ଭୁୁବନେଶ୍ୱର: ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କ ସୁରକ୍ଷା ପ୍ରସଙ୍ଗକୁ ନେଇ ରାଜନୈତିକ ବୟାନବାଜି ଦେଖିବାକୁ ମିଳିଛି । ଏହି ପ୍ରସଙ୍ଗରେ ଏବେ ନିଜର ପ୍ରତିକ୍ରିୟା ରଖିଛନ୍ତି ବରିଷ୍ଠ ବିଜେପି ନେତା ଜୟନାରାୟଣ ମିଶ୍ର । ସେ କହିଛନ୍ତି, ସେମାନେ ଯେଉଁ ଅନ୍ୟାୟ, ଅତ୍ୟାଚାର କରିଛନ୍ତି, ସେଥିପାଇଁ ମନରେ ଭୟ ରହିଛି । ଲୋକମାନେ କାଳେ କିଛି କରି ଦେବେ ସେଥିପାଇଁ ସୁରକ୍ଷା ନେଇଛନ୍ତି ।
ଜୟନାରାୟଣ କହିଛନ୍ତି, ମୁଁ ତ ବିରୋଧୀ ଦଳ ନେତା ଥିବା ବେଳେ ସୁରକ୍ଷା ନେଇ ନ ଥିଲି । ଏବେ ବିଧାୟକ ଭାବେ ବି ସୁରକ୍ଷା ନେଇ ନାହିଁ । ସେମାନଙ୍କ ମନରେ ଭୟ ଅଛି ସେଥିପାଇଁ ସୁରକ୍ଷା ନେଇଛନ୍ତି । ଯାହା କରିଛନ୍ତି, କାଳେ ଲୋକେ ବାଡେଇବେ, ସେମାନଙ୍କ ମନରେ ସେହି ଭୟ ରହିଛି । ଯେଉଁ ନିୟମ ଅଛି ସରକାର ସେହି ଅନୁସାରେ କରିଛନ୍ତି ।
କିଛି ସମୟ ଆଗରୁ ନବୀନଙ୍କ ସୁରକ୍ଷା ହ୍ରାସ ପ୍ରସଙ୍ଗରେ ପୋଲିସ ମହା ନିର୍ଦ୍ଦେଶକ ୱାଇ ବି ଖୁରାନିଆ କହିଥିଲେ ଯେ,ଏହା ଏକ ରେଗୁଲାର ପ୍ରୋସେସ । ସମୟ ଅନୁସାରେ ରାଜ୍ୟସ୍ତରୀୟ କମିଟି ଏହାକୁ ରିଭ୍ୟୁ କରେ । କମିଟି ନିଷ୍ପତ୍ତି ଅନୁସାରେ ସୁରକ୍ଷା ଗ୍ରହଣ କରାଯାଇଥାଏ ।
ସୂଚନାଯୋଗ୍ୟ, ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କ ଜେଡ ସୁରକ୍ଷାକୁ ହ୍ରାସ କରାଯାଇ ୱାଇ ଶ୍ରେଣୀ କରାଯାଇଛି । ଏହା ଅନୁଯାୟୀ,ଏବେ ନବୀନ ପଟ୍ଟନାୟକଙ୍କ ସୁରକ୍ଷାରେ ମୁତୟନ ଅଧିକାଂଶ ସୁରକ୍ଷାକର୍ମୀଙ୍କୁ ଏବେ ଫେରାଇ ନିଆଯାଇଛି । ଏବେ ହାବିଲଦାର ରାଙ୍କର ଦୁଇ ସୁରକ୍ଷାକର୍ମୀ ମୁତୟନ ରହିବେ । ଆବଶ୍ୟକ ପଡିଲେ ଅତିରିକ୍ତ ସୁରକ୍ଷା ବ୍ୟବସ୍ଥା ଯୋଗାଇ ଦିଆଯିବ ।
ଯେବେ ନବୀନ ପଟ୍ଟନାୟକ ବିଧାନସଭାର ବିରୋଧୀ ଦଳ ନେତା ଭାବେ ଭୁବନେଶ୍ୱର ବାହାରକୁ ଯିବେ ସେହି ସମୟରେ ସ୍ଥାନୀୟ ପୋଲିସ ପକ୍ଷରୁ ତାଙ୍କୁ ଆବଶ୍ୟକ ସୁରକ୍ଷା ଯୋଗାଇ ଦିଆଯିବ । ନବୀନ ପଟ୍ଟନାୟକ ବ୍ୟକ୍ତିଗତ ଭାବେ ଯେଉଁ ଦୁଇ ବରିଷ୍ଠ ପିଏସଓଙ୍କୁ ନିଯୁକ୍ତି ଦେଇଥିଲେ,ନିକଟରେ ସେମାନେ ମଧ୍ୟ ସରକାରୀ ସେବାର ଅବସର ନେଇଛନ୍ତି ।