ଭୁବନେଶ୍ୱର: ଆମର ନିନ୍ଦୁକମାନେ ଭୁଲି ଯାଇଛନ୍ତି ଯେ ଶିଶୁଟିଏ ଜନ୍ମ ହେବାକୁ ମଧ୍ୟ ମା’ ଗର୍ଭରେ ୯ ମାସ ବିତେଇବାକୁ ପଡିଥାଏ। ଆମ ସରକାରର ୯ ମାସ ପୂରଣ କରିବାକୁ ଆହୁରି ଚାରିଦିନ ବାକି ଅଛି। କିନ୍ତୁ, ଏହି ସ୍ୱଳ୍ପ ସମୟ ଭିତରେ ଆମେ ଓଡିଶାର ଜନସାଧାରଣଙ୍କ ପାଇଁ ଯେଉଁ କାର୍ଯ୍ୟ କରି ପାରିଛୁ, ତାହା ସେମାନେ ପ୍ରକୃତରେ ବିଶ୍ୱାସ କରିପାରୁ ନାହାନ୍ତି । ଆଜି ଅନ୍ତର୍ଜାତୀୟ ମହିଳା ଦିବସରେ ଏଭଳି ଭାବରେ ପୂର୍ବ ସରକାରଙ୍କୁ ସମାଲୋଚନା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ।
ଶନିବାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗଂଜାମ ଜିଲ୍ଲାର ବ୍ରହ୍ମପୁର ସହରର ଆମ୍ବପୁଆଠାରେ ରାଜ୍ୟର ୧ କୋଟି ୬୪ ହଜାର ମହିଳାଙ୍କୁ ସୁଭଦ୍ରା ଯୋଜନାର ଦ୍ଵିତୀୟ କିସ୍ତି ପ୍ରଦାନ କରିଛନ୍ତି । ମୁଖ୍ୟମନ୍ତ୍ରୀ କହିଛନ୍ତି, ୯ ମାସର ଆମର ନୂଆ ସରକାର ଆଜି ରାଜ୍ୟର ୧ କୋଟିରୁ ଅଧିକ ମା’ଙ୍କ ପାଇଁ ଆର୍ଥିକ ସ୍ୱାଧୀନତାର ରାସ୍ତା ଖୋଲି ପାରିଛି । ସବୁ ମା’ଙ୍କୁ ୨ଟି କିସ୍ତିରେ ୧୦ ହଜାର ଟଙ୍କା ଲେଖାଏଁ ମିଳିଲା। ସେ ଦୃଷ୍ଟିରୁ, ମୁଖ୍ୟମନ୍ତ୍ରୀ ଭାବେ ଆଜି ଦିନଟି ମୋ ପାଇଁ ସବୁଠାରୁ ସନ୍ତୋଷର ଦିନ ଓ ସବୁଠାରୁ ଗୌରବର ଦିନ ।
ଏହି ଅବସରରେ ସେ ପୂର୍ବ ସରକାରଙ୍କୁ ଟାର୍ଗେଟ୍ କରିଛନ୍ତି । ଯେଉଁମାନେ ପଚାରୁଛନ୍ତି ଯେ ଆମ ସରକାର ୯ ମାସରେ କ'ଣ କରିଛି, ସେମାନଙ୍କୁ କୁହନ୍ତୁ ଯେ ୨୪ ବର୍ଷରେ ଯେଉଁ ସରକାର ମହିଳାଙ୍କ ପାଇଁ କେବଳ ସ୍ଲୋଗାନ ଦେଉଥିଲେ, କିନ୍ତୁ ମୋହନ ସରକାର କ୍ଷମତାକୁ ଆସିବାର ମାତ୍ର ୨୪ ମିନିଟ ମଧ୍ୟରେ ଐତିହାସିକ ସୁଭଦ୍ରା ଯୋଜନା