ନୂଆଦିଲ୍ଲୀ: ଭାରତ ସ୍ଥଳଭାଗରୁ ଆକାଶ ଏବଂ ସମୁଦ୍ର ପର୍ଯ୍ୟନ୍ତ ନିରନ୍ତର ତାର ଶକ୍ତି ବୃଦ୍ଧି କରୁଛି। ଅପରେସନ୍ ସିନ୍ଦୁର ପରେ, ଭାରତୀୟ ସଶସ୍ତ୍ର ବାହିନୀ ନିରନ୍ତର ଉନ୍ନତିକରଣର କାର୍ଯ୍ୟ କରୁଛି। ଆଧୁନିକ ଯୁଦ୍ଧରେ ବାୟୁସେନା ଏବଂ ନୌସେନାର ନିୟୋଜିତ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଇସ୍ରାଏଲ-ଇରାନ ଯୁଦ୍ଧଠାରୁ ଆରମ୍ଭ କରି ରୁଷ-ୟୁକ୍ରେନ ଯୁଦ୍ଧ ପର୍ଯ୍ୟନ୍ତ ସଂଘର୍ଷରେ ଏହା ନିଶ୍ଚିତ ହୋଇଛି। ଫଳସ୍ୱରୂପ, ଭାରତ ନିରନ୍ତର ତାର ସେନା, ବାୟୁସେନା ଏବଂ ନୌସେନାର ଶକ୍ତି ବୃଦ୍ଧି କରୁଛି। ଭାରତୀୟ ନୌସେନା ଏବେ ଏହାର ସାମୁଦ୍ରିକ ଏବଂ ବାୟୁସେନା କ୍ଷମତାକୁ ସୁଦୃଢ଼ କରୁଛି। ଏହି ପରିପ୍ରେକ୍ଷୀରେ, ବୁଧବାର, ଡିସେମ୍ବର ୧୭ରେ ନୌସେନାରେ ସାମିଲ ହୋଇଛି ଅତ୍ୟାଧୁନିକ MH-60R ରୋମିଓ ହେଲିକପ୍ଟର।
ହିନ୍ଦ ମହାସାଗରରେ ଶତ୍ରୁ ପକ୍ଷର ଗତିବିଧି ଉପରେ ନଜର ରଖିବା ପାଇଁ ଏହି ହେଲିକପ୍ଟର ଏକ ବଡ଼ ଅସ୍ତ୍ର ସାବ୍ୟସ୍ତ ହେବ। ଏହା ହେଉଛି ଭାରତୀୟ ନୌସେନାର ଦ୍ୱିତୀୟ ରୋମିଓ ସ୍କ୍ୱାଡ୍ରନ୍, ଯାହାକୁ ପଶ୍ଚିମ ସାମୁଦ୍ରିକ ସୀମାରେ ନିୟୋଜିତ କରାଯିବ । ଏଥିରେ ରହିଛି ମଲ୍ଟି-ମୋଡ୍ ରଡାର ଏବଂ ହାଇ-ରିଜୋଲ୍ୟୁସନ କ୍ୟାମେରା, ଯାହା ସମୁଦ୍ର ଭିତରେ ଲୁଚି ରହିଥିବା ଶତ୍ରୁର ବୁଡ଼ାଜାହାଜକୁ ଖୋଜି ବାହାର କରିପାରିବ।
ଆଗାମୀ ଦିନରେ ଏହି ହେଲିକପ୍ଟରଗୁଡ଼ିକୁ ଆଇଏନଏସ୍ ବିକ୍ରମାଦିତ୍ୟ ଏବଂ ଆଇଏନଏସ୍ ବିକ୍ରାନ୍ତରେ ମଧ୍ୟ ମୁତୟନ କରାଯିବ। ଆମେରିକା ସହ ହୋଇଥିବା ୨୪ଟି ହେଲିକପ୍ଟର ଚୁକ୍ତି ମଧ୍ୟରୁ ଏହି ନୂତନ ସ୍କ୍ୱାଡ୍ରନ୍ ଚୀନ୍ ଓ ପାକିସ୍ତାନ ସୀମାରେ ଭାରତର ସୁରକ୍ଷା ବ୍ୟବସ୍ଥାକୁ ଆହୁରି ମଜବୁତ କରିବ। ଏହାର ଅତ୍ୟାଧୁନିକ ସେନ୍ସର ଏବଂ ରଡାର୍ ପ୍ରଣାଳୀ ଯେକୌଣସି ପାଣିପାଗରେ ଶତ୍ରୁର ଗତିବିଧି ଉପରେ ନଜର ରଖିପାରିବ।
ନଜର ପକାନ୍ତୁ ନୌସେନାର ‘ରୋମିଓ’ ହେଲିକପ୍ଟର କାହିଁକି ଏତେ ସ୍ୱତନ୍ତ୍ର
- ଦୁଇଟି ଜେନେରାଲ୍ ଇଲେକ୍ଟ୍ରିକ୍ T700-GE-401C ଟର୍ବୋଶାଫ୍ଟ ଇଞ୍ଜିନ୍
- ପ୍ରାୟ ୨୭୦ କିଲୋମିଟର ପ୍ରତି ଘଣ୍ଟା ବେଗରେ ଉଡ଼ିପାରେ
- ହେଲଫାୟାର ମିସାଇଲ୍, ଏମ୍କେ ୫୪ ଟର୍ପିଡୋ ଏବଂ ଅତ୍ୟାଧୁନିକ ରକେଟ୍ ରହିପାରିବ
- ମଲ୍ଟି-ମୋଡ୍ ରାଡାର୍, ନାଇଟ୍ ଭିଜନ୍ କ୍ୟାମେରା ରହିଛି
- ସର୍ବାଧିକ ଟେକ୍-ଅଫ୍ ଓଜନ ପ୍ରାୟ ୧୦,୬୫୯ କିଲୋଗ୍ରାମ୍
- ଏକାଥରକେ ପ୍ରାୟ ୮୩୦ କିଲୋମିଟର ପର୍ଯ୍ୟନ୍ତ ଦୂରତା ଅତିକ୍ରମ କରିପାରିବ