ଭୁବନେଶ୍ୱର: ବିଜେପି ବିଧାୟକ ଜୟ ନାରାୟଣ ମିଶ୍ର ମନ୍ତବ୍ୟକୁ ନେଇ ଗୃହରେ ତୁମ୍ବି ତୋଫାନ ଦେଖିବାକୁ ମିଳିଛି । ବିରୋଧୀ ବିଜେଡି ଓ କଂଗ୍ରେସ ଦଳର ବିଧାୟକମାନଙ୍କର ଭିନ୍ନ ଭିନ୍ନ ପ୍ରସଙ୍ଗରେ ହଟ୍ଟଗୋଳ ଓ ନାରାବାଜୀ କାରଣରୁ ଆଜି ବିଧାନସଭାରେ ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ ଚାଲିପାରି ନାହିଁ । ବାଚସ୍ପତି ସୁରମା ପାଢ଼ୀ ବାରମ୍ବାର ବିରୋଧୀ ସଦସ୍ୟମାନଙ୍କୁ ସହଯୋଗ ଲୋଡ଼ିଥିଲେ ମଧ୍ୟ ବିଧାୟକମାନେ ହଙ୍ଗାମା ଜାରି ରଖିଥିଲେ । ଫଳରେ ବାଚସ୍ପତି ଗୃହକୁ ୧୨.୦୯ ଯାଏ ମୁଲତବୀ ଘୋଷଣା କରିଛନ୍ତି ।
ଆଜି ଗୃହ କାର୍ଯ୍ୟ ନିର୍ଧାରିତ ୧୦.୩୦ ମିନିଟରେ ଆରମ୍ଭ ହୋଇଥିଲା । ପ୍ରଥମେ ଦିବଙ୍ଗତ ପୂର୍ବତନ ମନ୍ତ୍ରୀ ଅନନ୍ତ ଦାସଙ୍କ ପାଇଁ ଶୋକ ପ୍ରସ୍ତାବ ପାରିତ ହୋଇଥିଲା । ଶୋକ ପ୍ରସ୍ତାବ ପାରିତ ହେବା ପରେ ବାଚସ୍ପତି ସୁରମା ପାଢୀ ପ୍ରଶ୍ନୋତର କାର୍ଯ୍ୟକ୍ରମ ଆରମ୍ଭ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ତେବେ ବିରୋଧୀ ବିଜେଡି ଓ କଂଗ୍ରେସ ଦଳର ବିଧାୟକ ମାନେ ଭିନ୍ନ ଭିନ୍ନ ପ୍ରସଙ୍ଗରେ ଗୃହର ମଧ୍ୟ ଭାଗକୁ ଚାଲି ଆସି ନାରାବାଜୀ କରିଥିବା ଦେଖିବାକୁ ମିଳିଥିଲା । ହାତରେ ପ୍ଲାକାର୍ଡ ଧରି ନାରାବାଜି କରିଥିଲେ । ବିଜେପି ବିଧାୟକ ଜୟ ନାରାୟଣ ମିଶ୍ରଙ୍କ ବକ୍ତବ୍ୟକୁ ପ୍ରସଙ୍ଗ କରିଥିଲା ବିଜେଡି । ବିଭାଜନକାରୀ ଶକ୍ତିମାନେ ସାବଧାନ ହୁଅ ପରି ଅନେକ ସ୍ଲୋଗାନ ପ୍ଲାକାର୍ଡରେ ଲେଖିଥିବା ଦେଖିବାକୁ ମିଳିଥିଲା ।
ସେହିପରି ରାଜ୍ୟରେ ଆଦିବାସୀ ମହିଳାମାନଙ୍କ ସୁରକ୍ଷା ପ୍ରସଙ୍ଗକୁ ନେଇ ହୋହାଲ୍ଲା କରିଥିଲା କଂଗ୍ରେସ । ହାତରେ ପ୍ଲାକାର୍ଡ ଧରି କଂଗ୍ରେସ ବିଧାୟକ ମାନେ ଗୃହର ମଧ୍ୟ ଭାଗକୁ ଆସି ନାରାବାଜୀ କରିଥିଲେ । ମୁଖ୍ୟମନ୍ତ୍ରୀ ତାଙ୍କ ଜିଲ୍ଲାର ଆଦିବାସୀ ମହିଳାମାନଙ୍କୁ ସୁରକ୍ଷା ଦେଇ ପାରିବେ ତ ଭଳି ପ୍ରଶ୍ନ ପ୍ଲାକାର୍ଡରେ ଲେଖାଯାଇଥିଲା । କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି ବାଚସ୍ପତିଙ୍କ ପୋଡିୟମ ଉପରକୁ ବାରମ୍ବାର ଚଢିବାକୁ ଉଦ୍ୟମ କରିଥିଲେ । ଉପସ୍ଥିତ ସୁରକ୍ଷାକର୍ମୀମାନେ ତାଙ୍କୁ ଅଟକାଇବାକୁ ଚେଷ୍ଟା କରିଥିଲେ । ବାଚସ୍ପତି ସୁରମା ପାଢୀ ବାରମ୍ବାର ବିରୋଧୀ ବିଧାୟକମାନଙ୍କୁ ନିଜ ନିଜ ଆସନକୁ ଯାଇ ଗୃହ କାର୍ଯ୍ୟରେ ସହଯୋଗ କରିବାକୁ ନିବେଦନ କରିଥିଲେ । କିନ୍ତୁ ବିରୋଧୀ ବିଧାୟକମାନଙ୍କ ଉପରେ କୌଣସି ପ୍ରଭାବ ଦେଖା ଦେଇ ନ ଥିଲା । ଶେଷରେ ବାଧ୍ୟ ହୋଇ ବାଚସ୍ପତି ସୁରମା ପାଢୀ ଦିନ ୧୦.୪୩ରୁ ୧୨.୦୯ ଯାଏ ଗୃହ ମୁଲତବୀ ରହିଲା ବୋଲି ଘୋଷଣା କରିଥିଲେ ।