କାର୍ଯ୍ୟକାରୀ କରିବା ପାଇଁ ନିଷ୍ପତ୍ତି ନେଇଥିଲେ ଏବଂ ଖୁସିର ବିଷୟ ଯେ ତିନିମାସ ମଧ୍ୟରେ କାର୍ଯ୍ୟ ଆରମ୍ଭ କରି ଆଜି ୯ ମାସ ମଧ୍ୟରେ ଏକ କୋଟିରୁ ଅଧିକ ମହିଳାଙ୍କୁ ସୁଭଦ୍ରାର ଦ୍ଵିତୀୟ କିସ୍ତି ପ୍ରଦାନ କରିଛନ୍ତି ।
ମୁଖ୍ୟମନ୍ତ୍ରୀ ବିରୋଧୀଙ୍କୁ ନିନ୍ଦୁକ କହି ସମ୍ବୋଧନ କରି କହିଛନ୍ତି, ନିନ୍ଦୁକମାନେ ଭୁଲି ଯାଇଛନ୍ତି ଯେ ଶିଶୁଟିଏ ଜନ୍ମ ହେବାକୁ ମଧ୍ୟ ମା’ ଗର୍ଭରେ ୯ ମାସ ବିତେଇବାକୁ ପଡିଥାଏ। ଆମ ସରକାରର ୯ ମାସ ପୂରଣ କରିବାକୁ ଆହୁରି ଚାରିଦିନ ବାକି ଅଛି। କିନ୍ତୁ, ଏହି ସ୍ୱଳ୍ପ ସମୟ ଭିତରେ ଆମେ ଓଡିଶାର ଜନସାଧାରଣଙ୍କ ପାଇଁ ଯେଉଁ କାର୍ଯ୍ୟ କରି ପାରିଛୁ, ତାହା ସେମାନେ ପ୍ରକୃତରେ ବିଶ୍ୱାସ କରିପାରୁ ନାହାନ୍ତି । ମୁଖ୍ୟମନ୍ତ୍ରୀ ଧାନର ଏମଏସପି ବୃଦ୍ଧି, କନ୍ୟା ସନ୍ତାନ ବିବାହ ଏବଂ ରାଜ୍ୟର ଗରିବ ଜନସାଧାରଣଙ୍କୁ ନିଃଶୁଳ୍କ ଜଗନ୍ନାଥ ଦର୍ଶନ କରାଇବାର ନିଷ୍ପତ୍ତି ପ୍ରତିଶୃତିକୁ ଦୋହରାଇଛନ୍ତି ।
ସୁଭଦ୍ରା ଏକ ବିପ୍ଲବରେ ପରିଣତ ହୋଇଛି । କିଶୋରୀମାନଙ୍କଠାରୁ ଆରମ୍ଭ କରି ଭିନ୍ନ ଭିନ୍ନ ବୟସର ମହିଳାମାନେ ସଶକ୍ତ ଏବଂ ସମୃଦ୍ଧ ହୋଇପାରିବାର ବ୍ୟବସ୍ଥା କରାଯାଉଛି । ଏହା ରାଜ୍ୟର ପ୍ରତ୍ୟେକ ସୁଭଦ୍ରାଙ୍କ ମନରେ ଏକ ନୂତନ ଆଶା ଓ ବିଶ୍ୱାସର ସଂଚାର କରିବ। ସେହିପରି ମହିଳା ବିରୋଧିରେ ଲିପ୍ତ ବ୍ୟକ୍ତିଙ୍କୁ ମଧ୍ୟ ତାଗିଦ କରିଛନ୍ତି ମୁଖ୍ୟମନ୍ତ୍ରୀ । ମହିଳାଙ୍କ ବିରୁଦ୍ଧରେ ହିଂସାରେ ଲିପ୍ତ ବ୍ୟକ୍ତି ସରକାର, ବିଶେଷଭାବେ ବ୍ୟକ୍ତିଗତ ଭାବେ ମୋ ପାଇଁ କେବଳ ଜଣେ ଜଣେ ଅପରାଧୀ, ଏବଂ ଏହିପରି ଅପରାଧୀଙ୍କ ସ୍ଥାନ ଜେଲର ଚାରିକାନ୍ଥ ମଧ୍ୟରେ, ସଭ୍ୟ ସମାଜରେ ତାଙ୍କର କୌଣସି ସ୍ଥାନ ନାହିଁ । ଏହାକୁ କଡାକଡି ଭାବେ ପାଳନ କରିବା ପାଇଁ ମୁଁ ବିଭାଗୀୟ ଅଧିକାରୀଙ୍କୁ ଆବଶ୍ୟକ ନିର୍ଦ୍ଦେଶ ଦେଇସାରିଛି। ମହିଳାମାନଙ୍କୁ ଲକ୍ଷପତି କରାଇବା ପାଇଁ ‘ଲକ୍ଷପତି ଦିଦି’ ଯୋଜନା ଆରମ୍ଭ ହୋଇଛି । ଆମ ରାଜ୍ୟ ଲକ୍ଷପତି ଦିଦି ଯୋଜନାକୁ କାର୍ଯ୍ୟକାରୀ କରି ସମଗ୍ର ଭାରତବର୍ଷରେ ଦ୍ଵିତୀୟ ସ୍ଥାନ ହାସଲ କରିଛି । ବର୍ତ୍ତମାନ ସୁଦ୍ଧା ୫ ଲକ୍ଷ ଲକ୍ଷପତି ଦିଦି ସୃଷ୍ଟି କରି ସାରିଲୁଣି । ଓଡିଶାରେ ୨୦୨୭ ସୁଦ୍ଧା ଅତି କମ୍ ରେ ୨୫ ଲକ୍ଷ ଲକ୍ଷପତି ଦିଦି ସୃଷ୍ଟି କରିବାର କାର୍ଯ୍ୟକ୍ରମ ଜାରି ରଖିଛୁ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମାଝୀ ।
ଏହି କାର୍ଯ୍ୟକ୍ରମ ଅବସରରେ ମୁଖ୍ୟମନ୍ତ୍ରୀ ଗଞ୍ଜାମ ଜିଲ୍ଲାରେ ୬୩୮ କୋଟିରୁ ଅଧିକ ଟଙ୍କାର ବିକାଶମୂଳକ ପ୍ରକଳ୍ପର ଶୁଭାରମ୍ଭ କରିଛନ୍ତି । ଏଥିରେ ୪୯୩ କୋଟି ଟଙ୍କାର ପ୍ରକଳ୍ପ ପାଇଁ ଭିତ୍ତିପ୍ରସ୍ତର ରଖାଯାଇଥିବା ବେଳେ ୧୪୫ କୋଟିରୁ ଅଧିକ ଟଙ୍କାର ପ୍ରକଳ୍ପ ଉଦ୍ଘାଟନ କରାଯାଇଛି ।
ଏହି କାର୍ଯ୍ୟକ୍ରମରେ ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡା, ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହ ଦେଓ, ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ, ମତ୍ସ୍ୟ ଏବଂ ପ୍ରାଣୀ ସମ୍ପଦ ବିକାଶ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ, ପରିବହନ ମନ୍ତ୍ରୀ ବିଭୁତି ଭୂଷଣ ଜେନା, ବ୍ରହ୍ମପୁର ସାଂସଦ ପ୍ରଦୀପ ପାଣିଗ୍ରାହୀ, ଆସିକା ସାଂସଦ ଶ୍ରୀମତୀ ଅନିତା ଶୁଭଦର୍ଶିନୀ ଓ ଗଂଜାମ ଜିଲ୍ଲାର ସମସ୍ତ ବିଧାୟକ ମାନେ ଉପସ୍ଥିତ ଥିଲେ।