କଟକ: ଦୁଇ ବିଜେଡି ବିଧାୟକଙ୍କୁ ହାଇକୋର୍ଟରୁ ଝଟକା ଲାଗିଛି । ବିଜେଡି ବିଧାୟିକା ମନୋରମା ମହାନ୍ତି ଏବଂ ବିଧାୟକ ଅଶ୍ୱିନୀ ପାତ୍ର ହାଇକୋର୍ଟରୁ ମଙ୍ଗଳବାର ନିରାଶ ହୋଇଛନ୍ତି । ନିର୍ବାଚନ ଅନିୟମିତତା ନେଇ ସେମାନଙ୍କ ବିରୁଦ୍ଧରେ ହୋଇଥିବା ଆବେଦନକୁ ଖାରଜ କରିବା ପାଇଁ କରିଥିବା ପାଲଟା ଆବେଦନକୁ ହାଇକୋର୍ଟ ଖାରଜ କରିଛନ୍ତି । ଉଭୟଙ୍କ ବିରୁଦ୍ଧରେ ଆସିଥିବା ନିର୍ବାଚନ ଅନିୟମିତତା ମାମଲାର ଶୁଣାଣି ହେବ ବୋଲି ହାଇକୋର୍ଟ କହିଛନ୍ତି ।
ଅଧିକ ପଢ଼ନ୍ତୁ:-ପବିତ୍ର ଗୃହରେ ବିରୋଧୀ-ଶାସକଙ୍କ ମଧ୍ୟରେ ହାତାହାତି ପରିସ୍ଥିତି
ନିର୍ବାଚନ ଅନିୟମିତତା ନେଇ ବିଜେଡି ନର୍ଲା ବିଧାୟିକା ମନୋରମା ମହାନ୍ତିଙ୍କ ବିରୋଧରେ କଂଗ୍ରେସ ପ୍ରାର୍ଥୀ ତଥା ପିସିସି ସଭାପତି ଭକ୍ତ ଦାସ ହାଇକୋର୍ଟର ଦ୍ୱାରସ୍ଥ ହୋଇଥିଲେ । ସେହିପରି ଜଳେଶ୍ଵର ବିଜେଡି ବିଧାୟକ ଅଶ୍ୱିନୀ ପାତ୍ରଙ୍କ ବିରୋଧରେ ସମାନ ଅଭିଯୋଗ ଆଣିଥିଲେ ବିଜେପି ପ୍ରାର୍ଥୀ ବ୍ରଜ ମୋହନ ପ୍ରଧାନ । ତେବେ ଉଭୟ ମନୋରମା ମହାନ୍ତି ଏବଂ ଅଶ୍ୱିନୀ ପାତ୍ର ସେମାନଙ୍କ ବିରୋଧରେ ଆସିଥିବା ପିଟିସନକୁ ଖାରଜ କରିବାକୁ ମାନ୍ୟବର ହାଇକୋର୍ଟଙ୍କ ନିକଟରେ ଆବେଦନ କରିଥିଲେ । କିନ୍ତୁ ହାଇକୋର୍ଟ ଉଭୟଙ୍କ ଆବେଦନକୁ ଖାରଜ କରି ମାମଲାର ଶୁଣାଣି ଜାରି ରହିବ ବୋଲି କହିଛନ୍ତି ।