ଭୁବନେଶ୍ୱର: ପୂର୍ବତନ ଉପ ରାଷ୍ଟ୍ରପତି ଏମ୍. ଭେଙ୍କେୟା ନାଇଡୁ ଏବଂ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମାଙ୍କ ଓଡ଼ିଶା ଗସ୍ତକୁ ନେଇ ରାଜନୀତି ଜୋର ଧରିଛି । ରାଜ୍ୟ ରାଜଭବନରେ ରାଜନୈତିକ ବୈଠକ ହେଉଥିବା ନେଇ ବିରୋଧି ଦଳ ବିଜେଡ଼ି ଯେଉଁ ପ୍ରଶ୍ନ ଉଠାଇଛି ତାହା ଉପରେ ପୂର୍ବତନ ଉପ ରାଷ୍ଟ୍ରପତିଙ୍କ କାର୍ଯ୍ୟାଳୟ ପକ୍ଷରୁ ପ୍ରତିକ୍ରିୟା ସାମ୍ନାକୁ ଆସିଛି । ଗସ୍ତକୁ ରାଜନୈତିକ ରୂପ ନ ଦେବାକୁ ଅନୁରୋଧ କରାଯାଇଛି ।
ପୂର୍ବତନ ଉପ ରାଷ୍ଟ୍ରପତିଙ୍କ କାର୍ଯ୍ୟାଳୟ ପକ୍ଷରୁ ଏକ ପ୍ରେସ ବିବୃତ୍ତି ଜରିଆରେ ଭେଙ୍କେୟା ନାଇଡ଼ୁଙ୍କ ଗସ୍ତଙ୍କୁ ନେଇ ସ୍ପଷ୍ଟୀକରଣ ଦିଆଯାଇଛି । ନିକଟରେ ଓଡ଼ିଶା ଗସ୍ତକୁ ଯେଉଁ ରାଜନୈତିକ ରଙ୍ଗ ଦିଆଯାଉଛି ତାହା ନ କରିବାକୁ ଅନୁରୋଧ କରାଯାଇଛି । ପୂର୍ବତନ ଉପ ରାଷ୍ଟ୍ରପତି ଏମ୍. ଭେଙ୍କେୟା ନାଇଡୁ ଭୁବନେଶ୍ୱରସ୍ଥିତ ଏକ ଏସିଆନ ସ୍କୁଲ ଅଫ୍ ବିଜିନେସ୍ ମ୍ୟାନେଜମେଣ୍ଟର ସମାବର୍ତ୍ତନ ଉସ୍ଛବରେ ମୁଖ୍ୟ ଅତିଥି ଭାବେ ଯୋଗ ଦେବାକୁ ଯାଇଥିଲେ । ନିୟମ ଅନୁସାରେ ସେ ରାଜଭବନରେ ରୁହନ୍ତି ଏବଂ ରାଜ୍ୟପାଳ ତଥା ଅନ୍ୟ ମାନ୍ୟଗଣ୍ୟ ବ୍ୟକ୍ତି ପୂର୍ବତନ ଉପ ରାଷ୍ଟ୍ରପତିଙ୍କୁ ସୌଜନ୍ୟମୂଳକ ଭାବରେ ସାକ୍ଷାତ କରିଥାନ୍ତି ।
ଆହୁରି କୁହାଯାଇଛି ଯେ ଏହି ସୌଜନ୍ୟମୂଳକ ନିମନ୍ତ୍ରଣରେ କୌଣସି ରାଜନୀତି ବିଷୟରେ ଆଲୋଚନା କରାଯାଇ ନାହିଁ । ଏହି ସୌଜନ୍ୟମୂଳକ ସାକ୍ଷାତକୁ କୌଣସି ରାଜନୈତିକ ଉଦ୍ଦେଶ୍ୟରେ ଲେଖାଯିବା ଉଚିତ ନୁହେଁ ଏବଂ ଭାରତର ପୂର୍ବତନ ଉପରାଷ୍ଟ୍ରପତିଙ୍କ କାର୍ଯ୍ୟାଳୟକୁ ଏଭଳି ଏକ ରାଜନୈତିକ ବିବାଦ ଭିତରକୁ ଟାଣି ଆଣିବା, ଏହା ଏକ ଅନ୍ୟାୟ ।
ଏଠାରେ ଉଲ୍ଲେଖ ଯୋଗ୍ୟ, ଗତ କିଛି ଦିନ ତଳେ ପୂର୍ବତନ ଉପ ରାଷ୍ଟ୍ରପତି ଏମ୍. ଭେଙ୍କେୟା ନାଇଡୁ ଏବଂ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା ଗୋଟିଏ ଦିନରେ ଓଡ଼ିଶା ଆସିଥିଲେ । ଉଭୟ ପୃଥକ ପୃଥକଭାବେ ରାଜ୍ୟପାଳଙ୍କୁ ଭେଟିଥିଲେ । ଯାହାକି ନିୟମରେ ଅଛି ଯେ କୌଣସି ରାଜ୍ୟର ମୁଖ୍ୟମନ୍ତ୍ରୀ କିମ୍ବା ରାଷ୍ଟ୍ରପତି କିମ୍ବା ଉପ ରାଷ୍ଟ୍ରପତି ଅନ୍ୟ ରାଜ୍ୟକୁ ଗଲେ ରାଜଭବନରେ ହିଁ ରହିବେ । କିନ୍ତୁ ବିରୋଧୀ ଦଳ ଏହାକୁ ରାଜନୀତି କରଣ କରିଥିଲା । ମାତ୍ର ବିରୋଧୀ ବିଜେଡ଼ି ଅଭିଯୋଗ କରିଥିଲା ଯେ ରାଜଭବନ ଝାଡ଼ଖଣ୍ଡ ନିର୍ବାଚନର ୱାର ରୁମ ପାଲଟିଥିଲା ଏବଂ ସେଠାରେ ନିର୍ବାଚନ ସମ୍ପର୍କରେ ଆଲୋଚନା କରାଯାଇଥିଲା ।