ନୂଆଦିଲ୍ଲୀ: ଭାରତ ସରକାରଙ୍କ ଶିକ୍ଷା ମନ୍ତ୍ରଣାଳୟ ପକ୍ଷରୁ ଲାଗୁ ତ୍ରିଭାଷା ଫର୍ମୁଲାକୁ ନେଇ ତାମିଲନାଡୁରେ ଲଗାତାର ବିରୋଧ ବଢିବାରେ ଲାଗିଛି । ଡିଏମକେ ଅଭିଯୋଗ କରିଛି ଯେ, ତ୍ରି ଭାଷା ଫର୍ମୁଲା ଜରିଆରେ ତାମିଲନାଡୁ ଉପରେ ହିନ୍ଦୀ ଥୋପିବାର ପ୍ରୟାସ କରାଯାଉଛି । ଆମେ ଏହାକୁ କଦାପି ସ୍ୱୀକାର କରିବୁ ନାହିଁ । ଆଉ ଡିଏମକେ ସହ ସ୍ୱର ମିଳାଇଛି କଂଗ୍ରେସ । ତାମିଲନାଡୁରେ ଦୁଇଟି ଭାଷା ପର୍ଯ୍ୟାପ୍ତ । ସେଠାରେ ତୃତୀୟ ଭାଷାକୁ ସ୍ୱୀକାର କରାଯାଇ ପାରିବ ନାହିଁ ବୋଲି କଂଗ୍ରେସ କହିଛି ।
ତାମିଲନାଡୁ କଂଗ୍ରେସର ନେତା ତଥା ସାଂସଦ କାର୍ତ୍ତି ଚିଦାମ୍ବରମ କହିଛନ୍ତି, ତାମିଲନାଡୁର ଆଭିମୁଖ୍ୟ ସ୍ପଷ୍ଟ ଏବଂ ରାଜ୍ୟରେ ଦୁଇଟି ଭାଷା ହିଁ ପର୍ଯ୍ୟାପ୍ତ । ତାମିଲ ଭାଷା ଆମର ପରିଚୟ ଏବଂ ମାତୃଭାଷା । ଇଂରାଜୀ ଏଥିପାଇଁ ଜରୁରୀ କାରଣ ଏହା ଦୁନିଆ ସହ ସଂପର୍କର ମାଧ୍ୟମ ହୋଇ ପାରିବ । ବିଜ୍ଞାନ ଓ ବାଣିଜ୍ୟକୁ ବୁଝିବା ପାଇଁ ଇଂରାଜୀ ଭାଷାର ଆବଶ୍ୟକତା ରହିଛି । ତେଣୁ ରାଜ୍ୟରେ ତୃତୀୟ ଭାଷାର କୌଣସି ଆବଶ୍ୟକତା ନାହିଁ ।
କାର୍ତ୍ତି ଚିଦାମ୍ବରମ କହିଛନ୍ତି ଯେ, କଂଗ୍ରେସ ଏହି ଭାଷା ବିବାଦରେ ଡିଏମକେର ଆଭିମୁଖ୍ୟ ଆପଣେଇବ । ତାମିଲନାଡୁରେ ହିନ୍ଦୀ ବନାମ ତାମିଲ ବିବାଦ ସୃଷ୍ଟି ହୋଇଛି ।
ଭାଷା ପ୍ରସଙ୍ଗ ତାମିଲନାଡୁରେ ସମ୍ବେଦନଶୀଳ ବିଷୟ । ତେଣୁ ଏହି ପ୍ରସଙ୍ଗ ବିଜେପି ପାଇଁ ମଧ୍ୟ ଚିନ୍ତାର ବିଷୟ । ରାଜ୍ୟରେ ହିନ୍ଦୀ ଭାଷାକୁ ଏମକେ ଷ୍ଟାଲିନ ଓ ତାଙ୍କ ସରକାର ତୀବ୍ର ବିରୋଧ କରି ଆସିଛନ୍ତି । ଭାଷା ପ୍ରସଙ୍ଗକୁ ନେଇ କେନ୍ଦ୍ର ଓ ଷ୍ଟାଲିନ ସରକାର ମୁହାଁମୁହିଁ ସ୍ଥିତିରେ ଅଛନ୍ତି ।