜଗନ୍ନାଥ ଦାସ ଶ୍ରୀଚୈତନ୍ୟ ମହାପ୍ରଭୁଙ୍କୁ ଦେଇଥିଲେ l ଏହି ତୋରାଣି ବା ପଖାଳ ପାନ ଦ୍ବାରା ଶ୍ରୀଚୈତନ୍ୟ ମହାପ୍ରଭୁଙ୍କ ଶ୍ଵାସଃରୋଗ ଭଲ ହୋଇଥିଲା l ଏହି ପଖାଳ ଥିଲା ମହାପ୍ରସାଦର ପଖାଳ l
ଅଧିକ ପଢନ୍ତୁ: ଆଜି ତାତିରୁ ମିଳିବ ଅଶ୍ଵସ୍ତି : ବଢୁଥିବା ତାପମାତ୍ରାରେ ଲାଗିବ ବ୍ରେକ