ନୂଆଦିଲ୍ଲୀ: ଏପିଜେ ଅବଦୁଲ କଲାମ ଦେଶର ୧୧ତମ ରାଷ୍ଟ୍ରପତି ହୋଇଥିଲେ । ଏନଡିଏ ସରକାରରେ କଲାମଙ୍କୁ ରାଷ୍ଟ୍ରପତିଭାବେ ଚୟନ କରାଯାଇଥିଲା । କିନ୍ତୁ ଭାରତୀୟ ଜନତା ପାର୍ଟି ପ୍ରଥମ ଚୟନରେ କଲାମଙ୍କ ନାଁ ନଥିଲା । ବରଂ ଦଳ ତତ୍କାଳୀନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କୁ ରାଷ୍ଟ୍ରପତି କରିବାକୁ ଇଚ୍ଛା ପ୍ରକାଶ କରିଥିଲା । ଆଉ ଲାଲକୃଷ୍ଣ ଆଡ଼ଭାନୀଙ୍କୁ ପ୍ରଧାନମନ୍ତ୍ରୀ କରିବାକୁ ଚାହୁଁଥିଲା । ଦୀର୍ଘ ବର୍ଷ ଧରି ବାଜପେୟୀଙ୍କ ଗଣମାଧ୍ୟମ ପରାମର୍ଶଦାତା ରହିଆସିଥିବା ଅଶୋକ ଟଣ୍ଡନ ତାଙ୍କର ନୂତନ ଉନ୍ମୋଚିତ ପୁସ୍ତକ 'ଅଟଳ ସଂସ୍ମରଣ'ରେ ଉଲ୍ଲେଖ କରିଛନ୍ତି ।
ଅଶୋକ ଟଣ୍ଡନଙ୍କ ଦ୍ୱାରା ରଚିତ 'ଅଟଳ ସଂସ୍ମରଣ' ପୁସ୍ତକ ପ୍ରଭାତ ପ୍ରକାଶନ ସଂସ୍ଥା ପକ୍ଷରୁ ପ୍ରକାଶିତ ହୋଇଯାଇଛି । ଟଣ୍ଡନ ୧୯୯୮ ରୁ ୨୦୦୪ ମସିହା ଯାଏ ବାଜପେୟୀଙ୍କ ମିଡ଼ିଆ ପରାମର୍ଶଦାତା ଭାବେ କାର୍ଯ୍ୟ କରିଥିଲେ । ଭାରତୀୟ ଜନତା ପାର୍ଟି ପ୍ରଥମେ ବାଚପେୟୀଙ୍କୁ ରାଷ୍ଟ୍ରପତି ପାଇଁ ପ୍ରସ୍ତାବ ଦେଇଥିଲା । ତାଙ୍କ ସ୍ଥାନରେ ଆଡ଼ଭାନୀଙ୍କୁ ପ୍ରଧାନମନ୍ତ୍ରୀ କରିବାକୁ ବିକଳ୍ପ ଦିଆଯାଇଥିଲା । କାରଣ ସେତେବେଳେ ଆଡ଼ଭାନୀ ମଧ୍ୟ ବିଜେପିର ଜଣେ ଟାଣୁଆ ନେତା ଥିଲେ । ତାଙ୍କୁ ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘ ତରଫରୁ ପ୍ରଚୁର ସମର୍ଥନ ମଧ୍ୟ ମିଳୁଥିଲା । କିନ୍ତୁ ବାଜପେୟୀ ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରି ଦେଇଥିଲେ ।
ବାଜପେୟୀଙ୍କ ଅନୁସାରେ, କୌଣସି ପ୍ରଧାନମନ୍ତ୍ରୀଙ୍କୁ ବହୁମତ ବଳରେ ରାଷ୍ଟ୍ରପତି ବନାଇବା ଭାରତୀୟ ସଂସଦର ଗଣତନ୍ତ୍ର ପାଇଁ ଉଚିତ ନୁହେଁ । ଏହା ଦ୍ୱାରା ଏକ ଭୁଲ ପରମ୍ପରା ଆରମ୍ଭ ହୋଇଯିବ । ବାଜପେୟୀ ଏଭଳି ପ୍ରସ୍ତାବ ପାଇଁ ପ୍ରସ୍ତୁତ ନ ଥିଲେ ବୋଲି ଟଣ୍ଡନ ତାଙ୍କ ପୁସ୍ତକରେ ଲେଖିଛନ୍ତି ।
ଏହା ପରେ ବାଜପେୟୀ ରାଷ୍ଟ୍ରପତି ଚୟନ ପାଇଁ ଗତିକୁ ବଢ଼ାଇଥିଲେ ଏବଂ ସର୍ବସମ୍ମତି ପାଇଁ ପଦକ୍ଷେପ ନେଇଥିଲେ । ସେ ସେତେବେଳର ମୁଖ୍ୟ ବିରୋଧୀ ଦଳ କଂଗ୍ରେସର ଶୀର୍ଷ ନେତୃତ୍ୱଙ୍କ ସହିତ ଆଲୋଚନା କରିବାକୁ ଆମନ୍ତ୍ରଣ କରିଥିଲେ । ଏହି ବୈଠକରେ ସୋନିଆ ଗାନ୍ଧୀ, ପ୍ରଣବ ମୁଖାର୍ଜୀ, ମନମୋହନ ସିଂହ ଭଳି ନେତା ସାମିଲ ହୋଇଥିଲେ ଏବଂ ବାଜପେୟୀ ଡ. ଏପିଜେ ଅବଦୁଲ କଲାମଙ୍କୁ ରାଷ୍ଟ୍ରପତି ବନାଇବାକୁ ପ୍ରସ୍ତାବ ଦେଇଥିଲେ । କିଛି ସମୟର ଶାନ୍ତି ପରେ ସୋନିଆ ଗାନ୍ଧୀ କହିଥିଲେ ଯେ ଏହି ପ୍ରସ୍ତାବରେ ସମ୍ମତି ଜଣାଇବା ବ୍ୟତୀତ ଆଉ କୌଣସି ବିକଳ୍ପ ନାହିଁ । ତଥାପି ଅନ୍ୟମାନଙ୍କ ସହିତ ଆଲୋଚନା କରି ନିଷ୍ପତ୍ତି ଜଣାଇବେ । ଏହା ପରେ ୨୦୦୨ରେ ଏନଡିଏ ଏବଂ ତତ୍କାଳୀନ ୟୁପିଏ ସମର୍ଥନରେ କଲାମ ୧୧ତମ ରାଷ୍ଟ୍ରପତି ହୋଇଥିଲେ ।
ସେହିପରି ଟଣ୍ଡନ ପୁସ୍ତକରେ ବାଜପେୟୀ ଏବଂ ଆଡ଼ଭାନୀଙ୍କ ମଧ୍ୟରେ ଥିବା ଗଭୀର ସମ୍ପର୍କ ଉପରେ ଆଲୋକପାତ କରିଛନ୍ତି । କେତେ ଦଳୀୟ ମତଭେଦ ଛଡ଼ା କଦାପି ସମ୍ପର୍କ ଖରାପ ହୋଇ ନାହିଁ । ତାଙ୍କ ଦୁହିଁଙ୍କ ସମ୍ପର୍କ ରାଜନୀତିରେ ସହଯୋଗ ଏବଂ ସନ୍ତୁଳନ ରକ୍ଷା କରିବାର ପ୍ରତୀକ ଅଟେ ।