ଅହମ୍ମଦାବାଦ: କିଛି ଦିନର ବ୍ୟବଧାନ ପରେ ପୁଣି ବୋମା ଆତଙ୍କ ଦେଖା ଦେଇଛି । ଗୁଜରାଟର ଅହମ୍ମଦାବାଦ ସହରରେ ଏକାଧିକ ଘରୋଇ ବିଦ୍ୟାଳୟକୁ ବୋମାରେ ଉଡ଼ାଇ ଦେବାକୁ ମିଳିଛି । ଅପରାହ୍ନ ୧ଟା ୧୧ ମିନିଟ୍ ସମୟରେ ବିସ୍ଫୋରଣ ହେବା ନେଇ ଇମେଲ୍ ଆସିଛି । ଏହା ପରେ ଉକ୍ତ ବିଦ୍ୟାଳୟ ଗୁଡ଼ିକୁ ତୁରନ୍ତ ଛୁଟି ଘୋଷଣା କରାଯାଇ ଯାଞ୍ଚ ଆରମ୍ଭ କରାଯାଇଛି ।
ଅହମ୍ମଦାବାଦର ପାଖାପାଖି ୧୦ଟି ନାମୀଦାମୀ ଘରୋଇ ବିଦ୍ୟାଳୟକୁ ଇ-ମେଲ୍ ଜରିଆରେ ବୋମା ଧମକ ଆସିଛି । ମହାରାଜା ଅଗ୍ରସେନ୍, ଜେବର୍ ସ୍କୁଲ୍ ଅଫ୍ ଚିଲଡ୍ରେନ୍, ନିର୍ମାଣ ଉଚ୍ଚ ବିଦ୍ୟାଳୟ, ଡିବାଇନ୍, ଦେବ୍ ଇଣ୍ଟରନ୍ୟାସନାଲ ଏବଂ ଅନ୍ୟାନ୍ୟ ବିଦ୍ୟାଳୟକୁ ଧମକପୂର୍ଣ୍ଣ ଇ-ମେଲ୍ ଆସିଛି । ଇ-ମେଲର ବିଷୟରେ ‘BOmb Blast @1.11PM’ ଲେଖାଯାଇଛି । ଯାହାର ଅର୍ଥ ଅପରାହ୍ନ ୧ଟା ୧୧ ମିନିଟ୍ ସମୟରେ ବୋମା ବିସ୍ଫୋରଣ ହେବ । ମୁନ୍ରୋ କ୍ୟୁକେଲ୍ (Munro Quickel) ନାମକ ଏକ ଆଇଡିରୁ ଏହି ମେଲ୍ ଆସିଛି । ଏ ନେଇ ବିଦ୍ୟାଳୟ କର୍ତ୍ତୃପକ୍ଷ ସ୍ଥାନୀୟ ପୋଲିସକୁ ଜଣାଇବା ପରେ ତୁରନ୍ତ ଯାଞ୍ଚ ଆରମ୍ଭ କରାଯାଇଛି ।
ସମସ୍ତ ବିଦ୍ୟାଳୟକୁ ଛୁଟି ଘୋଷଣା କରାଯାଇଛି । ଏହା ସହିତ ବୋମା ନିଷ୍କ୍ରିୟକାରୀ ଦଳ, ପୋଲିସ, ଅଗ୍ନିଶମ ବାହିନୀ ଟିମ୍ ଏବଂ ସନ୍ଧାନୀ କୁକୁରଙ୍କ ସହାୟତାରେ ଯାଞ୍ଚ ଆରମ୍ଭ ହୋଇଛି । ଖବର ଲେଖା ଯିବା ବେଳକୁ ସେପରି କିଛି ସନ୍ଦେହ ଜନକ ବସ୍ତୁ ମିଳି ନ ଥିବା ଜଣାପଡ଼ିଛି । ସେପଟେ କିଏ ଇମେଲ୍ ପଠାଇଛି ଏବଂ ଏହାର ସତ୍ୟାସତ୍ୟ କେତେ ତାହା ଜାଣିବାକୁ ସାଇବର ଅପରାଧ ଥାନା ପୋଲିସ ମଧ୍ୟ ଖୋଳତାଡ଼ ଆରମ୍ଭ କରିଦେଇଛି ।