ଅଲମୋଡ଼ା: ଉତ୍ତରାଖଣ୍ଡର ଅଲମୋଡ଼ା ଜିଲ୍ଲାରେ ହୋଇଥିବା ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ମୃତ୍ୟୁ ସଂଖ୍ୟା କ୍ରମାଗତଭାବେ ବୃଦ୍ଧି ପାଇବାରେ ଲାଗିଛି । ମୃତକଙ୍କ ସଂଖ୍ୟା ୩୬ରେ ପହଁଚିଥିବା ନେଇ ସୂଚନା ମିଳିଛି । ଏହା ସହିତ ଆହୁରି କିଛି ଯାତ୍ରୀଙ୍କ ସ୍ୱାସ୍ଥ୍ୟ ଅବସ୍ଥା ସଙ୍କଟାପନ୍ନ ଥିବା ଜଣାପଡ଼ିଛି । ଏ ଘଟଣାରେ ରାଷ୍ଟ୍ରପତି ଏବଂ ପ୍ରଧାନମନ୍ତ୍ରୀ ଶୋକ ପ୍ରକାଶ କରିବା ସହିତ ମୃତକଙ୍କ ପରିବାରକୁ ସମବେଦନା ଜଣାଇଛନ୍ତି । ସେହିପରି ପ୍ରଧାନମନ୍ତ୍ରୀ ମୃତକଙ୍କ ନିକଟ ସମ୍ପର୍କୀୟଙ୍କ ପାଇଁ ସହାୟତା ରାଶି ଘୋଷଣା କରିଛନ୍ତି ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ଘଟଣାରେ ଦୁଃଖ ପ୍ରକାଶ କରିବା ସହିତ ଆହତଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି । ମୃତକଙ୍କ ନିକଟ ସମ୍ପର୍କୀୟଙ୍କ ପ୍ରତି ସହାୟତା ଘୋଷଣା କରିଛନ୍ତି । ପ୍ରତ୍ୟେକ ମୃତକଙ୍କ ପାଇଁ ୨ ଲକ୍ଷ ଟଙ୍କା ଲେଖାଏଁ ସହାୟତା ରାଶି ଘୋଷଣା କରିଛନ୍ତି । ସେହିପରି ଗୁରୁତରଙ୍କ ପାଇଁ ୫୦,୦୦୦ ଲେଖାଏଁ ସହାୟତା ରାଶି ଘୋଷଣା କରାଯାଇଛି ।
ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଘଟଣାରେ ଗଭୀର ଦୁଃଖ ପ୍ରକାଶ କରିଛନ୍ତି । ସେ କହିଛନ୍ତି ଯେ ଅଲମୋଡ଼ାରେ ହୋଇଥିବା ଦୁର୍ଘଟଣାରେ ମହିଳା ଏବଂ ପିଲାଙ୍କ ସହିତ ଅନେକ ଲୋକଙ୍କ ମୃତ୍ୟୁ ସମ୍ବାଦ ହୃଦୟ ବିଦାରକ ଅଟେ । ରାଷ୍ଟ୍ରପତି ଶୋକ ସନ୍ତପ୍ତ ପରିବାରକୁ ଗଭୀର ସମବେଦନା ଜଣାଇବା ସହିତ ଗୁରୁତରଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି ।
ଏକ ଯାତ୍ରୀବାହୀ ବସ୍ ଗଡ଼ୱାଲରୁ ଜିଲ୍ଲାରୁ ପ୍ରାୟ ୪୬ ଜଣ ଯାତ୍ରୀଙ୍କୁ ନେଇ କୁମାଉଁ ଅଭିମୁଖେ ଯାଉଥିବାବେଳେ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲା । ଏକ ଘାଟି ତଳକୁ ଖସିପଡ଼ିଥିଲା ବସ୍ । ସ୍ଥାନୀୟ ଲୋକ, ପୁଲିସ, ଏସଡିଆରଏଫ୍ ଟିମ୍ ତୁରନ୍ତ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ । କିଛି ଗୁରୁତର ଆହତଙ୍କୁ ଋଷିକେଶସ୍ଥିତ ଏମ୍ସ ଏବଂ ସୁଶୀଲା ତିୱାରୀ ମେଡ଼ିକାଲକୁ ଏୟାର ଲିଫ୍ଟ କରାଯାଇଥିବା ନେଇ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମି ସୂଚନା ଦେଇଛନ୍ତି । ମୁଖ୍ୟମନ୍ତ୍ରୀ ସମସ୍ତ ସରକାରୀ କାର୍ଯ୍ୟକୁ ସ୍ଥଗିତ ରଖି ନିଜେ ଘଟଣାର ତଦାରଖ କରୁଛନ୍ତି ବୋଲି କହିଛନ୍ତି ।