ନୂଆଦିଲ୍ଲୀ: ଚଳିତ ବର୍ଷ ଦେଶର ସୀମା ଜାମ୍ମୁ କାଶ୍ମୀରରେ ହୋଇଥିବା ବିଧାନସଭା ନିର୍ବାଚନରେ ସୁରକ୍ଷା ଏବଂ ମତଦାନରେ ଲୋକମାନଙ୍କର ଅଂଶଗ୍ରହଣ ଅତୁଳନୀୟ ଉନ୍ନତି ଘଟିଛି । ଧାରା ୩୭୦ ଉଚ୍ଛେଦ ହେବା ପରେ ପ୍ରଥମ ଥର ପାଇଁ ଜାମ୍ମୁ କାଶ୍ମୀରରେ ବିଧାନ ସଭା ନିର୍ବାଚନ ହୋଇଛି । ବିଗତ ଏକ ଦଶନ୍ଧି ଭିତରେ ସେଠାରେ ଆତଙ୍କବାଦୀଙ୍କ କାର୍ଯ୍ୟକଳାପ କେତେ କମିଛି, ନିର୍ବାଚନରେ କାଶ୍ମୀରରେ ସାଧାରଣ ଜନତାଙ୍କ ଭାଗୀଦାରୀ କେତେ ବଢ଼ିଛି ଏବେ ତାହାର ସମୀକ୍ଷା କରିବାର ସମୟ ଆସିଛି । ତେବେ ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ଖବର ଅନୁଯାୟୀ ସୀମାରେ ଅଦ୍ଭୁତ ପୂର୍ଣ୍ଣ ପରିବର୍ତ୍ତନ ପରିଲକ୍ଷିତ ହୋଇଛି ।
୨୦୧୯ରେ ଜାମ୍ମୁ କାଶ୍ମୀରରୁ ଧାରା ୩୭୦କୁ ଉଚ୍ଛେଦ କରିଥିଲେ କେନ୍ଦ୍ର ସରକାର । ଜାମ୍ମୁ କାଶ୍ମୀରରୁ ଲଦାଖକୁ ଅଲଗା କରି ଦୁଇଟି କେନ୍ଦ୍ର ଶାସିତ ଅଞ୍ଚଳର ମାନ୍ୟତା ଦେଇଥିଲେ ମୋଦୀ ସରକାର । ୨୦୧୪ ରେ ବିଜେପି ସରକାର କେନ୍ଦ୍ରକୁ ଆସିବା ପରେ ଜାମ୍ମୁ କାଶ୍ମୀରରେ ପରିସ୍ଥିତି କେତେ ବଦଳିଛି ତାହା ଏବେ ସମୀକ୍ଷା ସାପେକ୍ଷ । ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ ୨୦୧୪ ତୁଳନାରେ ୨୦୨୪ରେ ଆତଙ୍କବାଦୀ ଘଟଣାରେ ବ୍ୟାପକ ହ୍ରାସ ଘଟିଛି । ୨୦୧୪ରେ ୨୨୨ ଟି ଆତଙ୍କବାଦୀ ଘଟଣା ଘଟିଥିବାବେଳେ ଚଳିତ ବର୍ଷ ଏପର୍ଯ୍ୟନ୍ତ କେବଳ ୨୩ ଟି ଘଟଣା ଘଟିଛି । ସୁରକ୍ଷା ବାହିନୀ ଏବଂ ସାଧାରଣ ନାଗରିକଙ୍କ ମୃତ୍ୟୁ ସଂଖ୍ୟାରେ ମଧ୍ୟ ହ୍ରାସ ଘଟିଛି ।
