କରାଚୀ: ଶନିବାର ପାକିସ୍ତାନର କରାଚୀ ସହରରେ ଏକ ବଡ଼ ଧରଣର ଆତଙ୍କବାଦୀ ଆକ୍ରମଣ ଘଟିଛି। ସହରର ଗୁଲିସ୍ତାନ-ଏ-ଜୋହର ଅଞ୍ଚଳରେ ଥିବା ସିନ୍ଧ ରେଞ୍ଜର୍ସ(ପାରାମିଲିଟ୍ରି ଫୋର୍ସ) ର ମୁଖ୍ୟାଳୟକୁ ଟାର୍ଗେଟ୍ କରି ଏହି ଆତ୍ମଘାତୀ ହମଲା କରାଯାଇଛି। ପାକିସ୍ତାନୀ ଗଣମାଧ୍ୟମର ସୂଚନା ଅନୁସାରେ, ଆତଙ୍କବାଦୀମାନେ ପ୍ରଥମେ ଅଫିସର ପ୍ରବେଶ ଦ୍ୱାର ନିକଟରେ ଏକ ଶକ୍ତିଶାଳୀ ବୋମା ବିସ୍ଫୋରଣ କରିଥିଲେ, ଯାହା ପରେ ସେହି ଅଞ୍ଚଳରେ ଦୁଇ ପକ୍ଷ ମଧ୍ୟରେ ଜୋରଦାର ଗୁଳିବିନିମୟ ଆରମ୍ଭ ହୋଇଯାଇଥିଲା। ଏହି ରକ୍ତାକ୍ତ ସଂଘର୍ଷରେ ୩ ଜଣ ରେଞ୍ଜର୍ସ ଯବାନ ଓ ୩ ଆତଙ୍କବାଦୀଙ୍କ ସମେତ ମୋଟ ୮ ଜଣଙ୍କର ମୃତ୍ୟୁ ହୋଇସାରିଲାଣି।
ବିଶ୍ୱବିଦ୍ୟାଳୟ ଓ ପାଣିପାଗ କେନ୍ଦ୍ର ନିକଟରେ ହେଲା ବ୍ଲାଷ୍ଟ
ଯେଉଁ ସ୍ଥାନରେ ଏହି ଆକ୍ରମଣ ହୋଇଛି ତାହା ବେଶ୍ ଗୁରୁତ୍ୱପୂର୍ଣ୍ଣ, କାରଣ ଏହି ରାସ୍ତା ନିକଟରେ ଅନେକ ବିଶ୍ୱବିଦ୍ୟାଳୟ ଏବଂ ପାକିସ୍ତାନ ପାଣିପାଗ ବିଭାଗର କାର୍ଯ୍ୟାଳୟ ରହିଛି। ସିନ୍ଧ ପୋଲିସ ମୁଖ୍ୟ ଜାଭେଦ୍ ଆଲମ ଓଧୋ ସୂଚନା ଦେଇଛନ୍ତି ଯେ, ଘଟଣା ସ୍ଥଳରେ ସୁରକ୍ଷାବଳର 'ମୋପିଙ୍ଗ-ଅପ୍ ଅପରେସନ' ବା ସର୍ଚ୍ଚ ଅପରେସନ ଜାରି ରହିଛି। ସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ସ୍ପେଶାଲ ସିକ୍ୟୁରିଟି ୟୁନିଟ୍ (SSU) କମାଣ୍ଡୋ, ଆଣ୍ଟି-ଟେରରିଷ୍ଟ ଫୋର୍ସ (ATF) ଏବଂ ବ୍ୟାପକ ସଂଖ୍ୟାରେ ପୋଲିସ ସେହି ଅଞ୍ଚଳକୁ ଚାରିପଟୁ ଘେରି ରଖିଛନ୍ତି। ରେସ୍କ୍ୟୁ ୧୧୨୨ ର ଜରୁରୀକାଳୀନ ଟିମ୍ ମଧ୍ୟ ଆହତମାନଙ୍କୁ ଉଦ୍ଧାର କରିବା ପାଇଁ ଘଟଣା ସ୍ଥଳରେ ମୁତୟନ ଅଛନ୍ତି।
ମୁଖ୍ୟମନ୍ତ୍ରୀ ମାଗିଲେ ରିପୋର୍ଟ
ଏହି ଭୟାବହ ଆତଙ୍କବାଦୀ ଆକ୍ରମଣ ପରେ ସିନ୍ଧ ପ୍ରଦେଶର ମୁଖ୍ୟମନ୍ତ୍ରୀ ସୟଦ ମୁରାଦ ଅଲି ଶାହ ଗଭୀର ଉଦ୍ବେଗ ପ୍ରକାଶ କରିବା ସହ ତୁରନ୍ତ ତଦନ୍ତ ରିପୋର୍ଟ ତଲବ କରିଛନ୍ତି। ସେ କରାଚୀ ପୋଲିସର ବରିଷ୍ଠ ଅଧିକାରୀମାନଙ୍କୁ ଘଟଣାସ୍ଥଳକୁ ଯାଇ ସ୍ଥିତି ଅନୁଧ୍ୟାନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ସେହିପରି ଗୃହମନ୍ତ୍ରୀ ଜିଆ-ଉଲ-ହସନ ଲଞ୍ଜାର ମଧ୍ୟ ଆଡିସନାଲ ଆଇଜିଙ୍କୁ ଏହି ଘଟଣାର ପୂରା ବିବରଣୀ ଖୁବ୍ଶୀଘ୍ର ଦାଖଲ କରିବାକୁ କହିଛନ୍ତି। ଏହି ଆକ୍ରମଣ ପଛରେ କେଉଁ ଆତଙ୍କବାଦୀ ସଂଗଠନର ହାତ ରହିଛି, ସେ ନେଇ ପୋଲିସ ପକ୍ଷରୁ ସ୍ପଷ୍ଟ ସୂଚନା ମିଳିନାହିଁ।