ନୂଆପଡ଼ା: ନୂଆପଡ଼ା ଉପନିର୍ବାଚନ ପ୍ରଚାର ପାଇଁ ହାତରେ ମାତ୍ର ଆଉ ଗୋଟିଏ ଦିନ ବାକି ରହିଛି । ଏଥିପାଇଁ ତିନି ଦଳ ପକ୍ଷରୁ ଜୋରଦାର ପ୍ରଚାର କରାଯାଇଛି । ଏହି ପରିପ୍ରେକ୍ଷୀ ବିଜେପି ଆଜି ପୁଣି ଥିରେ ତାର ଶକ୍ତି ପ୍ରଦର୍ଶନ କରିଛି । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ନିଜେ ପ୍ରଚାର ମଇଦାନକୁ ଓହ୍ଲାଇଛନ୍ତି । ଗ୍ରାଣ୍ଡ୍ ରୋଡ୍ ଶୋ’ କରିଛନ୍ତି ମୋହନ । ଏହା ସହିତ ବିଜେଡ଼ିକୁ କଡ଼ା ଟାର୍ଗେଟ୍ କରିଛନ୍ତି । ନବୀନଙ୍କ ବଡ଼ ଗାଡ଼ିରେ ନିଜ ପ୍ରାର୍ଥୀଙ୍କ ପାଇଁ ଜାଗା ନ ଥିଲା ବୋଲି କହିଛନ୍ତି ମୋହନ ।
ମୁଖ୍ୟମନ୍ତ୍ରୀ ଦଳୀୟ ପ୍ରାର୍ଥୀ ଜୟ ଢୋଲକିଆଙ୍କ ପାଇଁ ପ୍ରଚାର କରିଛନ୍ତି । ନୂଆପଡ଼ାରୁ ଖରିଆର ରୋଡ୍ ପର୍ଯ୍ୟନ୍ତ ଭବ୍ୟ ଶୋଭାଯାତ୍ରା କରାଯାଇଥିଲା । ବିଜେପିକୁ ବିପୁଳ ପରିମାଣରେ ଜନ ସମର୍ଥନ ମିଳିଥିବା ଦେଖିବାକୁ ମିଳିଛି । ମୁଖ୍ୟମନ୍ତ୍ରୀଙ୍କ ସହିତ ରାଜ୍ୟ ସଭାପତି ମନମୋହନ ସାମଲ, ମନ୍ତ୍ରୀ ସୁରେଶ ପୂଜାରୀ, ବରିଷ୍ଠ ନେତା ବସନ୍ତ ପଣ୍ଡା ଏବଂ ସାଂସଦ ମାଳବିକା ଦେବୀ ସାମିଲ ହୋଇଥିଲେ ।
ମୁଖ୍ୟମନ୍ତ୍ରୀ ସାଧାରଣ ସଭାରେ ଜୟ ଢୋଲକିଆଙ୍କ ପାଇଁ ଭୋଟ୍ ମାଗିବା ସହିତ ବିଜେଡ଼ିକୁ କଡ଼ା ସମାଲୋଚନା କରିଛନ୍ତି । ବିଜେଡ଼ି କିଭଳି ନିଜର ଦଳୀୟ ନେତା ସ୍ୱର୍ଗତ ରାଜେନ୍ଦ୍ର ଢୋଲକିଆଙ୍କୁ ଅବହେଳା କରିଛି ଗୋଟି ଗୋଟି କରି ବଖାଣିଥିଲେ । ରାଜେନ୍ଦ୍ର ଢୋଲକିଆଙ୍କ ଏକାଦଶରେ ମୁଖ୍ୟମନ୍ତ୍ରୀଙ୍କ ଯୋଗଦାନ ବିଜେଡ଼ିକୁ ଆଚମ୍ବିତ କରିଥିଲା । କିନ୍ତୁ ତାଙ୍କର ଦଳର ମୁଖିଆ ଆହାଃ ପଦେ କହିବାକୁ ଆସିଲେ ନାହିଁ କିମ୍ବା ତାଙ୍କ ଶ୍ରଦ୍ଧାଞ୍ଜଳୀ ସଭାକୁ ଆସିଲେ ନାହିଁ । କିନ୍ତୁ ବିଜେପିର ସେ ଆଦର୍ଶ ନୁହେଁ । ଦଳର ନ ହୋଇ ମଧ୍ୟ ବିଜେପି ତାଙ୍କର ସହିତ ଛିଡ଼ା ହୋଇଥିଲା । ରାଜେନ୍ଦ୍ରଙ୍କ ସହିତ ସମ୍ପର୍କ ଏବଂ ନରେନ୍ଦ୍ର ମୋଦୀଙ୍କ ଦ୍ୱାରା ଅନୁପ୍ରାଣିତ ହୋଇ ଜୟ ଢୋଲକିଆ ବିଜେପିରେ ସାମିଲ ହୋଇଥିଲେ ।
ଏହା ସହିତ ସେ ଆହୁରି କହିଛନ୍ତି, ନବୀନ କାଲି ରୋଡ୍ ଶୋ କରିବାକୁ ଆସିଥିବାବେଳେ ତାଙ୍କ ଗାଡ଼ିରେ ନିଜ ଦଳର ବିଧାୟକ ପ୍ରାର୍ଥୀନୀଙ୍କ ପାଇଁ ଜାଗା ନ ଥିଲା । ତାଙ୍କ ପ୍ରାର୍ଥୀଙ୍କ ନବୀନଙ୍କ ବଡ଼ ଗାଡ଼ିରେ ଜାଗା ନ ଥିଲା । ବିଜେଡ଼ିର ଶୀର୍ଷ ନେତୃତ୍ୱରେ ଗୋଟିଏ ଗାଡ଼ିରେ ଯିବେ ଏବଂ ତାଙ୍କ ପ୍ରାର୍ଥୀ ଆଉ ଗୋଟିଏ ଗାଡ଼ିରେ ପଛେ ପଛେ ଯିବେ । ମୋହନ ପାଣ୍ଡିଆନଙ୍କୁ ମଧ୍ୟ ସମାଲୋଚନା କରିଛନ୍ତି । ସେ ବିଜେଡ଼ି ସଭାପତିଙ୍କ ଚଳନ୍ତି ପ୍ରତିମା ଥିଲେ । ଗତ ନିର୍ବାଚନରେ ପାଣ୍ଡିଆନ ମଞ୍ଚ ଉପରେ ବସୁଥିବାବେଳେ ୫ ଥର ବିଧାୟକ ହୋଇଥିବା ନେତାମାନେ ଟେଣ୍ଟ୍ ବାନ୍ଧୁଥିଲେ ।
ଜୟ ବିଧାୟକ ହେବାକୁ ଅଗ୍ରସର ହେଉଛନ୍ତି । ସମସ୍ତେ ଡବଲ୍ ଇଞ୍ଜିନ୍ ସରକାରକୁ ପସନ୍ଦ କରୁଛନ୍ତି । ନୂଆପଡ଼ାକୁ ସଜେଇବାକୁ ପଡ଼ିବ, ଶିଳ୍ପ ଆସିବ । ଜୟଙ୍କୁ ବିପୁଳ ପରିମାଣରେ ଭୋଟ୍ ଦେଇ ବିଜୟୀ କରିବାକୁ ମୋହନ ଆହ୍ୱାନ କରିଛନ୍ତି ।