ସୀମାରେ ଆତଙ୍କବାଦୀଙ୍କ କାର୍ଯ୍ୟକଳାପ ଉପରେ ଲଗାମ ଲାଗିଛି ତାହା କହିଲେ ଅତ୍ୟୁକ୍ତି ହେବ ନାହିଁ । ଚଳିତ ବର୍ଷ ୨୭ ସେପ୍ଟେମ୍ବର ପର୍ୟ୍ୟନ୍ତ ଜାମ୍ମୁ ଅଞ୍ଚଳରେ ୧୫ ଟି ଆତଙ୍କବାଦୀ ଆକ୍ରମଣ ଏବଂ ଏନକାଉଣ୍ଟରରେ ୧୧ ଜଣ ସାଧାରଣ ନାଗରିକ ଏବଂ ୧୭ ଜଣ ସୁରକ୍ଷା କର୍ମୀ ପ୍ରାଣ ହରାଇଛନ୍ତି । ଜୁଲାଇ ମାସରେ ରିୟାସି ଜିଲ୍ଲାରେ ଆତଙ୍କବାଦୀମାନେ ଏକ ବସକୁ ଆକ୍ରମଣ କରିଥିଲେ ଏବଂ ସେଥିରେ ୮ ଜଣ ଯାତ୍ରୀ ଏବଂ ବସ୍ ଡ୍ରାଇଭରଙ୍କ ମୃତ୍ୟୁ ଘଟିଥିଲା ।
ମୋଟ ଉପରେ, ଜାମ୍ମୁ କାଶ୍ମୀରରେ ଆତଙ୍କବାଦ ସମ୍ବନ୍ଧୀୟ ଘଟଣା ୨୦୧୪ ରେ ୨୨୨ ରୁ ଚଳିତ ବର୍ଷ ୨୩ କୁ ହ୍ରାସ ପାଇଛି, ସେଥିମଧ୍ୟରୁ ୧୫ଟି ଜାମ୍ମୁ ଅଞ୍ଚଳରେ ଏବଂ ୮ଟି କାଶ୍ମୀରରେ। ସୁରକ୍ଷା ବାହିନୀଙ୍କ ସହିଦ ସଂଖ୍ୟାରେ ୪୭ ରୁ ୨୫ କୁ ହ୍ରାସ ପାଇଛି, ସେଥିମଧ୍ୟରୁ ୧୭ ଜଣ କେବଳ ଜାମ୍ମୁ ଅଞ୍ଚଳରେ ଥିଲେ ।
୨୦୧୪ ରେ ୧୧୦ ଜଣ ଆତଙ୍କବାଦୀ ନିପାତ ହୋଇଥିବାବେଳେ ଚଳିତ ବର୍ଷ ୪୫ ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି । ଏଥି ମଧ୍ୟରୁ କାଶ୍ମୀରରେ ୧୮ ଜଣ ବିଦେଶୀ ଆତଙ୍କବାଦୀ ଏବଂ ୧୭ ଜଣ ସ୍ଥାନୀୟ ଆତଙ୍କବାଦୀ ନିହତ ହୋଇଥିବାବେଳେ ଜାମ୍ମୁରେ ୧୦ ଜଣ ଆତଙ୍କବାଦୀ ନିହତ ହୋଇଥିଲେ । ସେହିପରି ୨୦୧୪ରେ ୨୩ଟି ଗ୍ରେନେଡ ଆକ୍ରମଣ, ୯ଟି ଆଇଡି ବିସ୍ଫୋରଣ ଏବଂ ୪୧ଟି ବନ୍ଦ ଘଟଣା ଘଟିଥିବା ବେଳେ ୨୦୨୪ରେ ଏହି ସଂଖ୍ୟା ଶୂନ୍ୟରେ ପହଁଚିଛି ।
