ଭୁବନେଶ୍ୱର: ପୂର୍ବତନ ମନ୍ତ୍ରୀ ଅନନ୍ତ ଦାସଙ୍କ ବିୟୋଗରେ ଆଜି ବିଧାନସଭାରେ ଶୋକ ପ୍ରସ୍ତାବ ପାରିତ ହୋଇଛି । ଦୁଇ ଦିନର ବିରତି ପରେ ସୋମବାର ଗୃହ କାର୍ଯ୍ୟ ଆରମ୍ଭ ହେବା ମାତ୍ରେ ବାଚସ୍ପତି ସୁରମା ପାଢୀ ଶୋକ ପ୍ରସ୍ତାବ ଆଗତ କରିବାକୁ ଉପ ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓଙ୍କୁ କହିଥିଲେ । ଉପ ମୁଖ୍ୟମନ୍ତ୍ରୀ ପୂର୍ବତନ ମନ୍ତ୍ରୀ ଅନନ୍ତ ଦାସଙ୍କ ବିୟୋଗରେ ଶୋକ ପ୍ରକାଶ କରିବା ସହ ଶୋକ ପ୍ରସ୍ତାବ ଆଗତ କରିଥିଲେ । ବିରୋଧୀ ଦଳର ନେତା ନବୀନ ପଟ୍ଟନାୟକ ଓ କଂଗ୍ରେସ ବିଧାୟକ ଦଳର ନେତା ରାମଚନ୍ଦ୍ର କାଡାମ ଏହି ଶୋକ ପ୍ରସ୍ତାବକୁ ସମର୍ଥନ କରିଥିଲେ । ଏହା ପରେ ଅମର ଆତ୍ମାର ସଦଗତି କାମନା କରିବା ପାଇଁ ଏକ ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା ଓ ଶୋକ ପ୍ରସ୍ତାବ ପାରିତ ହୋଇଥିଲା ।
ଉଲ୍ଲେଖନୀୟ ଯେ, ପୂର୍ବତନ ମନ୍ତ୍ରୀ ତଥା ବିଜେଡିର ବରିଷ୍ଠ ନେତା ଅନନ୍ତ ଦାସଙ୍କର ରବିବାର ଭୋର ସମୟରେ ଭୁବନେଶ୍ୱର ସ୍ଥିତ ତାଙ୍କ ବାସଭବନରେ ବିୟୋଗ ହୋଇଛି । ମୃତ୍ୟୁବେଳକୁ ତାଙ୍କୁ ୮୫ ବର୍ଷ ବୟସ ହୋଇଥିଲା । ସେ ଦୀର୍ଘଦିନରୁ ଅସୁସ୍ଥ ଥିଲେ । ଅନନ୍ତ ଦାସ ୪ଥର ବିଧାୟକ ଥିଲେ । ସେ ଭୋଗରାଇ ବିଧାନସଭା କ୍ଷେତ୍ରର ପ୍ରତିନିଧିତ୍ୱ କରି ୨୦୦୪, ୨୦୦୯, ୨୦୨୪ ଓ ୨୦୧୯ରେ ଚାରିଥର ବିଜେଡି ପ୍ରାର୍ଥୀ ଭାବେ ବିଧାନସଭାକୁ ନିର୍ବାଚିତ ହୋଇଛନ୍ତି । ସେ ନବୀନ ପଟ୍ଟନାୟକଙ୍କ ସରକାରରେ ଶିଳ୍ପ ମନ୍ତ୍ରୀ, ଉଚ୍ଚଶିକ୍ଷା ମନ୍ତ୍ରୀ ଓ ସରକାରଙ୍କ ମୁଖ୍ୟ ସଚେତକ ଓ ବାଲେଶ୍ୱର ଜିଲ୍ଲା ଯୋଜନା ବୋର୍ଡର ଅଧ୍ୟକ୍ଷ ଭଳି ଅନେକ ଗୁରୁତ୍ୱପୂର୍ଣ୍ଣ ପଦରେ କାର୍ଯ୍ୟ କରିଥିଲେ ।