ଭୁବନେଶ୍ଵର: ସ୍ନେହାଙ୍ଗିନୀ ଛୁରିଆ ହେଲେ ବିଜେଡିର ନୂଆପଡ଼ା ପ୍ରାର୍ଥୀ। ନୂଆପଡ଼ା ଉପନିର୍ବାଚନ ପାଇଁ ବିଜୁ ଜନତା ଦଳ (ବିଜେଡି) ଆଜି ସନ୍ଧ୍ୟାରେ ପ୍ରାର୍ଥୀ ଘୋଷଣା କରିଛି। ଦଳର ସଭାପତି ନବୀନ ପଟ୍ଟନାୟକ ଏକ ଗୁରୁତ୍ବପୂର୍ଣ୍ଣ ବୈଠକ ପରେ ସ୍ନେହାଙ୍ଗିନୀ ଛୁରିଆଙ୍କୁ ପ୍ରାର୍ଥୀ ଭାବେ ଘୋଷଣା କରିଛନ୍ତି।
ନୂଆପଡ଼ା ଉପନିର୍ବାଚନ ପାଇଁ ରାଜନୈତିକ ଦଳଗୁଡ଼ିକ ମଧ୍ୟରେ ତତ୍ପରତା ଦେଖାଯାଇଛି। ଆସନ୍ତା ନଭେମ୍ବର ୧୧ ତାରିଖରେ ଏଠାରେ ମତଦାନ ଗ୍ରହଣ କରାଯିବାକୁ ଥିବା ବେଳେ ପ୍ରାର୍ଥିପତ୍ର ଦାଖଲ ପ୍ରକ୍ରିୟା ଜାରି ରହିଛି। ଏହାରି ମଧ୍ୟରେ ଆଜି କଂଗ୍ରେସର ପ୍ରାର୍ଥୀ ଘାସିରାମ ମାଝୀ ପ୍ରାର୍ଥିପତ୍ର ଦାଖଲ କରିଥିବା ବେଳେ ଆସନ୍ତାକାଲି ବିଜେପିର ପ୍ରାର୍ଥୀ ଜୟ ଢୋଲକିଆ ପ୍ରାର୍ଥିପତ୍ର ଦାଖଲ କରିବେ।
ଏହାରି ମଧ୍ୟରେ ବିଜୁ ଜନତା ଦଳର ପ୍ରାର୍ଥି କିଏ ହେବେ ସେନେଇ ଘୋଷଣା ଜୋରଦାର ଚର୍ଚ୍ଚା ଚାଲିଥିଲା। ଆଜି ନବୀନ ନିବାସରେ ଏକ ବରିଷ୍ଠ ନେତାଙ୍କୁ ନେଇ ଗୁରୁତ୍ବପୂର୍ଣ୍ଣ ଆଲୋଚନା କରିଛନ୍ତି ଦଳର ସୁପ୍ରିମୋ। ନବୀନଙ୍କ ଡାକରା କ୍ରମେ ମନୋଜ ମିଶ୍ର ଆସିଥିଲେ, ଯିଏକି ନୂଆପଡ଼ା ନିର୍ବାଚନ ପାଇଁ ବିଜେଡି ଲୋକାଲ ଆକ୍ସନ କମିଟି ସଦସ୍ୟ ଅଛନ୍ତି।
ନୂଆପଡ଼ା ବିଧାନସଭା ଆସନରେ ପୂର୍ବରୁ ବିଜେପି ଜୟ ଢୋଲକିଆଙ୍କୁ ପ୍ରାର୍ଥୀ କରିଥିବା ସମୟରେ କଂଗ୍ରେସ ଘାସିରାମ ମାଝୀଙ୍କୁ ମଇଦାନକୁ ଉତାରିଛି। ଏଥର ବିଜେଡି ମହିଳା କାର୍ଡ ଖେଳି ସ୍ନେହାଙ୍ଗିନୀ ଛୁରିଆଙ୍କୁ ଟିକେଟ ଦେଇଛି ତେଣୁ ଉପନିର୍ବାଚନରେ ତ୍ରିମୁଖୀ ଲଢ଼େଇ ହେବା ନିଶ୍ଚିତ ହୋଇଛି।
ସ୍ନେହାଙ୍ଗିନୀ ଛୁରିଆ ବରଗଡ଼ ଜିଲ୍ଲା ଅତାବିରା ନିର୍ବାଚନ ମଣ୍ଡଳୀରୁ ୨୦୧୪ ଓ ୨୦୧୯ରେ ବିଜୟୀ ହୋଇଥିଲେ। ୨୦୨୪ ନିର୍ବାଚନରେ ୭୦,୫୭୭ ଭୋଟ୍ ପାଇଥିଲେ। ସେ ୨୮,୯୧୦ ଭୋଟ୍ରେ ପରାସ୍ତ ହୋଇଥିଲେ। କଂଗ୍ରେସ ପ୍ରାର୍ଥୀ ନିହାର ମହାନନ୍ଦଙ୍କ ଠାରୁ ହାରିଥିଲେ।
ସ୍ନେହାଙ୍ଗିନୀ ଛୁରିଆ ଶିକ୍ଷକତାରୁ ରାଜନୀତିକୁ ଆସିଥିଲେ। ୨୦୧୪ରେ ନବୀନଙ୍କ ମନ୍ତ୍ରିମଣ୍ଡଳରେ ସ୍ଥାନ ପାଇଥିଲେ। ହସ୍ତତନ୍ତ, ବୟନଶିଳ୍ପ ବିଭାଗ ପାଇଥିଲେ। ସମ୍ବଲପୁର ବିଶ୍ବବିଦ୍ୟାଳୟରୁ ରାଜନୀତି ବିଜ୍ଞାନରେ ସ୍ନାତକ ହାସଲ କରିଛନ୍ତି। ଆଡଗାଁ ବାଳିକା ବିଦ୍ୟାଳୟରେ ୧୯୯୫ରେ ଶିକ୍ଷକତା ଆରମ୍ଭ କରିଥିଲେ। ୧୯୯୭ରେ ଚାକିରି ଛାଡ଼ି ରାଜନୀତିକୁ ଆସିଲେ। ପ୍ରଥମ ଥର ପଞ୍ଚାୟତ ନିର୍ବାଚନରେ କ୍ୟାରିୟର ଆରମ୍ଭ କଲେ। ତଲମେଣ୍ଡା ପଞ୍ଚାୟତରୁ ସମିତିସଭ୍ୟ ଭାବେ ଜିତିଲେ। ଜିତିବା ପରେ ଭେଡେନ୍ ବ୍ଲକ ଅଧ୍ୟକ୍ଷା ଭାବେ ନିର୍ବାଚିତ ହୋଇଥିଲେ।