ନୂଆଦିଲ୍ଲୀ: ଗତ ଏକ ବର୍ଷ ଧରି ରାଜ୍ୟରେ ଚାଲିଥିବା ହିଂସା ପାଇଁ ମଣିପୁର ମୁଖ୍ୟମନ୍ତ୍ରୀ ଏନ ବିରେନ ସିଂ କ୍ଷମା ପ୍ରାର୍ଥନା କରିଛନ୍ତି। ଆସନ୍ତା ବର୍ଷରେ ରାଜ୍ୟରେ ଶାନ୍ତି ଫେରି ଆସିବ ବୋଲି ସେ ଆଶା ପ୍ରକଟ କରିଛନ୍ତି ।
ବିରେନ ସିଂ କହିଛନ୍ତି, 'ଏହି ବର୍ଷ ଅତ୍ୟନ୍ତ ଦୁର୍ଭାଗ୍ୟଜନକ ରହିଛି । ମେ ୩ ତାରିଖରୁ ରାଜ୍ୟରେ ଯାହା ଘଟୁଛି ସେଥିପାଇଁ ମୁଁ ରାଜ୍ୟବାସୀଙ୍କୁ କ୍ଷମା ମାଗିବାକୁ ଚାହୁଁଛି । ଅନେକ ଲୋକ ନିଜର ପ୍ରିୟଜନଙ୍କୁ ହରାଇଲେ । ଅନେକ ଘର ଛାଡି ଚାଲିଗଲେ । ମୁଁ ଏଥିପାଇଁ ଦୁଃଖିତ, ମୁଁ କ୍ଷମା ମାଗୁଛି ।
'କିନ୍ତୁ ବର୍ତ୍ତମାନ, ଗତ ତିନି-ଚାରି ମାସ ମଧ୍ୟରେ ଶାନ୍ତି ଦିଗରେ ଅଗ୍ରଗତି ହେଉଥିବାରୁ ମୁଁ ନିଶ୍ଚିତ ଯେ ୨୦୨୫ ମସିହାରେ ରାଜ୍ୟକୁ ଶାନ୍ତି ଫେରି ଆସିବ। ମୁଁ ରାଜ୍ୟର ସମସ୍ତ ସମ୍ପ୍ରଦାୟକୁ ନିବେଦନ କରିବାକୁ ଚାହୁଁଛି ଯେ ବର୍ତ୍ତମାନ ପର୍ଯ୍ୟନ୍ତ ଯାହା ଘଟିଛି, ତାହା ଘଟିଛି। ଅତୀତର ଭୁଲଗୁଡ଼ିକୁ ତୁମକୁ ଭୁଲିଯିବାକୁ ପଡିବ । ଆମକୁ ଏକ ଶାନ୍ତିପୂର୍ଣ୍ଣ ତଥା ସମୃଦ୍ଧ ମଣିପୁର ଆଡକୁ ଏକ ନୂତନ ଜୀବନ ଆରମ୍ଭ କରିବାକୁ ପଡିବ ।
ଗତ ଏକ ବର୍ଷ ହେବ ମଣିପୁର ଅନେକ ହିଂସା ଦେଖିଛି । ବୋମା ଆକ୍ରମଣରୁ ନେଇ ଗୁଳି ଗୋଳା ବର୍ଷଣରେ କମ୍ପିଛି ମଣିପୁର । ଏକ ବର୍ଷରୁ ଅଧିକ ସମୟ ଧରି ମଣିପୁରରେ ଚାଲିଥିବା ହିଂସାରେ ଏପର୍ଯ୍ୟନ୍ତ ପ୍ରାୟ ୧୮୦ ଲୋକ ପ୍ରାଣ ହରାଇଛନ୍ତି । ମେଟାଇ ସମ୍ପ୍ରଦାୟ ଏସଟି ମାନ୍ୟତା ଦାବି ଏବଂ କୁକି ସମ୍ପ୍ରଦାୟ ଏହାକୁ ବିରୋଧ କରିବାରୁ ଏହି ହିଂସା ଆରମ୍ଭ ହୋଇଥିଲା । ମଣିପୁରର ଜନସଂଖ୍ୟାର ପ୍ରାୟ ୫୩ ପ୍ରତିଶତ ମେଟେଇ ସମ୍ପ୍ରଦାୟର । ସେମାନଙ୍କ ମଧ୍ୟରୁ ଅଧିକାଂଶ ଇମ୍ଫାଲ ଉପତ୍ୟାକାରେ ରୁହନ୍ତି । ଯେଉଁଠାରେ ନାଗା ଏବଂ କୁକିର ଜନସଂଖ୍ୟା ପ୍ରାୟ ୪୦ ପ୍ରତିଶତ । ଏହି ସମ୍ପ୍ରଦାୟ ପାହାଡ଼ ଉପରେ ବାସ କରନ୍ତି ।