ଭୁବନେଶ୍ୱର: ଗଣତନ୍ତ୍ରର ପବିତ୍ର ମନ୍ଦିର ବିଧାନସଭା ଗୃହରେ ଆଜି ଶାସକ ଓ ବିରୋଧୀ ସଦସ୍ୟମାନେ ସବୁ ଗାରିମା ଭଙ୍ଗ କରିଛନ୍ତି । ଉଭୟ ପକ୍ଷର ସଦସ୍ୟମାନଙ୍କ ମଧ୍ୟରେ ହାତାହାତି ପରିସ୍ଥିତି ସୃଷ୍ଟି ହୋଇଛି । ପରିସ୍ଥିତି ଅଣାୟତ ହେବାରୁ ବାଚସ୍ପତି ସୁରମା ପାଢ଼ୀ ଗୃହକୁ ମଧ୍ୟାହ୍ନ ୧୨ଟା ଯାଏ ମୁଲତବୀ ଘୋଷଣା କରିଛନ୍ତି ।
ଆଜି ଗୃହ କାର୍ଯ୍ୟ ଆରମ୍ଭରୁ ବିରୋଧୀ ବିଜେଡ଼ି ଏବଂ କଂଗ୍ରେସ ସଦସ୍ୟମାନେ ଗତକାଲିର ସମାନ ପ୍ରସଙ୍ଗକୁ ଉଠାଇ ନାରାବାଜି କରିବା ଆରମ୍ଭ କରିଦେଇଛନ୍ତି । କୋଶଳ ରାଜ୍ୟକୁ ନେଇ ବିଧାୟକ ମିଶ୍ର ଦେଇଥିବା ମନ୍ତବ୍ୟକୁ ପ୍ରସଙ୍ଗ କରିଥିଲା ବିଜେଡ଼ି । ବିଚ୍ଛିନ୍ନତାବାଦୀ ଚିନ୍ତାଧାରକୁ ବିରୋଧ କରି ପ୍ଲାଏ କାର୍ଡ ପ୍ରଦର୍ଶନ କରିଥିଲେ । ବିଧାୟକମାନେ ବାଚସ୍ପତିଙ୍କ ପୋଡ଼ିୟମକୁ ଚେଷ୍ଟା କରୁଥିବାବେଳେ ସୁରକ୍ଷାକର୍ମୀ ଅଟକାଇବାକୁ ଚେଷ୍ଟା କରିଛନ୍ତି । ସେହିପରି ରିପୋର୍ଟରଙ୍କ ଟେବୁଲ ଉପରେ ଚଢ଼ି ହେଡଫୋନ୍ କାଢ଼ି ଦେଇଛନ୍ତି । ସେହିପରି କଂଗ୍ରେସ ବିଧାୟକମାନେ ନାରୀ ନିର୍ଯ୍ୟାତନାକୁ ନେଇ ହୋହାଲ୍ଲା କରିଛନ୍ତି । ବିଧାନସଭା ବାହାରେ ମାହତ୍ମାଗାନ୍ଧୀଙ୍କ ପ୍ରତିମୂର୍ତ୍ତି ତଳେ କଂଗ୍ରେସ ସଦସ୍ୟମାନେ ବିରୋଧ ପ୍ରଦର୍ଶନ କରିଛନ୍ତି । ଉଭୟ ଦଳର ସଦସ୍ୟମାନେ ଗୃହର ମଧ୍ୟ ଭାଗକୁ ଆସି ହଙ୍ଗାମା କରିଥିଲେ ।
ତଥାପି ବିରୋଧୀଙ୍କ ପ୍ରବଳ ବିରୋଧ ଏବଂ ହଙ୍ଗାମା ସତ୍ତ୍ୱେ ପ୍ରଶ୍ନୋତ୍ତରକାଳ ଜାରି ରହିଥିଲା । ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ରଙ୍କ ବିଭାଗକୁ ପଚରାଯାଇଥିବା ପ୍ରଶ୍ନର ଉତ୍ତର ରଖିଥିଲେ । କିନ୍ତୁ ପରିସ୍ଥିତି ଆହୁରି ବିଗିଡ଼ିବା ଆରମ୍ଭ ହୋଇଥିଲା । ବିରୋଧୀ ସଦସ୍ୟମାନେ ପ୍ଲାଏ କାର୍ଡ ଫିଙ୍ଗିବା ଆରମ୍ଭ କରିଦେଲେ । ତାରା ପ୍ରସାଦ ବାହିନୀପତି ମନ୍ତ୍ରୀଙ୍କ ମାଇକକୁ ବନ୍ଦ କରିବାକୁ ଚେଷ୍ଟା କରିଥିଲେ । ଏହି ସମୟରେ ବିଜେପି ବିଧାୟକମାନେ ଚେୟାରରୁ ଉଠି ବିରୋଧ କରିବା ଆରମ୍ଭ କରିଦେଇଥିଲେ । ବାଚସ୍ପତି ବାରମ୍ବାର ଗୃହ କାର୍ଯ୍ୟକୁ ସୁରୁଖର ଚାଲିବାକୁ ଅନୁରୋଧ କରିବା ସତ୍ତ୍ୱେ ପରିସ୍ଥିତି ଅଣାୟତ ହେବାରୁ ଗୃହକୁ ୧୨ଟା ଯାଏ ମୁଲତବୀ ଘୋଷଣା କରିଛନ୍ତି ।
ତେବେ କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି ଅଭିଯୋଗ କରିଛନ୍ତି ଯେ ଜୟ ନାରାୟଣ ମିଶ୍ର ତାଙ୍କ ସାର୍ଟ କଲାର୍ କୁ ଟାଣିଛନ୍ତି । ସେପଟେ ବିରୋଧୀ ସଦସ୍ୟମାନେ ଶାନ୍ତିର ସହିତ ପ୍ରତିବାଦ କରିବା ବଦଳରେ ଗୃହର ମର୍ଯ୍ୟାଦା ଭଙ୍ଗ କରିଛନ୍ତି ବୋଲି କହିଛନ୍ତି ବିଜେପି ବିଧାୟକ ଅଶୋକ ମହାନ୍ତି ।