ଭୁବନେଶ୍ୱର: ନାରୀ ନିର୍ଯ୍ୟାତନାକୁ ନେଇ ବିଧାନସଭାରେ ବିରୋଧୀ କଂଗ୍ରେସର ହଟ୍ଟଗୋଳ ଜାରି ରହିଛି । କେତେବେଳେ ମୁହଁରେ କଳାପଟି ବାନ୍ଧି ପ୍ରତିବାଦ କରୁଛନ୍ତି ତ ଆଉ କେତେବେଳେ ଗାନ୍ଧୀ ମୂର୍ତ୍ତି ତଳେ ବସି ନାରାବାଜି କରୁଛନ୍ତି । ଆଜି କିନ୍ତୁ ଅଭିନବ ଉପାୟରେ କରିଛନ୍ତି ପ୍ରତିବାଦ । ଗୃହ ମଧ୍ୟରେ ହୁଇସିଲ୍ ମାରି ସରକାରଙ୍କୁ ଜାଗ୍ରତ କରିବାକୁ ଉଦ୍ୟମ କରିବାକୁ ପ୍ରଶ୍ନକାଳରେ ବିଭ୍ରାଟ ସୃଷ୍ଟି ହୋଇଛି । ଫଳରେ ପ୍ରଶ୍ନକାଳ ସମ୍ପୂର୍ଣ୍ଣ ଧୋଇ ଯାଇଛି । ବାଚସ୍ପତି ସୁରମା ପାଢ଼ୀ ଗୃହକୁ ମଧ୍ୟାହ୍ନ ୧୨ଟା ଯାଏଁ ମୁଲତବୀ ଘୋଷଣା କରିଛନ୍ତି ।
ଆଜି ପ୍ରଥମେ ଦିବଂଗତ ନେତା ସ୍ୱର୍ଗତ ଦେବରାଜ ସେଠ୍ ଙ୍କ ବିୟୋଗରେ ଶୋକ ପ୍ରସ୍ତାବ ଆଗତ ହୋଇଥିଲା । ଶୋକ ପ୍ରସ୍ତାବ ପରେ ପ୍ରଶ୍ନକାଳ ଆରମ୍ଭ ହୋଇଥିଲା । ବାଚସ୍ପତି ମନ୍ତ୍ରୀ ଡାକ୍ତର ମୁକେଶ ମହାରିଙ୍ଗଙ୍କୁ ଉତ୍ତର ରଖିବାକୁ କହିଥିଲେ । ମନ୍ତ୍ରୀ ଉତ୍ତର ରଖୁଥିବାବେଳେ କଂଗ୍ରେସ ସଦସ୍ୟମାନେ ନାରୀ ନିର୍ଯ୍ୟାତନା ପ୍ରସଙ୍ଗଙ୍କୁ ଦୋହରାଇ ହଟ୍ଟଗୋଳ ଆରମ୍ଭ କରିଥିଲେ । ବିରୋଧୀ ସଦସ୍ୟମାନେ ହଠାତ୍ ଗୃହରୁ ମଧ୍ୟ ଭାଗକୁ ବାଚସ୍ପତିଙ୍କ ପୋଡ଼ିୟମ୍ ନିକଟରେ ଆସି ହୁଇସିଲ୍ ମାରିବା ଆରମ୍ଭ କରିଥିଲେ । ବାଚସ୍ପତି ସମସ୍ତ ସଦସ୍ୟଙ୍କୁ ନିଜ ନିଜ ଆସନରେ ବସିବାକୁ ଅନୁରୋଧ କରିଥିଲେ । କିନ୍ତୁ କୌଣସି ସଦସ୍ୟ ବାଚସ୍ପତିଙ୍କ ନିର୍ଦ୍ଦେଶକୁ ନ ମାନି ହୋହାଲ୍ଲା କରିଥିଲେ । ଫଳରେ ମନ୍ତ୍ରୀଙ୍କ ଉତ୍ତର ଶୁଭିବା କଷ୍ଟକର ହୋଇପଡ଼ିଥିଲା । ଫଳରେ ବାଚସ୍ପତି ବାଧ୍ୟ ହୋଇ ଗୃହ କାର୍ଯ୍ୟକୁ ୧୨ଟା ଯାଏଁ ସ୍ଥଗିତ ରଖିଥିଲେ ।
ଅନ୍ୟପକ୍ଷରେ କଂଗ୍ରେସ ବିଧାୟକମାନେ ଗୃହ ବାହାରକୁ ଆସି ଗାନ୍ଧୀ ମୂର୍ତ୍ତି ତଳେ ପ୍ରତିବାଦ କରିଛନ୍ତି । ହୁଇସିଲ ମାରି ପ୍ରତିବାଦ କରିଥିବା ଦେଖିବାକୁ ମିଳିଛି ।