ନୂଆଦିଲ୍ଲୀ: ମହାରାଷ୍ଟ୍ରର ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାରଙ୍କ ପତ୍ନୀ ସୁନେତ୍ରା ପାୱାର ଶୁକ୍ରବାର କହିଛନ୍ତି, କେନ୍ଦ୍ରୀୟ ମନ୍ତ୍ରିମଣ୍ଡଳରେ ସ୍ଥାନ ମିଳିଲେ ଖୁସି ଲାଗିବ। ଏହି ସୁବିଧାରୁ ଲାଭ ଉଠାଇବା ପାଇଁ ଉଦ୍ୟମ କରିବି। ତାଙ୍କର ପାର୍ଟି ‘ଏନ୍ସିପି’ ପୁଣେ ଜିଲ୍ଲାର ବାରାମତୀ ଲୋକସଭା ଆସନରେ ମିଳିଥିବାର ପରାଜୟର ଆତ୍ମଚିନ୍ତନ (ଆତ୍ମସମୀକ୍ଷା) କରୁଛି। ସମୀକ୍ଷା ପରେ ସଂଶୋଧନାତ୍ମକ ପଦକ୍ଷେପ ନିଆଯିବ।
ଲୋକସଭା ନିର୍ବାଚନ ସମୟରେ ସୁନେତ୍ରା ପାୱାର ପଶ୍ଚିମ ମହାରାଷ୍ଟ୍ରର ବାରାମତୀ ଆସନରୁ ନିଜର ନଣନ୍ଦ ଏବଂ ଏନ୍ସିପି (ଶରଦ ପାୱାର) ସାଂସଦ ସୁପ୍ରିୟା ସୁଲେଙ୍କ ଠାରୁ ପରାସ୍ତ ହୋଇଥିଲେ। ଗୁରୁବାର ସେ ରାଜ୍ୟରେ ରାଜ୍ୟସଭା ଉପନିର୍ବାଚନ ପାଇଁ ଏନ୍ସିପି ପ୍ରାର୍ଥୀ ଭାବେ ମୁମ୍ବାଇରେ ପ୍ରାର୍ଥିପତ୍ର ଦାଖଲ କରିଥିଲେ। ସେ ହେଉଛନ୍ତି ଏକମାତ୍ର ପ୍ରାର୍ଥୀ। ତେଣୁ ସୁନେତ୍ରାଙ୍କୁ ସଂସଦର ଉପର ଗୃହ ପାଇଁ ନିର୍ବିରୋଧରେ ଚୟନ କରାଯିବା ସୁନିଶ୍ଚିତ।
ପୁଣେ ପହଞ୍ଚିବା ପରେ ସ୍ଥାନୀୟ ଏନ୍ସିପି କାର୍ଯ୍ୟାଳୟରେ ତାଙ୍କୁ ଭବ୍ୟ ସ୍ବାଗତ କରାଯାଇଥିଲା। ଗଣମାଧ୍ୟମର ପ୍ରତିନିଧିଙ୍କ ପ୍ରଶ୍ନରେ ସେ କହିଥିଲେ, କେନ୍ଦ୍ରୀୟ ମନ୍ତ୍ରିମଣ୍ଡଳରେ ସାମିଲ ହେବାକୁ ଯଦି ପ୍ରସ୍ତାବ ମିଳିବ, ସ୍ବୀକାର କରିବି। ଯଦି ସୁଯୋଗ ମିଳେ, ନିଶ୍ଚିତ ଭାବେ ସ୍ବାଗତ କରିବି।
ଅଜିତ ପାୱାରଙ୍କ ନେତୃତ୍ବରେ ପରିଚାଳିତ ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟି (ଏନ୍ସିପି) ହେଉଛି ବିଜେପିର ସହଯୋଗୀ ଦଳ। ବର୍ତ୍ତମାନ ବିଜେପି ନେତୃତ୍ବରେ ପରିଚାଳିତ ଏନ୍ଡିଏ ସରକାରର ମନ୍ତ୍ରିମଣ୍ଡଳରେ ଏନ୍ସିପିର କୌଣସି ସଦସ୍ୟ ନାହାନ୍ତି। ଏନ୍ସିପି ଦଳର ବରିଷ୍ଠ ନେତା ପ୍ରଫୁଲ୍ଲ ପଟେଲଙ୍କୁ ଏନ୍ଡିଏ ସରକାରରେ ସାମିଲ କରିବାକୁ ପ୍ରସ୍ତାବ ଦେଇଥିଲା। କିନ୍ତୁ ଏହି ପ୍ରସ୍ତାବ ଗ୍ରହଣ କରାଯାଇ ନାହିଁ।