ଅନ୍ୟପକ୍ଷରେ ୨୦୧୪ରେ ତୁଳନାରେ ଗୋଟିଏ ଜିଲ୍ଲାକୁ ଛାଡ଼ି ଦେଲେ ଅନ୍ୟ ଜିଲ୍ଲାରେ ବିଧାନସଭା ନିର୍ବାଚନରେ ମତଦାନ ହ୍ରାସ ପାଇଛି । ଗତ କିଛି ଦିନ ହେବ ଚାଲିଥିବା ଆତଙ୍କବାଦୀଙ୍କ କାର୍ଯ୍ୟକଳାପ ଏହାର ପ୍ରମୁଖ କାରଣ ବୋଲି ବିଶେଷଜ୍ଞମାନେ ମତ ପ୍ରକାଶ କରିଛନ୍ତି । କିନ୍ତୁ କେଉଁଠାରେ ବି ହିଂସାର ଖବର ଆସି ନ ଥିଲା । ସେପ୍ଟେମ୍ବର ୧୮ ଏବଂ ୨୫ ରେ ପ୍ରଥମ ଦୁଇଟି ପର୍ଯ୍ୟାୟ ନିର୍ବାଚନରେ ୧୩ଟି ଜିଲ୍ଲା ମଧ୍ୟରୁ ୮ଟି ଜିଲ୍ଲାରେ ୨୦୧୪ ଅପେକ୍ଷା କମ୍ ମତଦାନ ହୋଇଛି । ଏହି ୧୩ ଟି ଜିଲ୍ଲା ମଧ୍ୟରୁ ପାଞ୍ଚଟି ଜାମ୍ମୁ ଅଞ୍ଚଳରେ ଥିବାବେଳେ ତିନୋଟି କାଶ୍ମୀର ଉପତ୍ୟକାରେ ଅଛି । ୨୦୧୪ ନିର୍ବାଚନ ତୁଳନାରେ ଜାମ୍ମୁର ୬ଟି ଜିଲ୍ଲା ମଧ୍ୟରୁ କେବଳ ଗୋଟିଏରେ ଭୋଟରଙ୍କ ସଂଖ୍ୟା ବୃଦ୍ଧି ପାଇଥିବାବେଳେ କାଶ୍ମୀରର ୭ଟି ଜିଲ୍ଲା ମଧ୍ୟରୁ ଚାରିଟିରେ ଭୋଟରଙ୍କ ସଂଖ୍ୟା ବୃଦ୍ଧି ଘଟିଛି । ୨୦୨୪ ଲୋକସଭା ନିର୍ବାଚନ ସହିତ ତୁଳନା କଲେ ଦର୍ଶାଯାଇଛି ଯେ ଜାମ୍ମୁ ଅଞ୍ଚଳର ରିୟାସି ଜିଲ୍ଲା ବ୍ୟତୀତ ଅନ୍ୟ ସମସ୍ତ ଜିଲ୍ଲାରେ ଚଳିତ ନିର୍ବାଚନରେ ଅପେକ୍ଷାକୃତ କମ୍ ମତଦାନ ହୋଇଛି ।
ସାତୋଟି ଜିଲ୍ଲା ମଧ୍ୟରୁ ଚାରିଟି - କୁଲଗାମ, ଶୋପିଆନ୍, ପୁଲୱାମା ଏବଂ ଶ୍ରୀନଗର, ଯାହା ପୂର୍ବରୁ ଆତଙ୍କବାଦୀଙ୍କ ଆଡ୍ଡା ଥିଲା, ୨୦୧୪ ବିଧାନସଭା ନିର୍ବାଚନ ତୁଳନାରେ ଏଠାରେ ମତଦାନ ଦୃଷ୍ଟିରୁ ଭଲ ହୋଇଛି ବୋଲି ଜଣେ ସୁରକ୍ଷା ଅଧିକାରୀ କହିଛନ୍ତି ।
ମୋଟାମୋଟି ଭାବେ, ଜାମ୍ମୁ କାଶ୍ମୀରରେ ସୁରକ୍ଷା ପରିସ୍ଥିତିର ଉନ୍ନତି ଏବଂ ଲୋକଙ୍କ ସଚେତନତା ବୃଦ୍ଧି ଯୋଗୁଁ ଏହି ସମୟରେ ବିଧାନସଭା ନିର୍ବାଚନ ଶାନ୍ତିପୂର୍ଣ୍ଣ ଏବଂ ଉତ୍ସାହର ସହିତ ଅନୁଷ୍ଠିତ ହୋଇଥିଲା ।