ନୂଆଦିଲ୍ଲୀ: ତୃଣମୂଳ କଂଗ୍ରେସ ସାଂସଦଙ୍କ ମଧ୍ୟରେ ବିବାଦ ଘନେଇବାରେ ଲାଗିଛି । ସାଂସଦ ମହୁଆ ମୌଇତ୍ରଙ୍କୁ ସମର୍ଥନ କରି ବର୍ତ୍ତମାନ ପଶ୍ଚାତାପ କରୁଛନ୍ତି ସାଂସଦ ବରିଷ୍ଠ ସାଂସଦ କଲ୍ୟାଣ ବାନାର୍ଜୀ । ସେଥିପାଇଁ ସେ ଦେଶବାସୀଙ୍କୁ କ୍ଷମା ପ୍ରାର୍ଥନା ମଧ୍ୟ କରିଛନ୍ତି ।
ଲୋକସଭାର ମୁଖ୍ୟ ସଚେତକ ପଦରୁ ଇସ୍ତଫା ଦେବା ପରେ ଟିଏମସି ସାଂସଦ କଲ୍ୟାଣ ବାନାର୍ଜୀ ସାଂସଦ ମହୁଆ ମୌଇତ୍ରଙ୍କ ଉପରେ ବର୍ଷିଛନ୍ତି । କଲ୍ୟାଣ ବାନାର୍ଜୀ ଏକ୍ସରେ ପୋଷ୍ଟ କରିଛନ୍ତି, "୨୦୨୩ରେ ମହୁଆ ମୋଇତ୍ର ସଂସଦରେ ଅଭିଯୋଗର ସମ୍ମୁଖୀନ ହେଉଥିବାବେଳେ ମୁଁ ତାଙ୍କ ସହ ଛିଡ଼ା ହୋଇଥିଲି । ଏହା ମୋର ଦୃଢ଼ ବିଶ୍ୱାସ ପାଇଁ ଥିଲା, ବାଧ୍ୟବାଧ୍ୟକତା ନଥିଲା । ଆଜି ସେ ମୋତେ 'ମହିଳା ବିରୋଧୀ' ବୋଲି କହି ସେହି ସମର୍ଥନର ପ୍ରତିଦାନ ଦେଇଛନ୍ତି । ମୁଁ ଦେଶବାସୀଙ୍କୁ କ୍ଷମା ମାଗୁଛି ଯେ ମୁଁ ଜଣେ ଏପରି ବ୍ୟକ୍ତିଙ୍କୁ ସମର୍ଥନ କରିଥିଲି, ଯାହାର ସାଧାରଣ କୃତଜ୍ଞତାର ଅଭାବ ରହିଛି । ଲୋକମାନେ ତାଙ୍କ କଥାକୁ ଦେଖନ୍ତୁ ଏବଂ ବିଚାର କରନ୍ତୁ।"
ଆଇନ ଛାତ୍ରୀଙ୍କୁ ଦୁଷ୍କର୍ମ ଘଟଣାରେ କଲ୍ୟାଣ ବାନାର୍ଜୀ କହିଥିଲେ, "ଯଦି ଜଣେ ବନ୍ଧୁ ଜଣେ ବାନ୍ଧବୀଙ୍କୁ ଦୁଷ୍କର୍ମ କରେ, ତାହେଲେ ସୁରକ୍ଷା କିପରି ନିଶ୍ଚିତ କରାଯାଇ ପାରିବ ? ସ୍କୁଲରେ ପୋଲିସ ରହିବେ କି ?" ମହୁଆ କହିଥିଲେ ଯେ ଭାରତରେ ମହିଳା ବିରୋଧୀ ସବୁ ଦଳରେ ଅଛନ୍ତି । ଏହି ବିବାଦ ମଧ୍ୟରେ କଲ୍ୟାଣ ବାନାର୍ଜୀଙ୍କୁ ମୁଖ୍ୟ ସଚେତକ ପଦରୁ ଏବଂ ସୁଦୀପ ବନ୍ଦୋପାଧ୍ୟାୟଙ୍କୁ ଲୋକସଭାରେ ସଂସଦୀୟ ଦଳର ନେତା ପଦରୁ ହଟାଇ ଦିଆଯାଇଛି । ଏବେ ଦିଲ୍ଲୀରେ ଦଳର ନେତୃତ୍ୱ ମୁଖ୍ୟମନ୍ତ୍ରୀ ମମତାଙ୍କ ଭଣଜା ଅଭିଷେକ ବାନାର୍ଜୀ ନେବେ । ଶ୍ରୀ ବାନାର୍ଜୀ ସାଂସଦମାନଙ୍କ ବିରୁଦ୍ଧରେ ଦଳରେ ସଠିକ୍ ସମନ୍ୱୟ ରଖି ନ ପାରିବା ଏବଂ ଆଭ୍ୟନ୍ତରୀଣ କନ୍ଦଳକୁ ପ୍ରୋତ୍ସାହିତ କରିବାର ଅଭିଯୋଗ ଆସିଥିଲା ।