ଲକ୍ଷ୍ନୌ: ବହୁ ଚର୍ଚ୍ଚିତ ଉତ୍ତର ପ୍ରଦେଶ କାସଗଂଜର ଚନ୍ଦନ ଗୁପ୍ତା ହତ୍ୟାକାଣ୍ଡ ମାମଲାରେ ବଡ଼ ଖବର ସାମ୍ନାକୁ ଆସିଛି । ଜାତୀୟ ତଦନ୍ତକାରୀ ସଂସ୍ଥା (ଏନ୍ଆଇଏ) କୋର୍ଟ ମାମଲାରେ ଗୁରୁତ୍ୱପୂର୍ଣ୍ଣ ଶୁଣାଣି କରିଛନ୍ତି । ହତ୍ୟାକାଣ୍ଡରେ ୬ ବର୍ଷ ୧୧ ମାସ ୭ ଦିନର ଲମ୍ବା ସମୟ ପରେ କୋର୍ଟ ଏକକାଳୀନ ୨୮ ଜଣ ଦୋଷୀଙ୍କୁ ଆଜୀବନ କରାଦଣ୍ଡରେ ଦଣ୍ତିତ କରିଛନ୍ତି ।
ଏନ୍ଆଇଏ ସ୍ୱତନ୍ତ୍ର ଅଦାଲତର ବିଚାରପତି ବିବେକାନନ୍ଦ ଶରଣ ତ୍ରିପାଠୀ ଗୁରୁବାର ମାମଲା ଶୁଣାଣୀ କରିଛନ୍ତି । ଚନ୍ଦନ ଗୁପ୍ତାଙ୍କୁ ହତ୍ୟା କରିଥିବା ୨୮ ଜଣ ଦୋଷୀଙ୍କୁ ଆଜୀବନ ଜେଲ ଦଣ୍ଡାଦେଶ ଶୁଣାଇଛନ୍ତି ବିଚାରପତି । ଅନ୍ୟ ଦୁଇ ଅଭିଯୁକ୍ତ ନସୀରୁଦ୍ଦୀନ ଓ ଅସୀମ କୁରୈଶୀଙ୍କୁ ମୁକ୍ତ କରିଛନ୍ତି ଅଦାଲତ । ଏହି ମାମଲାରେ ଦୋଷୀ ସାବ୍ୟସ୍ତ ଅଭିଯୁକ୍ତମାନେ ହେଲେ ଆସିଫ କୁରେଶୀ (ହିଟଲର୍), ଅସଲମ କରୈଶୀ, ଅସୀମ କରୈଶୀ, ଶବାବ, ସାକିବ, ମୁନାଜିର ରଫି, ଆମିର ରଫି, ସଲୀମ, ୱାସିମ, ନସୀମ, ବବଲୁ, ଅକରମ, ତୌଫୀଫ୍, ମୋହସିନ, ରାହତ, ସଲମାନ, ଆସିଫ, ଆସିଫ ଜିମ ୱାଲା, ନିଶୁ, ୱାସିଫ୍, ଇମରାନ, ଶମଶାଦ, ଜଫର, ଶାକିର, ଖାଲିଦ ପରବେଜ୍ ଓ ଫୈଜାନ ରହିଛନ୍ତି । ଆଇପିସି ଧାରା ୧୪୭, ୧୪୮, ୩୦୭/୧୪୯, ୩୦୨/୧୪୯, ୩୪୧, ୩୩୬, ୫୦୪, ୫୦୬ରେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି ।
ତ୍ରିରଙ୍ଗା ଯାତ୍ରା ବେଳେ ହୋଇଥିଲା ହତ୍ୟାକାଣ୍ଡ
୨୦୧୮ ଜାନୁୟାରୀ ୨୬ ତାରିଖରେ କାସଗଂଜର ଚନ୍ଦନ ଗୁପ୍ତାଙ୍କୁ ହତ୍ୟା କରାଯାଇଥିଲା । ତ୍ରିରଙ୍ଗା ଯାତ୍ରା ଚାଲିଥିବାବେଳେ ତାଙ୍କୁ ଗୁଳି କରି ହତ୍ୟା କରାଯାଇଥିଲା । ତ୍ରିରଙ୍ଗା ଯାତ୍ରାବେଳେ ଦୁଇ ଗୋଷ୍ଠୀ ମୁହାଁମୁହିଁ ହୋଇଥିଲେ । ଏଥିରେ ଗୋଟିଏ ଗୋଷ୍ଠୀର ଲୋକ ଚନ୍ଦନଙ୍କୁ ଗୁଳି କରି ହତ୍ୟା କରିଥିଲେ । ଏହି ଘଟଣା ସେତେବେଳେ ଉତ୍ତର ପ୍ରଦେଶରେ ବଡ଼ ପ୍ରସଙ୍ଗ ହୋଇଥିଲା । ହିଂସାର ନିଆଁରେ ଜଳି ଉଠିଥିଲା କାସଗଂଜ । ତାଙ୍କ ବାପା ସୁଶୀଲ ଗୁପ୍ତାଙ୍କ ଏତଲା ଆଧାରରେ ପୋଲିସ ୩୦ ଜଣ ଅଭିଯୁକ୍ତଙ୍କୁ କରିଥିଲା । ପୋଲିସ ମୁଖ୍ୟ ଅଭିଯୁକ୍ତ ୩ ଭାଇ ୱାସିମ, ନସୀମ ଏବଂ ସଲୀମଙ୍କ ସହିତ ୧୦୦ ଜଣଙ୍କୁ ଗିରଫ କରିଥିଲା । ପରେ କିଛି ଲୋକ ଖଲାସ ହୋଇଥିଲେ । ୨୬ ଅପ୍ରେଲରେ କାସଗଂଜ ପୋଲିସ ଚାର୍ଜସିଟ୍ ଦାଖଲ କରିଥିଲା ।