ରାୟପୁର: ଛତିଶଗଡ଼ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା କଂଗ୍ରେସ ନେତା ଭୂପେଶ ବାଘେଲଙ୍କ ପୁଅ ଚୈତନ୍ୟଙ୍କ ମୁଣ୍ଡରେ ଉପରେ ଏବେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର କଳା ବାଦଲ ଘୋଟି ଯାଇଛି । ମଦ ଦୁର୍ନୀତି ମାମଲାରେ ଇଡି ଆଜି ଚଢ଼ଉ କରିଥିବା ଜଣାପଡ଼ିଛି । ଯେଉଁଥିରେ ବାପ ଏବଂ ପୁଅ ଉଭୟଙ୍କ ନାମ ସାମିଲ ରହିଛି ।
ମଦ ଦୁର୍ନୀତି ମାମଲାରେ ଛନ୍ଦି ହୋଇପଡ଼ିଛନ୍ତି ଚୈତନ୍ୟ ବାଘେଲ । ୨୦୧୯ରୁ ୨୦୨୨ ମଧ୍ୟରେ ରାଜ୍ୟ ରାଜକୋଷରୁ ୨,୧୬୧ କୋଟି ଟଙ୍କା ହେରାଫେରି କରାଯାଇଥିବା ଜଣାପଡ଼ିଛି । ଏହି ଯାଞ୍ଚ ବେଳେ ଚୈତନ୍ୟଙ୍କର ଏଥିରେ ସମ୍ପୃକ୍ତି ଥିବା ଇଡିକୁ ପ୍ରମାଣ ମିଳିବା ପରେ ଯାଞ୍ଚ କରାଯାଇଛି । ଆଜି ୧୪ଟି ଠିକଣାରେ ଇଡି ଚଢ଼ଉ ଜାରି ରଖିଛି । ଏଥିରେ କେବଳ ଚୈତନ୍ୟ ନୁହଁନ୍ତି ବରଂ ବରିଷ୍ଠ ସରକାରୀ ଅଧିକାରୀ, ରାଜନେତା ଏବଂ ଅବକାରୀ ବିଭାଗର କର୍ମଚାରୀ ମଧ୍ୟ ସାମିଲ ଅଛନ୍ତି । ବିନା କୌଣସି କାଗଜପତ୍ରରେ ସରକାରୀ ଦୋକାନ ମାଧ୍ୟମରେ ମଦ ବିକ୍ରି ହୋଇଛି । ଯେଉଁଥିରେ ସରକାରୀ ରାଜସ୍ୱର ଏକ ବଡ଼ କ୍ଷତି ହୋଇଛି । ଖାଲି ସେତିକି ନୁହେଁ ମଦ ବିକ୍ରି ପାଇଁ ଫର୍ଜି ହୋଲୋଗ୍ରାମ ଏବଂ ବୋତଲ ବ୍ୟବହାର କରାଯାଇଛି ।
ଇଡିର କାର୍ଯ୍ୟାନୁଷ୍ଠାନ ଉପରେ ଭୂପେଶ ବାଘେଲଙ୍କ କାର୍ୟ୍ୟାଳୟ ପକ୍ଷରୁ ପ୍ରତିକ୍ରିୟା ଦିଆଯାଇଛି । ତାଙ୍କର ସୋସିସଆଲ୍ ମିଡିଆ ଆକାଉଣ୍ଟ ଏକ୍ସରେ କହିଛନ୍ତି, " ଯେତେବେଳେ ସାତ ବର୍ଷ ଧରି ଚାଲିଥିବା ମିଥ୍ୟା ମାମଲା କୋର୍ଟରେ ଖାରଜ ହୋଇଗଲା, ଆଜି ସକାଳେ ପୂର୍ବତନ ମୁଖ୍ୟମନ୍ତ୍ରୀ, କଂଗ୍ରେସ ମହାସଚିବ ଭୂପେଶ ବାଘେଲଙ୍କ ଭିଲାଇ ବାସଭବନରେ ଇଡି ଅତିଥିମାନେ ପ୍ରବେଶ କରିଛନ୍ତି । ଯଦି କେହି ଏହି ଷଡ଼ଯନ୍ତ୍ର ସହିତ ପଞ୍ଜାବରେ କଂଗ୍ରେସକୁ ରୋକିବାକୁ ଚେଷ୍ଟା କରୁଛନ୍ତି, ତେବେ ଏହା ଏକ ଭୁଲ ବୁଝାମଣା।"
୨୦୨୩ରେ ଇଡିର ଏହି ମାମଲାରେ ତତ୍କାଳୀନ ରାୟପୁର ମେୟର ଏଜାଜ ଢେବରଙ୍କ ଭାଇ ଅନୱର ଢେବର, ପୂର୍ବତନ ଆଇଏଏସ ଅଧିକାରୀ ଅନୀଲ ଟୁଟେଜା, ଛତିଶଗଡ଼ ରାଜ୍ୟ ବିପଣନ ନିଗମ ଲିମିଟେଡର ପ୍ରବନ୍ଧ ନିର୍ଦ୍ଦେଶକ ଅରୁଣପତି ତ୍ରିପାଠୀ ପ୍ରମୁଖଙ୍କ ନାମ ସାମିଲ ଥିଲା । ଏମାନେ ଏହି ଆର୍ଥିକ ଅନିୟମିତତା କାରବାର ପ୍ରମୁଖ ଭୂମିକା ଗ୍ରହମ କରିଥିଲେ । ଏଥିରେ ପୂର୍ବତନ ଅବକାରୀ ମନ୍ତ୍ରୀ କବାସୀ ଲଖମା ଗିରଫ ହୋଇ ଜେଲ୍ ଯାଇଛନ୍ତି । ଲଖମାଙ୍କ ଉପରେ ୭୨ କୋଟି ଆତ୍ମସାତ କରିବାର ଅଭିଯୋଗ ରହିଛି ।